ରୁଦ୍ର ନାରାୟଣ ଷଡ଼ଙ୍ଗୀ
ବାରଙ୍ଗ: ନନ୍ଦନକାନନ ସିଂହବଂଶର ‘କ୍ରାଇସିସ୍ ମ୍ୟାନେଜର’ ବା ସଙ୍କଟମୋଚକ ଭାବେ ପରିଚିତ ସିଂହ ‘କ୍ରିସ୍’ର ଆଜି ସକାଳେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିକ ରୋଗରେ ପୀଡ଼ିତ ଏହି ୨୦ ବର୍ଷୀୟ ସିଂହଟି ଚିକିତ୍ସାଧୀନ ଥିଲା। କ୍ରିସ୍ ଥିଲା ଏକ ବର୍ଣ୍ଣଶଙ୍କର ଜାତୀୟ ବା ହାଇବ୍ରିଡ ସିଂହ। ସେ ନନ୍ଦନକାନନରେ ୨୦୦୪ ଜୁନ୍ ୧୬ ତାରିଖରେ ଜନ୍ମ ହୋଇଥିଲା। ସିଂହମାନଙ୍କର ପରମାୟୁ ୧୫-୧୬ ବର୍ଷ ମଧ୍ୟରେ ବୋଲି ପ୍ରାଣୀବିଜ୍ଞାନର ମତ ରହିଛି। ତେଣୁ କ୍ରିସ୍ ସାଧାରଣ ସିଂହଙ୍କଠାରୁ ଅଧିକ ୪ ବର୍ଷ ବଞ୍ଚିଥିଲା ବୋଲି କୁହା ଯାଇପାରେ।
କ୍ରିସ୍ର ଜନ୍ମ ବୃତ୍ତାନ୍ତ ଅତ୍ୟନ୍ତ ଅଦ୍ଭୁତ। ସଫଳ ପ୍ରଜନନ ଯୋଗୁଁ ୧୯୮୨ରୁ ୧୯୮୬ ମସିହା ଭିତରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୫୬ ଥିଲା। ଏହା ଏକ ରେକର୍ଡ। ସିଂହବଂଶ ଅତ୍ୟଧିକ ଭାବେ ବୃଦ୍ଧି ହେଉଥିବାରୁ ସ୍ଥାନାଭାବଜନିତ ନାନା ସମସ୍ୟା ସୃଷ୍ଟି ହେଉଥିଲା। ମୁଖ୍ୟତଃ ସମରକ୍ତଜଙ୍କ ମିଳନରୁ ଜନ୍ମ ହେଉଥିବା ଶାବକଗୁଡ଼ିକ ମୃତ୍ୟୁ ବରଣ କରୁଥିଲେ। ତେଣୁ ୨୦୦୧ ମସିହାରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ (ସିଜେଡ୍ଏ)ଙ୍କ ନିର୍ଦ୍ଦେଶକ୍ରମେ ବଂଶବୃଦ୍ଧି ନିୟନ୍ତ୍ରଣ କରିବାଲାଗି କେତେକ ଅଣ୍ଡିରା ସିଂହଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରା ଯାଇଥିଲା। କେବଳ ସେତିକି ନୁହେଁ, ସିଂହ ଓ ସିଂହୀମାନଙ୍କୁ ଅଲଗା ରଖା ଯାଇଥିଲା। ଏହାପରେ ନନ୍ଦନକାନନରେ ଆଉ ସିଂହ ଜନ୍ମ ହୋଇନଥିଲେ। କିନ୍ତୁ ତା’ ସହିତ ସମାନ୍ତରାଳ ଭାବେ ବିଭିନ୍ନ କାରଣରୁ ସିଂହମାନଙ୍କର ମୃତ୍ୟୁ ଘଟିବା ଆରମ୍ଭ ହୋଇଥିଲା। ବଂଶବୃଦ୍ଧି ନକରିବାଲାଗି ସିଜେଡ୍ଏଙ୍କ ନିର୍ଦ୍ଦେଶ ଥିବାବେଳେ ଅନ୍ୟପଟେ ସିଂହଙ୍କ ବଂଶରକ୍ଷା ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଭାଗ୍ୟବଶତଃ ୧୯୯୯ ମହାବାତ୍ୟାରେ ଏସୀୟ ଓ ଆଫ୍ରିକୀୟ ସିଂହ ରହୁଥିବା ଖୁଆଡ଼ର ମଝି ପାଚେରିଟି ଭାଙ୍ଗିଯାଇଥିଲା। ଫଳରେ ଉଭୟ ପାର୍ଶ୍ୱର କିଛି ସିଂହ ଓ ସିଂହୀଙ୍କର ମିଳନ ହୋଇଯାଇଥିଲା।
