ଏ ବର୍ଷ ବି ହୋଇପାରିଲାନି ହାଣ୍ଡିଭଙ୍ଗା ଯାତ : ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ

କପିଳନାଥ ମନ୍ଦିର ପରମ୍ପରା କରାଇ ନପାରିବାରୁ ଲାଗିଲା ରୋକ

ପୁରୁଣା ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା, ସେୟା ହେଲା। ଘନଘନ ବୈଠକ ଓ ଆଲୋଚନା ପରେ ବି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏ ବର୍ଷ ହୋଇପାରିଲା ନାହିଁ। ଆଜି ସକାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ପରେ ରୋଷ ହୋମ ନୀତି କରାଯାଇ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ମାତ୍ର ତାହା ପରଠୁ ସମସ୍ତ ନୀତି ବନ୍ଦ ରହିଥିଲା। ଫଳରେ ମହାପ୍ରଭୁଙ୍କୁ ଖାଡ଼ା ଉପାସ ରହିବାକୁ ପଡ଼ିଛି। କପିଳନାଥ ମନ୍ଦିର ସେବାୟତଙ୍କ ବିବାଦ ନ ତୁଟିବା କାରଣରୁ ହିଁ ଏହି ପରମ୍ପରାରେ ପୁଣି ରୋକ ଲାଗିଛି। ଏ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ହାଣ୍ଡିଭଙ୍ଗା ନୀତିରେ ପୁନର୍ବାର ଏହି ଅବ୍ୟବସ୍ଥା ଯୋଗୁଁ ସେବା ପ୍ରତିନିଧି ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା।

ଦୀର୍ଘ ୫ ବର୍ଷ ହେଲା ଏପରି ଅବ୍ୟବସ୍ଥା ଲାଗି ରହିଛି। ହାଇକୋର୍ଟ ହାଣ୍ଡିଭଙ୍ଗା ନୀତି କରିବାକୁ ନିର୍ଦେଶ ଦେଇଥିଲେ। ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟ ହାଣ୍ଡିଭଙ୍ଗା ଯାତ କରିବାକୁ ଚାପ ପକାଇ ଥିଲେ। ଖୋର୍ଧା ଜିଲ୍ଲା ପ୍ରଶାସନ କପିଳେଶ୍ବର ମନ୍ଦିର ନୀତି ସହ ଜଡ଼ିତ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କୁ ଡାକି କିଛିଦିନ ତଳେ ମନ୍ଦିର ପ୍ରଶାସନ ବା ଦେବୋତ୍ତର ବିଭାଗ ସହ ବୈଠକ କରିଥିଲା। ମାତ୍ର ଏ ବୈଠକରେ ମଲିଆ ସେବାୟତ ୫ ବର୍ଷ ତଳର ପରମ୍ପରା ମୁତାବକ ନୀତି କରିବାକୁ ଅରାଜି ହୋଇଥିଲା। ଏପରିକି ମଲିଆ ସେବାୟତ ବୈଠକରୁ ଉଠି ଚାଲି ଆସିଥିଲେ।

ତେଣୁ ହାଣ୍ଡିଭଙ୍ଗା ଯାତ ମଧ୍ୟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କପିଳନାଥ ମନ୍ଦିରକୁ ଯିବା ପାଇଁ ଯେଉଁ ନୀତି ରହିଛି ତାହା ହୋଇପାରିବନି ବୋଲି ପୁଣି ଆଶଙ୍କା ପ୍ରକାଶ ପାଇଥିଲା। ଫଳରେ ପ୍ରଭୁଙ୍କୁ ଯେତେବେଳେ କପିଳନାଥ ମନ୍ଦିରକୁ ନିଆଯାଇ ପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଲା ସେବେଠୁ ଆଉ ମନ୍ଦିରରେ ନୀତି କରାଗଲା ନାହିଁ। ତେଣୁ ଷଷ୍ଠ ବର୍ଷରେ ପୁଣି ଏହି ହାଣ୍ଡିଭଙ୍ଗା ଯାତ ବନ୍ଦ ରହିଲା।

ଆଜି ଅନୁଷ୍ଠିତ ‌ଏକ ବୈଠକରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଯୁକ୍ତି ବାଢ଼ିଥିଲେ ଯେ ନୀତି ଆଧାରରେ ଯଦି କପିଳନାଥ ମନ୍ଦିରକୁ ପ୍ରଭୁଙ୍କୁ ନିଆ ନ ଯାଇ ଅନ୍ୟ ନୀତି ସମ୍ପନ୍ନ ହୁଏ ତେବେ ୧୨ ବର୍ଷ ଯାଏ ଏହି ନୀତି ସମ୍ପନ୍ନ ହେବ ନାହିଁ। ଫଳରେ ହାଣ୍ଡିଭଙ୍ଗା ଯାତ ପରମ୍ପରା ଆଧାରରେ ଆଉ ହୋଇ ପାରିବ ନାହିଁ। ତେଣୁ ଯେ ପର୍ଯ୍ୟନ୍ତ କପିଳନାଥ ମନ୍ଦିର ସହ ସଂଶ୍ଳିଷ୍ଟ ନୀତି ନ ହେବ ସେପର୍ଯ୍ୟନ୍ତ ଏହି ହାଣ୍ଡିଭଙ୍ଗା ଯାତ ହୋଇପାରିବ ନାହିଁ ବୋଲି ମୋଟାମୋଟି ଭାବେ ସ୍ପଷ୍ଟ ହୋଇଛି।
ତେବେ ଜିଲ୍ଲା ପ୍ରଶାସନ ବାରମ୍ବାର ମଲିଆ ଓ ଖୁଣ୍ଟିଆ ସେବାୟତ ବିବାଦ କାହିଁକି ସମାଧାନ କରୁନି ଏବଂ ହାଣ୍ଡିଭଙ୍ଗା ଭଳି ପ୍ରାଚୀନ ଯାତ ପରମ୍ପରାକୁ ବାଦ ଦିଆଯାଉଛି ପ୍ରଶାସନ ତାହାର ଜବାବ ଦେବାକୁ ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁମାନେ କହିଛନ୍ତି। ଏ ନେଇ ସେବା ପ୍ରତିନିଧି ଅନୁଷ୍ଠାନ ପକ୍ଷରୁ ନୀଳମଣି ମିଶ୍ରଙ୍କ ତତ୍ତ୍ବାବଧାନରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଦେବୋତ୍ତର ପ୍ରଶାସନ ଲିଖିତ ଭାବେ ‌ସଫେଇ ଦେଇ କହିଛି ଯେ, ଆମେ ଖୁବଶୀଘ୍ର କପିଳେଶ୍ବର ମନ୍ଦିରରେ ହେଉଥିବା ପରମ୍ପରା ବଜାୟ ରଖିବା ଲାଖି ପଦକ୍ଷେପ ନେବୁ। ବାସ୍‌, ଏତିକି କହି ଦେବୋତ୍ତର ବିଭାଗ ଚୁପ୍‌ ବସି ଯାଇଛି। ବିଡ଼ମ୍ବନା ଏହି ଯେ ପ୍ରଶାସନ ବାରମ୍ବାର ଏପରି ମନାଇବା ପାଇଁ ଚେଷ୍ଟା କରି ମଧ୍ୟ ସେଥିରେ ସଫଳ ହୋଇ ପାରୁନାହିଁ।

ଆଜି ନୀତି ବନ୍ଦ ଯୋଗୁଁ ଲୋକେ ପ୍ରସାଦ ପାଇପାରି ନ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିବା ସମୟରେ ବି ନୀତି ବନ୍ଦ ରହିଥିଲା। ହେଲେ କେହି ଏ ନେଇ ମୁହଁ ଖୋଲି ନ ଥିଲେ। ୬ ବର୍ଷ ହେଲା ସେଇ ସମାନ ଆଶ୍ବାସନା ଦେଇ ଦେବୋତ୍ତର ବିଭାଗ କ’ଣ ପ୍ରମାଣିତ କରିବାକୁ ଚାହୁଁଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର