ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଯୁକ୍ତି ଦର୍ଶାଇଛନ୍ତି ଯେ ଅଧ୍ୟାଦେଶର ମୁଖ୍ୟ ଲକ୍ଷ୍ୟ ହେଲା ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ ରଖିବା। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫କୁ କାର୍ଯ୍ୟକାରୀ କରାଯାଇ ଯେଭଳି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି, ସେହିପରି ପ୍ରାବଧାନ ଏହି ଅଧ୍ୟାଦେଶରେ ରହିଥିବାରୁ ଏହାକୁ ଅନୁମତି ଦିଆଯାଉ।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୨୨ ଏପ୍ରିଲ ୮ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଓ ୨୦୨୧ ଫେବୃୟାରୀ ୧୧ ତାରିଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଲ୍ୟାଣ୍ଡ ରିସୋର୍ସ ବିଭାଗରୁ ଏନ୍ଓସି ମିଳିସାରିଛି । ସଂସ୍କୃତି ମନ୍ତ୍ରଣାଳୟ ଯେଉଁ ସବୁ ଆପତ୍ତି ଉଠାଇଥିଲା ତାହାର ସ୍ପଷ୍ଟୀକରଣ ଦିଆଯାଇଛି। ଏହି ଅଧ୍ୟାଦେଶ ଅମ୍ସାର୍ ଆକ୍ଟ, ୧୯୫୮କୁ ଉଲ୍ଲଂଘନ କରୁ ନାହିଁ। ବରଂ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଏବଂ ଏହାର ସମ୍ପତ୍ତିର ଦୈନନ୍ଦିନ ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି।
ମନ୍ଦିରର ସମ୍ପତ୍ତି ପ୍ରସଙ୍ଗରେ ସରକାରଙ୍କ ଯୁକ୍ତି ରହିଛି ଯେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ବହୁ ସ୍ଥାବର ସମ୍ପତ୍ତି ରହିଛି। ଏହା ମନ୍ଦିରର ଏକ ପ୍ରମୁଖ ଆୟ ହୋଇପାରିବ। ଏବେ ଏହି ସମ୍ପତ୍ତିକୁ ଲିଜ୍ ଆକାରରେ ଦେବା ପାଇଁ ଦେବୋତ୍ତର କମିସନ୍ଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଅଧ୍ୟାଦେଶରେ ଏହି କ୍ଷମତା ମନ୍ଦିର ପ୍ରଶାସନକୁ ଦିଆଯାଇଛି। ତେଣୁ ମନ୍ଦିରର ସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଅମ୍ସାର୍ ଆକ୍ଟକୁ ଏହି ଅଧ୍ୟାଦେଶ ଆଦୌ ବିରୁଦ୍ଧାଚରଣ କରୁନାହିଁ। ସେହିପରି ଅଧ୍ୟାଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜରୁରୀକାଳୀନ ମରାମତି ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। ଏପରି ମରାମତି କାର୍ଯ୍ୟ ନିଶ୍ଚିତ ଭାବେ ଏଏସ୍ଆଇର ବିଶେଷଜ୍ଞଙ୍କ ସହ ପରାମର୍ଶରେ କରାଯିବ। ଏହି ବ୍ୟବସ୍ଥା ଅମ୍ସାର୍ ଆକ୍ଟରେ ଥିବା ବ୍ୟବସ୍ଥାକୁ ଆହୁରି ତ୍ବରାନ୍ବିତ କରିପାରିବ।
ଅମ୍ସାର୍ ଆକ୍ଟରେ ସଂରକ୍ଷିତ ଅଞ୍ଚଳରେ ସବୁ ପ୍ରକାର ନିର୍ମାଣକୁ ନିଷେଧ କରାଯାଇଛି। ଏହି ପ୍ରସଙ୍ଗରେ ସରକାରଙ୍କ ଯୁକ୍ତି ରହିଛି ଯେ ଶ୍ରଦ୍ଧାଳୁଙ୍କ ନିରାପତ୍ତା, ବ୍ୟବସ୍ଥିତ ନୀତିକାନ୍ତି ଓ ମନ୍ଦିରର ସମ୍ପତ୍ତିର ସୁରକ୍ଷା ପାଇଁ ଯେ କୌଣସି କାମ କରିବାକୁ ନୂଆ ଅଧ୍ୟାଦେଶରେ ପ୍ରଶାସକଙ୍କୁ କ୍ଷମତା ଦିଆଯାଇଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଭିତ୍ତିଭୂମି ନିମନ୍ତେ ଖର୍ଚ୍ଚ କରିବାର ବନ୍ଦୋବସ୍ତ ରହିଛି। ଏଥିପାଇଁ ପରିଚାଳନା କମିଟିକୁ କ୍ଷମତା ଦିଆଯାଇଛି। ଏହାଦ୍ବାରା ଅମ୍ସାର୍ ଆକ୍ଟର ଉଲ୍ଲଂଘନ ହେବ ନାହିଁ, ବରଂ ଐତିହାସିକ କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ। ମନ୍ଦିର ପରିସରରେ ଓ ବାହାରେ ଦୋକାନ ଖୋଲିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ସରକାର ଦର୍ଶାଇଛନ୍ତି ଯେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ପରିସରରେ ୮ଟି ଓ ବାହାରେ ୧୧୫ଟି ପୂଜା ସାମଗ୍ରୀ ଦୋକାନ ରହିଛି। ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଏହି ଦୋକାନଗୁଡ଼ିକ ବର୍ଷ ବର୍ଷ ଧରି ରହିଛି। ଏହି ଦୋକାନଗୁଡ଼ିକୁ ବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ତେଣୁ କୌଣସି ଭାବେ କୀର୍ତ୍ତିରାଜିକୁ କ୍ଷତି ପହଞ୍ଚାଇବ ନାହିଁ। ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ବର୍ତ୍ତମାନ ମନ୍ଦିରର ପରିଚାଳନା କାର୍ଯ୍ୟ ଦେବୋତ୍ତର କମିସନ୍ଙ୍କ ଦ୍ବାରା କରାଯାଉଛି। ଦେବୋତ୍ତର କମିସନ୍ଙ୍କ କାର୍ଯ୍ୟ ଓ ଦାୟିତ୍ବ ବହୁମାତ୍ରାରେ ବଢ଼ିଯାଇଛି। ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ କେବଳ ମନ୍ଦିର ପରିଚାଳନା ସହଜ ହେବ ନାହିଁ, ବରଂ ଦେବୋତ୍ତର କମିସନ୍ଙ୍କ କାର୍ଯ୍ୟ ଭାର ମଧ୍ୟ କମିବ।