ଦୁଇବର୍ଷ ବିଳମ୍ବରେ ପାଚେରି ନିର୍ମାଣ ବେଳକୁ କିଛି ସିଂହୀ ଗର୍ଭଧାରଣ କରିସାରି ଥିଲେ। ଉଭୟ ଏସୀୟ ଓ ଆଫ୍ରିକୀୟଙ୍କ ମିଳନରୁ ୨୦୦୪ –୨୦୦୫ ମସିହା ମଧ୍ୟରେ ଶେଷପିଢ଼ିର କିଛି ବର୍ଣ୍ଣଶଙ୍କର ଶାବକ ଜନ୍ମଲାଭ କରିଥିଲେ। ଏହି ଶେଷପିଢ଼ି ଶାବକଙ୍କ ମଧ୍ୟରେ ୨୦୦୪ରେ ଜନ୍ମିତ କ୍ରିସ୍ ଥିଲା। ଉଲ୍ଲେଖନୀୟ ଯେ ୨୦୦୫ ବେଳକୁ ନନ୍ଦନକାନନରେ ସିଂହସଂଖ୍ୟା ୨୬କୁ କମି ଆସିଥିଲା। ସେତିକିବେଳେ ସିଂହ ବଂଶରକ୍ଷାର ଆବଶ୍ୟକତା ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା ଏବଂ ସଙ୍କଟମୋଚକ ଭାବେ ଶେଷପିଢ଼ିର ସିଂହ କ୍ରିସ୍ ଉପରେ କର୍ତ୍ତୃପକ୍ଷଙ୍କର ସବୁ ଆଶା ଠୁଳ ହୋଇଥିଲା। କ୍ରିସ୍ର ଜନ୍ମ ପରେ ସେହି ୨୦୦୪ରେ ସିଂହୀ କାବେରୀ ଓ ୨୦୦୫ରେ କରିସ୍ମା ଜନ୍ମଲାଭ କରିଥିଲେ। ସେମାନଙ୍କ ସହ କ୍ରିସ୍ର ମିଳନ କରାଇ ବଂଶବୃଦ୍ଧି କରିବାର ଯୋଜନା ଥିଲା। ହେଲେ ଦୁର୍ଭାଗ୍ୟକୁ ୨୦୦୭ ଜୁନ୍ ୬ ତାରିଖରେ ବିଷଧର ସର୍ପ ସହ ଲଢେଇ କରି ତା’ ଦଂଶନରେ ଉଭୟ କାବେରୀ ଓ କରିସ୍ମା ମୃତ୍ୟୁ ବରଣ କରିଥିଲେ। ପରେ ସିଂହୀ ସୁପ୍ରିୟା ସହିତ କ୍ରିସ୍ର ମିଳନ କରାଯାଇଥିଲା।
ହେଲେ ବାରମ୍ବାର ମିଳନ ପରେ ମଧ୍ୟ ସୁପ୍ରିୟା ଗର୍ଭଧାରଣ କରିପାରିନଥିଲା। ସ୍ଥିତି ବିଗିଡ଼ି ଯାଉଥିବାରୁ ୨୦୧୪ ଅପ୍ରେଲ ମାସରେ ବାଙ୍ଗାଲୋର ଚିଡ଼ିଆଖାନାରୁ ସିଂହୀ ରାଧାକୁ ଅଣାଯାଇ ସହ କ୍ରିସ୍କୁ ମିଳନର ସୁଯୋଗ ଦିଆଯାଇଥିଲା। ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଦୀର୍ଘ ୧୦ବର୍ଷ ଧରି ଲଗାତାର ମୃତ୍ୟୁ ସାଙ୍ଗକୁ ଆଦୌ ଜନ୍ମ ନଥିବାରୁ ସିଂହବଂଶକୁ ନେଇ ଚିନ୍ତାରେ ପଡ଼ିଥିବା କର୍ତ୍ତୃପକ୍ଷଙ୍କର ଚିନ୍ତା ଶେଷରେ ଦୂର ହୋଇଥିଲା। ୨୦୧୫ ଜୁଲାଇ ୨୩ ତାରିଖରେ ସିଂହୀ ରାଧାର ଗର୍ଭରୁ କ୍ରିସ୍ ଔରସରୁ ୪ଟି ଶାବକ ଜନ୍ମ ହୋଇଥିଲେ। ତେବେ ମା’ର ଯତ୍ନ ଅଭାବରୁ ତାଙ୍କ ଭିତରୁ ୩ଟିର ମୃତ୍ୟୁ ହୋଇଥିଲା। ଏକମାତ୍ର ଜୀବିତ କଳ୍ପନାକୁ ମା' ଠାରୁ ଅଲଗା କରି ବଡ଼ କରାଯାଇଛି। ଏହାପରେ ୨୦୧୭ ମାର୍ଚ୍ଚ ୬ ତାରିଖରେ ପୁଣି ୩ ଶାବକ ଜନ୍ମ ନେଇଥିଲେ। ସମାନ କାରଣରୁ ତା’ଭିତରୁ ୨ଟିଙ୍କର ମୃତ୍ୟୁ ହୋଇଥିଲା ଓ ବଞ୍ଚି ରହିଥିବା ଜିତ୍କୁ ମା'ଠାରୁ ଅଲଗା କରି ବଡ଼ କରାଯାଇଛି। ଅର୍ଥାତ୍ ନନ୍ଦନକାନନରେ ସିଂହସଂଖ୍ୟା କମି ମୃତ୍ୟୁ ବଢ଼ି ଚାଲିଥିବାବେଳେ ତଥା ସିଂହଜନ୍ମ ଏକପ୍ରକାର ବନ୍ଦ ହୋଇ ଯାଇଥିବାବେଳେ ନିଜ ମରଣ ପୂର୍ବରୁ କ୍ରିସ୍ ଦୁଇଟି ବଂଶଜଙ୍କୁ ଦେଇ ଯାଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ କ୍ରିସ୍ର ମୃତ୍ୟୁ ଘଟିବାପରେ ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ତା’ ଶବକୁ ଦାହକରିବା ସହିତ ତା’ର ଅବଦାନକୁ ମନେପକାଇ ତା’କୁ ଅନ୍ତିମ ବିଦାୟ ଦେଇଛନ୍ତି।