ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା : ଆଧାର ସଂଯୋଗରେ ହିତାଧିକାରୀ ତାଲିକାରୁ ବାଦ ପଡ଼ିଲେ ୧୦ ଲକ୍ଷ

ଭୁବନେଶ୍ବର : ଏକାଧିକ ସ୍ଥାନରୁ ରାସନ କାର୍ଡ଼ ହାତେଇ ବର୍ଷ ବର୍ଷ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ସହ ଅନ୍ୟ ରାସନ ସାମଗ୍ରୀ ନେଉଥିଲେ ୧୦ ଲକ୍ଷ ହିତାଧିକାରୀ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ରାସନ କାର୍ଡ଼ ହିତାଧିକାରୀଙ୍କ ଆଧାର ସଂଯୋଗ ବେଳେ ଏହି ତଥ୍ୟ ପଦାକୁ ଆସିଥିଲା। ପ୍ରଥମେ ସମ୍ବାଦ ଏହି ଖବର ପ୍ରକାଶ କରିଥିଲା। ଆଧାର ସଂଯୋଗ ଯୋଗୁଁ ବାଦ ପଡ଼ିଥିବା ହିତାଧିକାରୀଙ୍କ ସ୍ଥାନରେ ରାଜ୍ୟ ସରକାର ୧୦ ଲକ୍ଷ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ନାମକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ତାଲିକାରେ ସାମିଲ କରିଛନ୍ତି। ଆଧାର ସଂଯୋଗ ନେଇ ଗତକାଲି ଶେଷ ତାରିଖ ଥିବାରୁ ମୋଟ୍ ୩ କୋଟି ୨୫ ଲକ୍ଷ ୯୮ ହଜାର ବ୍ୟକ୍ତିଗତ ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି ୭ ଲକ୍ଷ ୩୦ ହଜାର ୧୯୭ ଜଣ ହିତାଧିକାରୀ ଆଧାର ସଂଯୋଗ କରିଛନ୍ତି।

ଆଧାର ସଂଯୋଗ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇଛନ୍ତି। ଯେଉଁ ହିତାଧିକାରୀମାନେ ଆଧାର ସଂଯୋଗ କରିପାରିନାହାନ୍ତି ସେମାନେ ଏଣିକି ପ୍ରତି ବ୍ଲକରେ ଖୋଲାଯାଇଥିବା ରାସନ୍ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ଆଧାର ସଂଯୋଗ କରିପାରିବେ। କୁଷ୍ଠରୋଗଗ୍ରସ୍ତ କିମ୍ବା ଭୀଷଣ ଭାବେ ପୀଡ଼ିତ ବ୍ୟକ୍ତିମାନେ ଆଧାର ସଂଯୋଗ ନ କରିପାରିଲେ ବି ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକଙ୍କ ପ୍ରମାଣପତ୍ର ଥିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ।

ଏହାସହିତ ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପାଇଁ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଓ ଲ୍ୟାମ୍ପସ୍ ଜରିଆରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଆସନ୍ତାକାଲି ସମ୍ପୂର୍ଣ୍ଣ ହେବ। ଏବେସୁଦ୍ଧା ମୋଟ ୧୧ ଲକ୍ଷ ୧୬ ହଜାର ୧୯୭ ଜଣ ଚାଷୀ ନାମପଞ୍ଜୀକରଣ କରିବା ସହ ଆଧାର ସଂଯୋଗ କରିଥିବା ସମବାୟ ବିଭାଗ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର