ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବନ୍ଦ ହେଲା, ସେବାୟତଙ୍କ ବିବାଦ ଯୋଗୁଁ ବଳି ପଡ଼ିଲା ଶହଶହ ବର୍ଷର ପରମ୍ପରା

ଭୁବନେଶ୍ବର: ବହୁ ବର୍ଷର ପରମ୍ପରା ଅଟକିଗଲା । ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କର ଶୀତଳ ଷଷ୍ଠୀ ଯାତ୍ରା ହେବନାହିଁ। ବ୍ରାହ୍ମଣ ନିଯୋଗ ପ୍ରଭୁ ଲିଙ୍ଗରାଜଙ୍କ ସବୁ ରୀତିକାନ୍ତିକୁ ବନ୍ଦ କରି ଦେବାରୁ ଚଳିତ ଥର ଅନୁଷ୍ଠିତ ହେବନି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ । ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହରେ ପ୍ରଭୁ କପିଳେଶ୍ୱର ମଧ୍ୟସ୍ଥି ଭାବେ ସ୍ଥାପିତ ହୋଇଥାନ୍ତି । ବିଗତ କିଛି ବର୍ଷ ହେବ ପ୍ରଭୁ କପିଳେଶ୍ୱରଙ୍କୁ ଅପବିତ୍ର ତଥା ମାରା ହୋଇଯାଇଥିବା କଥା କହିଛନ୍ତି ଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ସେବକ । କାରଣ କପିଳେଶ୍ୱରଙ୍କୁ ପୂଜା କରିବାର ଅଧିକାର ଥିଲା କେବଳ ଖୁଂଟିଆ ସେବାୟତଙ୍କର ହୋଇଥିବା ବେଳେ  ମାଲିଆ ସେବାୟତ ନିଜର ଆଧିପତ୍ୟ ଦେଖାଇ ତାଙ୍କ ଠାରୁ ଏହି ଅଧିକାର ନେଇଯାଇଥିଲେ ବୋଲି ଅଭିଯୋଗ ରହିଛି ।

ସେବେଠାରୁ କପିଳେଶ୍ୱର ମାରା ହୋଇଯାଇଥିବା ଦାବି କରିଛନ୍ତି ଲିଙ୍ଗରାଜ ବ୍ରାହ୍ମଣ ନିଯୋଗ । ଏହି ବିବାଦ ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯାହାର ଯେଉଁ କାମ ସିଏ ସେହି କାମ କରନ୍ତୁ । କିନ୍ତୁ ଆଜି ଯାଏ ଏହାର ପାଳନ ହୋଇ ନଥିବାରୁ ଏହାକୁ ବିରୋଧ କରିଛନ୍ତି ଲିଙ୍ଗରାଜ ବ୍ରାହ୍ମଣ ନିଯୋଗ । ଜିଲ୍ଲା ପ୍ରଶାସନ କପିଳେଶ୍ୱରଙ୍କୁ ଚଳିତ ବର୍ଷ ପୁଣିଥରେ ଯୋଡିବା ପାଇଁ କହିଥିଲା । କିନ୍ତୁ ବ୍ରାହ୍ମଣ ନିଯୋଗ ଏହାକୁ ବିରୋଧ କରିଛି । ତେବେ ଏଥିପାଇଁ ପୁରା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛି ବ୍ରାହ୍ମଣ ନିଯୋଗ । ଆଜି ଲିଙ୍ଗରାଜ ମନ୍ଦିର ଶୀତଳ ଷଷ୍ଠୀ ନେଇ ବ୍ରାହ୍ମଣ ନିଯୋଗର ବୈଠକ ବସିଥିଲା । ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଜିଲ୍ଲା ପ୍ରଶାସନକୁ ଦାୟୀ କରିଥିଲା ।

ସମ୍ବନ୍ଧିତ ଖବର