୩୧ ସୁଦ୍ଧା ଆଧାର ସିଡିଂ ପ୍ରକ୍ରିୟା ସାର: ଖାଦ୍ୟ ମନ୍ତ୍ରୀ

ଏକାଧିକ ଆଧାର କାର୍ଡ ଥିଲେ, ବାଦ୍‌ ପଡ଼ି‌ବ, ଆଧାର କାର୍ଡ ନ ଥିଲେ ବି ଚାଉଳ ମିଳିବ, କଂଗ୍ରେସ ଓ ବିଜେପିର ସମାଲୋଚନା

ଭୁବନେଶ୍ବର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ରାସନକାର୍ଡ଼ ହିତାଧିକାରୀଙ୍କ ଆଧାର ଲିଙ୍କକୁ ସରକାର ଗୁରୁତ୍ବ ଦେଇଛନ୍ତି। ଚଳିତମାସ ୩୧ ତାରିଖ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଆଧାର ସିଡିଂ ଶତ ପ୍ରତିଶତ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାହେଲେ ଏକାଧିକ ରାସନ କାର୍ଡ଼ ପାଇଥିବା ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିବା ସହ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ। ଆଧାର ସିଡିଂ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରଚାର କରିବାକୁ ସବୁ ଜିଲ୍ଲା, ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଅର୍ଥ ପ୍ରଦାନ କରାଯାଇଛି। ତେବେ ମନ୍ତ୍ରୀ ଶ୍ରୀ ସ୍ବାଇଁ ସ୍ପଷ୍ଟ କରିଛନ୍ତି ଯେ, ଆଧାର କାର୍ଡ ନ ଥିଲେ କୌଣସି ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହେବେ ନାହିଁ। ମାତ୍ର ବିରୋଧୀ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି।

ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୧୯ ଲକ୍ଷ ୭୫ ହଜାର ୪୪୩ ଜଣ ହିତାଧିକାରୀ ଅଛନ୍ତି। ପ୍ରାୟ ଲକ୍ଷାଧିକ ହିତାଧିକାରୀ ଏକାଧିକ ସ୍ଥାନରେ ନାମ ପଞ୍ଜୀକରଣ କରି ରାସନକାର୍ଡ଼ ପାଇଛନ୍ତି। ରାସନକାର୍ଡ଼ କେଳେଙ୍କାରୀ ନେଇ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ବିରୋଧୀ ସମାଲୋଚନା କରିଆସିଛନ୍ତି। ଏବେ ଏହାକୁ ଦୂର କରିବା ପାଇଁ ରାଜ୍ୟଖାଦ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଧାର ସିଡିଂକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତମାସ ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ଆଧାର ସିଡିଂ ପାଇଁ ବିଭାଗୀୟ ଯୁଗ୍ମ ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଗତ ୩ ତାରିଖରେ ଚିଠି ଲେଖିଥିଲେ। ହିତାଧିକାରୀଙ୍କ ଆଧାର ଲିଙ୍କ ଚଳିତବର୍ଷ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଗତ ୨ ତାରିଖ ସୁଦ୍ଧା ୩୦ଟି ଜିଲ୍ଲାରେ ୮୯.୨% ଆଧାର ସିଡିଂ ହୋଇଥିଲା। ବାକି ୩୪ ଲକ୍ଷ ୫୨ ହଜାର ୯୮୪ ଜଣ ହିତାଧିକାରୀଙ୍କ ଆଧାର ସିଡିଂ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କେନ୍ଦୁଝର, ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ହିତାଧିକାରୀଙ୍କ ଆଧାର ଲିଙ୍କ ଏହା ୯୦ ପ୍ରତିଶତ ମଧ୍ୟ ହୋଇପାରିନି।

ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ହିତାଧିକାରୀଙ୍କ ଆଧାର କାର୍ଡ଼ ଲିଙ୍କ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସବୁ ଜିଲ୍ଲାକୁ ମୋଟ ୬୨ ଲକ୍ଷ ୩୭ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟର ୩୧୪ ବ୍ଲକ୍, ୧୧୬ ପୌରାଞ୍ଚଳ ସମେତ ୬ ହଜାର ୭୯୮ଟି ପଞ୍ଚାୟତରେ ବ୍ୟାନର, ହୋର୍ଡ଼ିଂ ଓ ପୋଷ୍ଟର ମାରିବା ସହ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଧାର ସିଡିଂ ପାଇଁ ନିଜେ ହିତାଧିକାରୀ ସାଧାରଣ ବଣ୍ଟନ କେନ୍ଦ୍ର, ବ୍ଲକ୍ ଓ ପୌରାଞ୍ଚଳରେ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଆସି ସିଡିଂ କରିପାରିବେ। ଆସନ୍ତା ସେପ୍ଟେମ୍ବର ପହିଲାରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।

ଅନ୍ୟପଟେ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ସହଜରେ ଗ୍ରହଣ କରିନାହାନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ରାସନକାର୍ଡ଼ ବଣ୍ଟନରେ ବ୍ୟାପକ ଜାଲିଆତି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ଅତୀତରେ ବହୁ ପ୍ରମାଣ ସରକାରଙ୍କ ପାଖରେ ରହିଛି। ଜଣେ ଲେଖାଏଁ ବ୍ୟକ୍ତି ଏକାଧିକ ସ୍ଥାନରେ କାର୍ଡ଼ ପାଇ ବର୍ଷ ବର୍ଷ ଧରି ଚାଉଳ ପାଉଛନ୍ତି। ଫଳରେ ଯୋଗ୍ୟ ବ୍ୟକ୍ତି ହିତାଧିକାରୀ ତାଲିକାରେ ସାମିଲ ହୋଇପାରୁନାହାନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାପାଇଁ ନିୟମାବଳୀ କଡ଼ାକଡ଼ି ପାଳନ କରାଯାଉନାହିଁ। ଯେଉଁମାନେ ଜାଲ କରି କାର୍ଡ଼ ପାଇଛନ୍ତି ଓ ସେମାନଙ୍କୁ ରାସନକାର୍ଡ଼ ଦେବାରେ ସହଯୋଗ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ଦରକାର ବୋଲି ଉଭୟ ବିଜେପି ଓ କଂଗ୍ରେସ ନେତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର