ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ୧୦ଟି ମଣ୍ଡି ଇ-ନାମ ପ୍ଲାଟ୍ଫର୍ମ ସହ ଯୋଡ଼ି ହୋଇଛି। ଓଡ଼ିଶା ଷ୍ଟେଟ୍ ଏଗ୍ରିକଲ୍ଚରାଲ୍ ମାର୍କେଟିଂ ବୋର୍ଡ(ଓଏସ୍ଏଏମ୍ବି)ର ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ନିୟନ୍ତ୍ରିତ ବଜାର କମିଟି(ଆର୍ଏମ୍ସି)କୁ ଯୋଡ଼ିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଏ ନେଇ ଶ୍ରୀ ପ୍ରଧାନ କୃଷି ମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହା ଦ୍ୱାରା ଚାଷୀଙ୍କୁ ଲାଭ ହେବା ସହ ସେମାନଙ୍କ ଆୟ ବଢ଼ିପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ରାଜ୍ୟରେ ଥିବା ଅଧିକାଂଶ ଆର୍ଏମ୍ସିରେ ଆବଶ୍ୟକ ସୁବିଧା ଓ ଭିତ୍ତିଭୂମିର ଅଭାବ ରହିଛି। ଏହି ଆର୍ଏମ୍ସିଗୁଡ଼ିକୁ ଇ-ନାମ ପ୍ଲାଟ୍ଫର୍ମ ସହ ଯୋଡ଼ିଲେ ଭିତ୍ତିଭୂମି ଓ ସୁବିଧା ମିଳିବା ସହ ଚାଷୀମାନଙ୍କ ସମସ୍ୟା ଦୂର ହୋଇପାରିବ। ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଏଗ୍ରି ବିକାଶ-୨୦୧୮ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏହି ସମ୍ମିଳନୀରେ ଏକ ହଜାରରୁ ଅଧିକ ଚାଷୀ, କୃଷି ଉଦ୍ୟୋଗୀ, କୃଷି ଶିକ୍ଷାବିତ୍ ଓ ଛାତ୍ର ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଇ-ନାମ୍ ପ୍ଲାଟ୍ଫର୍ମର ସଫଳତା ସମ୍ପର୍କରେ ସେ କହିଥିଲେ। ଏହା ଦ୍ୱାରା କିପରି ବର୍ତ୍ତମାନର କୃଷି ଉତ୍ପାଦ ମାର୍କେଟିଂ କମିଟିକୁ କୃଷକ ଓ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ସହ ଯୋଡ଼ା ହୋଇ କୃଷକମାନଙ୍କ ପାଇଁ ବଜାର ସୃଷ୍ଟି କରାଯାଇପାରୁଛି, ସେ ସମ୍ପର୍କରେ ସମ୍ମିଳନୀରେ ଜଣାଇଥିଲେ।