ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଝଟ୍‌କା: କେନ୍ଦ୍ରୀୟ ଆଇନକୁ ବିରୋଧ କରୁଥିବା ଦର୍ଶାଇ ଆପତ୍ତି

ରାଜ୍ୟପାଳଙ୍କୁ ଅବଗତ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ, ସ୍ପଷ୍ଟୀକରଣ ଦେବା ଲାଗି ମୁଖ୍ୟ ସଚିବଙ୍କୁ ରାଜଭବନର ନିର୍ଦେଶ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ କେନ୍ଦ୍ର-ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ସଂସଦରେ ଏ ନେଇ ବିଜେଡି-ବିଜେପି ମଧ୍ୟରେ ବିତର୍କ ଦେଖିବାକୁ ମିଳିଥିଲା। ଗତ ଫେବ୍ରୁଆରିରୁ ଏଏସ୍‌ଆଇ ଏଠାରେ ନିର୍ମାଣ ଉପରେ ରୋକ୍ ଲାଗି ନିର୍ଦେଶ ଦେଇସାରିଛନ୍ତି। ଠିକ୍ ଏମିତି ସମୟରେ ରାଜ୍ୟ ସରକାରଙ୍କୁ ଆଉ ଏକ ଧକ୍‌କା ଲାଗିଛି। ଏକାଦଶ ଶତାବ୍ଦୀର ବହୁ ପୁରାତନ ତଥା ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇ ଓଡ଼ିଶା ରାଜ୍ୟପାଳଙ୍କୁ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଆପତ୍ତି ଉଠାଇ କହିଛନ୍ତି ଯେ ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ଆମ୍‌ସାର ଆଇନକୁ ବିରୋଧାଚରଣ କରିବ। କେନ୍ଦ୍ର ସରକାରଙ୍କ ସମସ୍ତ ଆପତ୍ତିକୁ ଏକାଠି କରି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଇତିମଧ୍ୟରେ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିଛନ୍ତି। ରାଜଭବନ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଯେଉଁ ସବୁ ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି ତାହା ଉପରେ ଆବଶ୍ୟକ ମନ୍ତବ୍ୟ କିମ୍ବା ସ୍ପଷ୍ଟୀକରଣ ସହିତ ଓଡ଼ିଶା ସରକାର ସିଧାସଳଖ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାନ୍ତୁ। ଏସଂକ୍ରାନ୍ତରେ ରାଜଭବନକୁ ଜଣାଇବାକୁ ମଧ୍ୟ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ଏବେ ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ବି ବାଧାପ୍ରାପ୍ତ ହେବ, ଏକଥା ସ୍ପଷ୍ଟ ହୋଇଯାଇଛି। ୨୦୨୦ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ବୈଠକ ବସିଥିଲା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ କରିବା ଲାଗି ଅଧ୍ୟାଦେଶ ଅଣାଯାଇ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ପଠାଯାଇଥିଲା। ଯେହେତୁ କେନ୍ଦ୍ରୀୟ ଆଇନ କିଛି ପରିମାଣରେ ଏସବୁ ଅଞ୍ଚଳକୁ ନିୟନ୍ତ୍ରିତ କରୁଛି, ଏଣୁ ଏହି ଅଧ୍ୟାଦେଶ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ପଠାଯାଇଥିଲା।

ବର୍ଷ ବର୍ଷ ଧରି ଏହି ମନ୍ଦିର ଓଡ଼ିଶା ହିନ୍ଦୁ ଧାର୍ମିକ ଅନୁଦାନ ଅଧିନିୟମ ଅଧୀନରେ ରହିଛି। ୨୦୧୯ ଡିସେମ୍ବରରେ ରାଜ୍ୟ ସରକାର ଐତିହ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ
ପୁନର୍ଜୀବିତ କରିବା ପାଇଁ ଲିଙ୍ଗରାଜ ମନ୍ଦିର ବିକାଶ ଲାଗି ଏକାମ୍ରକ୍ଷେତ୍ର ବିକାଶ ପ୍ରକ​ଳ୍ପର ଆରମ୍ଭ କରିଥିଲେ ଓ ପରେ ଏହି ଆଇନ ସଂକ୍ରାନ୍ତ ଅଧ୍ୟାଦେଶ କ୍ୟାବିନେଟ୍ ମୋହର ଲଗାଇଥିଲେ। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ, ୨୦୨୦ ଉପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆପତ୍ତି ଉଠାଇ କହିଛି ଯେ ପ୍ରସ୍ତାବିତ ଅଧ୍ୟାଦେଶ ଆମ୍୍‌ସାର୍ ଅଧିନିୟମ ପରିପନ୍ଥୀ। ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଭିନ୍ନ ନିର୍ମାଣ କରି ଆମ୍‌ସାର ଆଇନର ଖୋଲା ଉଲ୍ଲଂଘନ କରିସାରିଛନ୍ତି। ଏହା ଚିନ୍ତାର ବିଷୟ। ପ୍ରସ୍ତାବିତ ଅଧ୍ୟାଦେଶରେ ଏପରି ଅନେକ କଥା କୁହାଯାଇଛି, ଯାହା କେନ୍ଦ୍ରର ଆଇନକୁ ସିଧାସଳଖ ବିରୋଧ କରୁଛି।

ସଂସ୍କୃତି ବିଭାଗର ଆପତ୍ତିକୁ ବିଚାରକୁ ନେଇ ଗୃହ ମନ୍ତ୍ରାଳୟ ଆହୁରି କହିଛି ଯେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଅନୁମୋଦନ ଦେଇଛନ୍ତି, ଏହା ଅନ୍ତର୍ଗତ ଶ୍ରୀ ଲିଙ୍ଗରାଜ ମନ୍ଦିର, ୩ଟି ବିଶାଳ ପୁଷ୍କରିଣୀ ସହିତ ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ରହିଛି। ଏହା ଆମ୍‌ସାର୍ ଅଧିନିୟମ, ୧୯୫୮ ଅନ୍ତର୍ଗତ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହା ଉପରେ କୌଣସି ସ୍ବତନ୍ତ୍ର ନିୟମ କରିପାରିବେ ନାହିଁ। ଏହାର ୧୦୦ ମିଟର ସମୁଦାୟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ବିବେଚନା କରାଯାଉଛି। ଏହା ପରେ ୨୦୦ମିଟର ଯାଏ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ କିଛି ବି ମରାମତି ଆଦି କାର୍ଯ୍ୟକଳାପ କଲେ ଜାତୀୟ ସ୍ମାରକୀ ପ୍ରାଧିକରଣର ସୁପାରିସ ଅନୁଯାୟୀ କ୍ଷମତାସଂପନ୍ନ କର୍ତ୍ତୃପକ୍ଷଙ୍କର ଅନୁମତି ବାଧ୍ୟତାମୂଳକ ଅଟେ। ଏହି ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀର ସଂରକ୍ଷଣ ପାଇଁ ଏଏସ୍‌ଆଇ ଉତ୍ତରଦାୟୀ। ଅତଏବ ଏଠାରେ ଯଦି ରାଜ୍ୟ ସରକାରଙ୍କ ନିୟମ ଅନୁସୃତ ହେବ, ତେବେ ଦ୍ବୈତ ଶାସନ ପାଇଁ ରାସ୍ତା ଖୋଲିବ ଓ ଏହା ବିବାଦର ମଞ୍ଜି ବୁଣିବ। ଗୃହ ବିଭାଗ ଏସବୁ ଆପତ୍ତି ସହିତ ଏହି ଅଧ୍ୟାଦେଶ ଅନୁମୋଦନ ନ କରିବା ଲାଗି ଓଡ଼ିଶାର ରାଜ୍ୟପାଳଙ୍କୁ ଗୃହ ବିଭାଗ ଜଣାଇ ଦେଇଛି।

ମନ୍ତ୍ରଣାଳୟ କହିଛି ଯେ ମନ୍ଦିର ଭିତରେ ଏବଂ ବାହାରେ ବିଭିନ୍ନ ଜିନିଷ ବିକ୍ରୟ ପାଇଁ ଖୁଚୁରା ଦୋକାନ ପାଇଁ ଓଡିଶା ଅଧ୍ୟାଦେଶର ଧାରା ୧୫ (୨) ରେ ବ୍ୟବସ୍ଥା ରହିଛି। ଏହା ଆମ୍‌ସାର ଅଧିନିୟମ ଅନୁସାରେ ଗ୍ରହଣୀୟ ନୁହେଁ। ମନ୍ତ୍ରଣାଳୟ ଏହା ମଧ୍ୟ ସୂଚାଇ ଦେଇଛି ଯେ ଓଡିଶା ଅଧ୍ୟାଦେଶର ଧାରା ୧୭ (୩) ଚଳନ କିମ୍ବା ଅସ୍ଥାବର ସମ୍ପତ୍ତି ଲିଜ୍ କିମ୍ବା ବିକ୍ରୟକୁ ଦର୍ଶାଉଛି। ଚଳନଶୀଳ ସମ୍ପତ୍ତିରେ ପ୍ରତ୍ନତାତ୍ତ୍ୱିକ କିମ୍ବା କଳାତ୍ମକ ବସ୍ତୁ (ଅର୍ଥାତ୍ ପୁରାତନ) ଅନ୍ତର୍ଭୁକ୍ତ ହୋଇପାରେ ଏବଂ ସେହି କ୍ଷେତ୍ରରେ ଏହା ମଧ୍ୟ କେନ୍ଦ୍ରୀୟ ଆଇନ ପରିସରଭୁକ୍ତ ହୋଇଥିବାରୁ ବିବାଦ ସୃଷ୍ଟି କରିବ। ଅଧ୍ୟାଦେଶର ଧାରା ୨୨ (୨ଘ)ରେ ମନ୍ଦିର କମିଟିକୁ ମରାମତି ପାଇଁ କିଛି କ୍ଷମତା ପ୍ରଦାନ କରିଛି। ହେଲେ ଏଥିପାଇଁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦାୟୀ ରହିଛି ଓ ଏହା ମଧ୍ୟ କେନ୍ଦ୍ରୀୟ ନିୟମକୁ ବିରୋଧ କରୁଛି। ଏଭଳି ଅନେକ କାରଣରୁ ଏହି ଅଧ୍ୟାଦେଶକୁ ଗ୍ରହଣ କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର