ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ବନ୍ଦ, ପୂର୍ବ ନିଷ୍ପତ୍ତି ଅନୁସାରେ ଅନୁଷ୍ଠିତ ହେବ ରୁକୁଣା ରଥଯାତ୍ରା

ଭୁବନେଶ୍ବର: ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ ହୋଇଛି। କିଛି ସେବାୟତ କରୋନା ସଂକ୍ରମିତ ହେବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି। କିନ୍ତୁ ପୂର୍ବ ପରି ଲିଙ୍ଗରାଜ ମନ୍ଦିରରେ ସେବାୟତ ମାନଙ୍କ ଦ୍ବାରା ନୀତିକାନ୍ତି ଜାରି ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ରହିବ ବୋଲି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ୬୦ ଜଣ ସେବାୟତଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪ ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ୧୮୫ ଜଣ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ନିର୍ଦ୍ଧାରିତ ଅଶୋକାଷ୍ଟମୀ ଆୟୋଜନ ହେବ। ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦ୍ବାରା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପରିଚାଳନା କରାଯିବ।

 

ସୂଚନାଯୋଗ୍ୟ, ରାଜଧାନୀରେ ବିଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଉପରେ ରହୁଛି। ଆଜି ୩୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫ ହଜାର ୬୭୯ରେ ପହଂଚିଛି। ଆଜି କରୋନାରୁ ୧୨୬ ଜଣ ସୁସ୍ଥ ହୋଇଛନ୍ତି। ଏଥି ସହିତ ସୁସ୍ଥଙ୍କ ସଂଖ୍ୟା ୩୨ ହଜାର ୮୮୧ରେ ପହଂଚିଛି। ଭୁବନେଶ୍ବରରେ କରୋନା ଯୋଗୁଁ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ‌ବେଳେ ଏବେ ୨ହଜାର ୫୨୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର