ଦିନ ଦି’ପହରେ ଲିଙ୍ଗରାଜଙ୍କ ସମ୍ପତ୍ତି ହଡ଼ପ; ରକେଟ୍ ବେଗରେ ଗତି କରୁଛି ଜମି କିଣାବିକା ଫାଇଲ୍, ୮ ଦିନରେ ପଟ୍ଟା

କୋଟିକୋଟି ଟଙ୍କାର ସମ୍ପତ୍ତିକୁ ଗିଳିଦେଉଛନ୍ତି, ପ୍ରତିକ୍ରିୟା ନାହିଁ
ସନ୍ଦେହରେ ଭୁବନେଶ୍ବର ତହସିଲ, ତଥାପି ନିର୍ମାଣ ଚାଲିଛି

ଭୁବନେଶ୍ୱର : ମହାପ୍ରଭୁ ଲିଙ୍ଗରାଜଙ୍କର ୧୪୯୨ ଏକର ସମ୍ପତ୍ତି ଜବରଦଖଲ ଓ ହଡ଼ପ ପ୍ରସଙ୍ଗରେ ସିଏଜି ଦେଇଥିବା ରିପୋର୍ଟକୁ ନେଇ ଚର୍ଚ୍ଚା ଥମିନାହିଁ। କିଏ କିଭଳି ଠାକୁରଙ୍କ ସମ୍ପତ୍ତି ନେଇଯାଉଛି, କେହି କେମିତି ଜାଣିପାରୁନାହାନ୍ତି; ତାହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଠିକ୍ ଏମିତି ସମୟରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କୋଟି କୋଟି ଟଙ୍କା ମୂଲ୍ୟର ଏକ ଜମି ହଡ଼ପ ଉଦ୍ୟମ ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କଲାଣି। ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଏହି ପ୍ରସଙ୍ଗକୁ ଉଦାହରଣ ଭାବେ ନେଲେ ଯେ କେହି ବୁଝିପାରିବ ଯେ ଠାକୁରଙ୍କ ମୂଲ୍ୟବାନ ସମ୍ପତ୍ତି ରାତାରାତି କିଭଳି ଓ କେଉଁମାନଙ୍କ ସହଯୋଗରେ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ ହୋଇଯାଉଛି। କିଭଳି ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସ୍ପଷ୍ଟ ଦିବାଲୋକରେ ଏସବୁ କିଣାବିକା ହେଉଛି; ଅଥଚ କେହି କିଛି ଜାଣିପାରୁନାହାନ୍ତି।

ଏ କ୍ଷେତ୍ରରେ ସବୁଠାରୁ ବଡ଼କଥାଟି ହେଉଛି, ତହସିଲଦାର ପଟ୍ଟା ରଦ୍ଦ କରିଥିଲେ ମଧ୍ୟ ସେଠାରେ ନିର୍ମାଣ ଚାଲିଛି।ଏପରିକି ବ୍ୟକ୍ତିଗତ ମାଲିକାନାରୁ ଏହି ଜମିକୁ ଆଣି ମହାପ୍ରଭୁଙ୍କ ନାମରେ ପଟ୍ଟା ସଂଶୋଧନର ନିର୍ଦ୍ଦେଶ ଥିଲେ ମଧ୍ୟ ଏହା ଉପରେ ଏବେ ଘର ତିଆରି ଯୋଜନା ଚାଲିଛି। ସମସ୍ତେ ଦେଖୁଛନ୍ତି, କେହି ପ୍ରତିବାଦ କରୁନାହାନ୍ତି। ଅତି ସରଳ ଭାବେ କହିଲେ, ନାବାଳକ ଠାକୁରଙ୍କର ସମ୍ପତ୍ତିକୁ ସୁରକ୍ଷା ଦେବା ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ହିଁ ଏହି କାରବାରର ମୁଖ୍ୟ କାର୍ପଟଦାର ସାଜିଥିବା ସନ୍ଦେହ ବଢ଼ିଲାଣି।

ଘଟଣାଟି ହେଉଛି ଏମିତି। ଭୁବନେଶ୍ବର ବିମାନବନ୍ଦର ନିକଟରେ ଭୀମପୁର ମୌଜା ଖାତା ନମ୍ବର ୫୪୪ /୨୮୬ ପ୍ଲଟ ନଂ ୮୫ ୨/୨୫୭୩ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨ ଏକର ୨୦୦ ଡିସିମିଲ ଜମି ରହିଛି। ଏହାର ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ୧୯୬୨ ମସିହାର ଶାବକ ଖାତା ମୁତାବକ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏହି ଜମି ସୁଦର୍ଶନ ଭାରତୀ ଗୋସ୍ବାମୀ ମଠଙ୍କ ତତ୍ତ୍ବାବଧାନରେ ରହିଥିଲା। ୨୦୧୬ ମସିହାରେ ଏକ ଅଭିଯୋଗ କ୍ରମେ ଜଣାପଡ଼ିଲା ଯେ ଏହି ଜମି ହୃଷୀକେଶ ଦାସ ଓ ସରସ୍ବତୀ ପାତ୍ରଙ୍କ ନାମକୁ ଚାଲି ଯାଇଛି। ପଟ୍ଟାରୁ ଠାକୁରଙ୍କ ନାମକୁ ଖାରଜ କରାଯାଇ ଏହି ଦୁଇଜଣଙ୍କ ନାମ ଦାଖଲ ହୋଇଛି। ଏହା ଜଣାପଡ଼ିବା ପରେ ଦେବୋତ୍ତର କମିସନର ତୁରନ୍ତ ଦେବୋତ୍ତର ଆଇନ ଧାରା-୨୫ରେ ଏକ ମାମଲା ରୁଜୁ କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ମାର୍ଫତକୁ ଜମି ଫେରାଇ ଆଣିବା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏକ ସିଭିଲ ସୁଟ କରିଥିଲେ।

Odisha Tourism

ରାଜସ୍ବ ବିଭାଗ ତରଫରୁ ମଧ୍ୟ ଅଭିଯୋଗର ତଦନ୍ତ ହୋଇଥିଲା। ଏ ସଂକ୍ରାନ୍ତରେ ସେଟେଲ୍‌ମେଣ୍ଟ ନିର୍ଦ୍ଦେଶକ ଶଶଧର ନାୟକ ୨୦୨୦ ସେପ୍ଟେମ୍ବର ମାସରେ ରାଜସ୍ବ ବିଭାଗ ସଚିବଙ୍କୁ ରିପୋର୍ଟ ଦାଖଲ କରିଥିଲେ। ଜଣାଇଥିଲେ ଯେ ଏହି ମୂଲ୍ୟବାନ ସମ୍ପତ୍ତି ଠାକୁରଙ୍କର। ଭୁଲ୍‌ରେ ଏହି ଜମି ବ୍ୟକ୍ତିଗତ ମାଲିକାନାକୁ ଚାଲି ଯାଇଛି ଓ ପଟ୍ଟା ହୋଇଛି। ଏହି ରିପୋର୍ଟ ଆଧାରରେ ଖାତା ସଂଶୋଧନ ସହିତ ସମୁଦାୟ ଜମିକୁ ପୁଣି ଥରେ ମହାପ୍ରଭୁ ଲିଙ୍ଗରାଜ ପ୍ରଭୁଙ୍କ ନାମରେ ଜମି କରିଦେବା ପାଇଁ ରାଜସ୍ବ ବିଭାଗର ତତ୍‌କାଳୀନ ସଚିବ ବିଷ୍ଣୁପଦ ସେଠୀ ରିଭିଜନ ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। କେବଳ ସେତିକି ନୁହେଁ, କିଭଳି ଓ କେଉଁ ପରିସ୍ଥିତିରେ ଏହି ଜମି ହଡପ ହେଲା, ସେ ସଂକ୍ରାନ୍ତ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ରାଜସ୍ବ ବିଭାଗ ପକ୍ଷରୁ ସୁପାରିସ କରାଯାଇଥିଲା।

ରାଜସ୍ବ ବିଭାଗ ନିର୍ଦେଶ ମୁତାବକ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପଟ୍ଟା ସଂଶୋଧନ ପାଇଁ ବୋର୍ଡ ରେଭେନ୍ୟୁଙ୍କ କୋର୍ଟରେ ଆବେଦନ(କେସ୍ ନଂ ୫୦୨୦/୨୦୨୦) କରିଛନ୍ତି। ଏଥିରେ ୧୨ଜଣ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ୍ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ତାହା ହେଲା, ମହାପ୍ରଭୁଙ୍କ ଜମି ହାତେଇଥିବା କାରଣରୁ ଏହି ମାମଲାରେ ପକ୍ଷଭୁକ୍ତ ଥିବା ଲକ୍ଷ୍ମୀସାଗର ଅଞ୍ଚଳର ହୃଷୀକେଶ ଦାସ ଜଣେ ରାଜ୍ୟର ପ୍ରଭାବଶାଳୀ ବ୍ୟବସାୟୀଙ୍କ ପତ୍ନୀ କିରୁଥିକାଙ୍କୁ ତାଙ୍କ ଜମି ବିକ୍ରି କରିଦେଇଛନ୍ତି। ଏ ବାବଦରେ ସେ ୬ କୋଟି ୫୦ ଲକ୍ଷ ଟଙ୍କା(କାଗଜପତ୍ରରେ) ନେଇଥିବା ଦଲିଲ କହୁଛି।

ସମସ୍ତଙ୍କୁ ଚମକାଇଦେବା ଭଳି କଥାଟି ହେଲା, ଜମି କିଣାବିକା ପରେ ଏ ସଂକ୍ରାନ୍ତ ଫାଇଲ ରକେଟ୍ ବେଗରେ ଗତି କରିଛି। ଅର୍ଥାତ୍ ଦଲିଲର ୮ ଦିନ ଭିତରେ ତଥା ଡିସେମ୍ବର ମାସରେ କିଣୁଥିବାଙ୍କ ନାମରେ ପଟ୍ଟା କରିଦିଆଯାଇଛି। ସାଧାରଣ ଲୋକ ଝାଳବୁହା ଧନରେ ଜମି ଖଣ୍ଡେ କିଣିବା ପରେ ବି ପଟ୍ଟା ଖଣ୍ତକ ପାଇଁ ମାସ ମାସ ଦୌଡୁଛନ୍ତି। ଅଥଚ ଏ କ୍ଷେତ୍ରରେ ଭୁବନେଶ୍ବର ତହସିଲଦାର ରେକର୍ଡ କରିଛନ୍ତି। ତରତର ହୋଇ କିରୁଥିକାଙ୍କ ନାମରେ ପଟ୍ଟା କରିଦିଆଯାଇଛି।

Odisha Bytes

ତେବେ ପ୍ରବଳ ବିରୋଧ ପରେ ଏବେ ତହସିଲଦାର ସଂପୃକ୍ତ ପଟ୍ଟାକୁ ବାତିଲ୍ କରିଦେଇଛନ୍ତି। ଅଥଚ ରେକର୍ଡ ସଂଶୋଧନ ହୋଇନାହିଁ। ଅର୍ଥାତ୍ କିରୁଥିକାଙ୍କ ନାମରୁ ମହାପ୍ରଭୁଙ୍କ ନାମକୁ ଜମି ଆସିନାହିଁ। ଜମିଟି ମାମଲା ଭିତରେ ଛନ୍ଦି ହୋଇ ରହିଥିବା ବେଳେ ତହସିଲଦାର କାହିଁକି ଓ କାହା ଚାପରେ ପଟ୍ଟା କଲେ ତାହାକୁ ନେଇ ଏବେ ବିଭିନ୍ନ ମହଲ ପ୍ରଶ୍ନ ଉଠିଲାଣି।

ପୂର୍ବରୁ ଏହି ଜମିର ମାଲିକ ଥିଲେ ହୃଷିକେଶ ଦାସ ଓ ସରସ୍ବତୀ ପାତ୍ର। ଏହା ମହାପ୍ରଭୁଙ୍କ ନାମକୁ ଫେରିଯିବ ବୋଲି ଜାଣିବା ପରେ ସେମାନେ ବିକ୍ରି କରିଦେଇଥିବା କୁହାଯାଉଛି। ଆଉ ଚାପରେ ପଡ଼ି ତହସିଲଦାର କିରୁଥିକାଙ୍କ ନାମରେ ପଟ୍ଟା କରିଦେଇଥିବା ଚର୍ଚ୍ଚା ହେଉଛି। ଥରେ ନିର୍ମାଣ ହୋଇଗଲେ ଆଉ ଭାଙ୍ଗିବା ସହଜ ହେବ ନାହିଁ; ମାମଲା କୋର୍ଟରେ ଗଡ଼ିବ। ଏଭଳି ଅନେକ ଜମିରୁ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିପାରୁନାହିଁ। ଏଭଳି ଚିନ୍ତା କରି ଏଠାରେ ରାତିଅଧିଆ କାମ ଚାଲିଛି।

ଏ ନେଇ ଭୁବନେଶ୍ବର ତହସିଲଦାର ପ୍ରଦୀପ ସାହୁଙ୍କୁ ପଚରାଯିବାରେ ସେ ଭୀଷଣ ବିରକ୍ତ ହୋଇଥିଲେ। କହିଥିଲେ ଯେ ଏହି ପଟ୍ଟା ବାତିଲ୍ ହୋଇସାରିଛି। ତେବେ ପଟ୍ଟା ସଂଶୋଧନ ହେବା ପର୍ଯ୍ୟନ୍ତ ଏହ ଜମି ଯେଭଳି କେହି ଦଖଲ କରିବେ ନାହିଁ, ତାହା ନିଶ୍ଚିତ କରିବା ସହିତ ଏ ସଂକ୍ରାନ୍ତରେ ନିୟମିତ ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଇତିମଧ୍ୟରେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳୁଛି। ତା’ ସତ୍ତ୍ବେ କିଭଳି ଭାବେ ରାତିଅଧିଆ ନିର୍ମାଣ ଚାଲିଛି?

ଅନ୍ୟପଟରେ ଦେବୋତ୍ତର କମିସନଙ୍କ ମାମଲାର ଏବେ ସ୍ଥିତି କଣ? କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କେତେବାଟରେ ପହଞ୍ଚିଲାଣି? ଖୋର୍ଦ୍ଧା ଜିଲ୍ଲାପାଳଙ୍କ କୋର୍ଟରେ ରିଭିଜନ୍‌ ପିଟିସନର କଣ ସ୍ଥିତି ରହିଛି? ନା ଚାପରେ ଚେପା ହୋଇ ସବୁ ନିରବ ରହିଛନ୍ତି, ଏଭଳି ଅନେକ ପ୍ରଶ୍ନ ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।

ଉଲ୍ଲେଖଥାଉକି, ନିକଟରେ ସିଏଜି ମାତ୍ର ୧୩ଟି ମନ୍ଦିର ସଂପର୍କରେ ଅଡିଟ୍ କରିଥିଲେ। ଏହି ରିପୋର୍ଟରୁ ଜଣାପଡ଼ିଥିଲା ଯେ ଏସବୁ ମନ୍ଦିରର ପ୍ରାୟ ୪୫୦୩ ଏକର ଜମି ଜବରଦଖଲ ବା ହଡପ ହୋଇଯାଇଛି। ହେଲେ ଏହା ଉପରେ ଏବେ ବି ତନାଘନା ନାହିଁ।

ସମ୍ବନ୍ଧିତ ଖବର