ଖନନ ବେଳେ ମିଳୁଛି ପ୍ରାଚୀନ କୀର୍ତ୍ତିରାଜି: ଏମାର ମଠରେ ସିଂହମୂର୍ତ୍ତି

କାହିଁକି ହେଲାନି ଜିପିଆର୍‌ଏସ୍‌ ଅନୁଧ୍ୟାନ: ପ୍ରତ୍ନତତ୍ତ୍ବବିତ୍‌ଙ୍କ ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବେଳେ ନଷ୍ଟ ହେଉଛି ମାଟିତଳେ ପୋତି ହୋଇରହିଥିବା ପ୍ରାଚୀନ କୀର୍ତ୍ତିରାଜି। ଜେସିବି ମାଡ଼ରେ ଖଣ୍ଡବିଖଣ୍ଡିତ ହୋଇଛି ଐତିହ୍ୟ ସମ୍ପନ୍ନ ପ୍ରତିମୂର୍ତ୍ତି। ଗତ ଏପ୍ରିଲ ୨୯ ତାରିଖରେ ଏମାର ମଠ ଖନନ ସ୍ଥଳରୁ ଏକ ଭଗ୍ନ ସିଂହ ମୂର୍ତ୍ତି ମିଳିଥିବା ଭାରତୀୟ ପ୍ରତ୍ନତତ୍ତ୍ବ ହାଇକୋର୍ଟଙ୍କୁ ଜଣାଇ ଉଦ୍‌ବେଗ ପ୍ରକାଶ କରିଥିଲା। ସୋମବାର ଦିନ ପୁଣିଥରେ ଆଉ ଦୁଇଟି ବହୁ ପ୍ରାଚୀନ ବିରାଟ ଭଗ୍ନ ସିଂହ ମୂର୍ତ୍ତି ଏମାର ମଠ ଖନନସ୍ଥଳରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।

ଦୁଇବର୍ଷ ତଳେ ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣରେ ବହୁପୁରୁଣା ଏମାର ମଠକୁ ଭଙ୍ଗାଯାଇଥିଲା। ନିକଟ ଅତୀତରେ ଏହି ସ୍ଥାନକୁ ଖୋଳାଯାଇଛି। ଏହିସ୍ଥାନରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର କରିବାକୁ‌ ଯୋଜନା କରାଯାଇଥିଲା। କିନ୍ତୁ ଜାଗା ଅଭାବ ପଡ଼ିବାରୁ ଏମାର ମଠ ଭାଙ୍ଗିବା ପରେ ଯେଉଁ ମୂଳମନ୍ଦିର ଓ ବାକି ଅଂଶ ବଳି ପଡ଼ିଥିଲା, କିଛିମାସ ତଳେ ଏଥିରୁ ଅଳ୍ପକିଛି ଜାଗାକୁ ଛାଡ଼ି ବାକି ଅଂଶକୁ ଭାଙ୍ଗି ଦିଆଯାଇଛି। ପରେ ଅଭ୍ୟର୍ଥନା କେନ୍ଦ୍ର ଘୁଞ୍ଚାଇବାକୁ ନିଷ୍ପତ୍ତି ‌ ହୋଇଥିଲେ ବି ଆଜି ଏହି ଖନନ ସ୍ଥଳରୁ ହିଁ ବିରାଟ ସିଂହମୂର୍ତ୍ତି ମିଳିଛି। ଯାହାର ଗୋଲେଇ ପ୍ରାୟ ୪ ଫୁଟ ଓ ଲମ୍ବା ପ୍ରାୟ ୫ ଫୁଟ ହେବ। ଏହି ମୂର୍ତ୍ତିର ଛାତିରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶ ଖନନସ୍ଥଳରେ ପଡ଼ିଥିବା ବେଳେ ବାକି ଅଂଶ ଏହାଠାରୁ ଅଳ୍ପକିଛି ଦୂରରେ ପଡ଼ିଛି। ସେହିଭଳି ଅନ୍ୟ ଏକ ସିଂହ ମୂର୍ତ୍ତି ମଧ୍ୟ ଏହା ପାଖରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ମୂର୍ତ୍ତିର କିଛି ଅଂଶ ମାଟିରେ ପୋତି ହୋଇ ରହିଥିବା ବେଳେ କିଛି ଅଂଶ ବାହାରକୁ ବାହାରି ରହିଛି। ମୁହଁ ଓ ଶରୀର ଅନ୍ୟାନ୍ୟ ଅଂଶ ସବୁ ନଷ୍ଟ ହୋଇଯାଇଥିବା ବେଳେ ମୂର୍ତ୍ତି ଗଠନ ଶୈଳୀରୁ ଏହା ବହୁ ପ୍ରାଚୀନ ବୋଲି ଅନୁମାନ କରାଯାଉଛି। ତେବେ ଏହି ମୂର୍ତ୍ତି ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କ ଦର୍ଶାଇଥିବା ମୂର୍ତ୍ତି କି ଭିନ୍ନ ମୂର୍ତ୍ତି ତାହା ସ୍ପଷ୍ଟ ହୋଇନି।

ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ଗବେଷକ ଅନୀଲ ଧୀର କହିଛନ୍ତି, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଖନନବେଳେ ବହୁ ସଂଖ୍ୟାରେ ଛୋଟ ଛୋଟ ପ୍ରାଚୀନ ମୂର୍ତ୍ତିର ସନ୍ଧାନ ମିଳିଥିଲା। ମାଟିତଳେ ଏକ ମନ୍ଦିର ଲୁଚି ରହିଥିବା ବି ବିଶ୍ବାସ ହେଉନଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବି ଏଭଳି ଅନେକ ଐତିହ୍ୟ କୀର୍ତ୍ତିରାଜି ରହିଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ। ଏମାର ମଠ ଖନନସ୍ଥଳରୁ ଆଜି ସିଂହ ମୂର୍ତ୍ତି ମିଳିବା ଏହାକୁ ପ୍ରମାଣିତ କରିଛି। ଏଣୁ ପ୍ରତ୍ନତତ୍ତ୍ବ ବିଭାଗ ନିଜ ତରଫରୁ ଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ପୁଲିସ ବି ନିଜ ତରଫରୁ ଅନୁଧ୍ୟାନ କରି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରି ଏହାର ସୁରକ୍ଷା କଥା ଚିନ୍ତା କରିବା କଥା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନିର୍ମାଣ ପୂର୍ବରୁ କାହିଁକି ଜିପିଆର୍‌ଏସ୍‌ (ଗ୍ରାଉଣ୍ଡ୍‌ ପେନିଟ୍ରେଟିଂ ରାଡାର ସର୍ଭେ) ଅନୁଧ୍ୟାନ କରାଗଲାନି ବୋଲି ପ୍ରତ୍ନତତ୍ତ୍ବବିତ୍‌ମାନେ ପ୍ରଶ୍ନ ଉଠାଇଲେଣି।

ସମ୍ବନ୍ଧିତ ଖବର