ପିପିଲି : ପିପିଲି ବିଦ୍ୟୁତ୍‌ ଉପଖଣ୍ତ ଅଧୀନସ୍ଥ ଭାରତୀପୁର ସେକ୍ସନର ଲାଇନ୍‌ମ୍ୟାନ୍‌ ମାନସ ରଂଜନ ସାହୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ସୂଚନା ଅନୁସାରେ, ଚାଇଁପୁରର ପଥରଡିହ ଅଞ୍ଚଳରେ ଏକ କୁକୁଡ଼ା ଫାର୍ମକୁ ନୂଆ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ପାଇଁ ଆବଶ୍ୟକ ରିପୋର୍ଟ ପ୍ରଦାନ ନିମନ୍ତେ ଶ୍ରୀ ସାହୁ ୭ହଜାର ୫ଶହ ଟଙ୍କା ଦାବି କରିଥିଲେ। ଏସମ୍ପର୍କରେ ଅଭିଯୋଗକାରୀ ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁସାରେ, ପଥରଡିହ ଗ୍ରାମ ନିକଟରେ ଲାଇନ୍‌ମ୍ୟାନ୍‌ ଶ୍ରୀ ସାହୁ ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସେଠାରେ ସାଦା ପୋଷାକରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଟଙ୍କା ସହ କାବୁ କରିନେବା ସହ ତାଙ୍କଠାରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଜବତ କରିଥିଲେ। ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ୪୩/୨୦୨୨ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ଅଟକ ରଖି ଅଧିକ ଅନୁସନ୍ଧାନ ଜାରି ରଖିଛି ।