ସମ୍ବଲପୁର : ଗ୍ରାହକଙ୍କୁ ଗ୍ୟାସ ପାଇଁ ହନ୍ତସନ୍ତ କରୁଥିବା ସମ୍ବଲପୁରର ଆଉ ଏକ ପ୍ରମୁଖ ଗ୍ୟାସ ବିତରଣ ସଂସ୍ଥା ହେଲା ଲିପି ଗ୍ୟାସ୍‌ ସର୍ଭିସ। ଏହି ଇଣ୍ଡେନ ଗ୍ୟାସ୍‌ ବିତରକ ସଂସ୍ଥା ଉପରେ ବି ସହରର ବହୁ ଉପଭୋକ୍ତା ନିର୍ଭରଶୀଳ। ହେଲେ ପ୍ରତିଥର ସିଲିଣ୍ଡର ରିଫିଲ ପାଇଁ ଏହି ଗ୍ରାହକମାନଙ୍କୁ ନୟାନ୍ତ ହେବାକୁ ପଡ଼େ। ଏଠି ଗ୍ରାହକଙ୍କୁ ଗ୍ୟାସ ପାଇବା ପାଇଁ ସିଲିଣ୍ଡର ବୋହି ୫୩ ନମ୍ବର ଜାତୀୟ ରାଜପଥର ବ୍ୟସ୍ତ ବହୁଳ ଅଇଁଠାପାଲି ଛକ ପାରି ହୋଇ ସହର ଉପକଣ୍ଠ କାଇଁଶିର ରାସ୍ତାର କରମଟୋଲି ସ୍ଥିତ ସଂସ୍ଥାର କାର୍ଯ୍ୟାଳୟକୁ ପହଞ୍ଚିବାକୁ ହୁଏ। ଆପଣ ସକାଳ ୮ଟା ପୂର୍ବରୁ ଯେତେବେଳେ ପହଞ୍ଚିଲେ ବି ଦେଖିବେ ଆପଣଙ୍କ ପୂର୍ବରୁ ଆହୁରି ଅନେକ ଗ୍ରାହକ ସିଲିଣ୍ଡର ନେଇ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। କି ଶୀତ, କି ବର୍ଷା ସକାଳୁ ସକାଳୁ ମହିଳା, ବୟସ୍କ, ଭିନ୍ନକ୍ଷମଙ୍କ ସମେତ ସବୁ ବର୍ଗର ଲୋକେ ବନ୍ଦ ସଟର ସାମ୍‌ନାରେ ଧାଡ଼ି ଲଗାଇ ଥିବେ। ସମୟ ହେଲା ପରେ ଦୋକାନ ଖୋଲିବ। ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଧାଡ଼ିରେ ଛିଡ଼ା ହେଲା ପରେ ନିଜ ପାଳି ଆସିଲେ ଟଙ୍କା ଦେଇ ସିଲିଣ୍ଡର ବଦଳାଇବେ। କିଏ ସ୍କୁଟିରେ ଲଦି ତ କିଏ ମୋଟର ସାଇକଲରେ ବାନ୍ଧି ସିଲିଣ୍ଡର ବଦଳାଇବାକୁ ଆସନ୍ତି। ବହୁ ଲୋକଙ୍କୁ ରିକ୍‌ସା, ଅଟୋ ରିକ୍ସା ଆଦି ଭଡ଼ା କରି ସିଲିଣ୍ଡର ନେଇ ଆସିବାକୁ ପଡ଼େ। ଏଠାରେ ବି ଗ୍ୟାସ ସିଲିଣ୍ଡରଟିଏ ପାଇବା ପାଇଁ ଗୋଟିଏ ଓଳି ଲାଗିଯାଏ ଓ କର୍ମଜୀବୀ ଗ୍ରାହକଙ୍କୁ ଛୁଟି ନେବାକୁ ପଡ଼େ।

Advertisment

ଏହି ଗ୍ୟାସ୍‌ ସଂସ୍ଥାରେ ସହରର କିଛି ଅଞ୍ଚଳରେ ଗ୍ରାହକଙ୍କୁ ହୋମ ଡେଲିଭେରି ଦିଏ। ତେବେ ଏଭଳି ଭାଗ୍ୟବାନ ଗ୍ରାହକଙ୍କ ସଂଖ୍ୟା ଖୁବ କମ। ଯେଉଁ ମାନଙ୍କୁ ହୋମ ଡେଲିଭେରି ମିଳେ ବି ବୁକିଂର କେତେ ଦିନରେ ମିଳିବ କିଛି ଠିକ ନାହିଁ। କିଏ ସପ୍ତାହେ ପରେ ପାଏ ତ କିଏ ମାସେ ପରେ। ବୁକିଂ ପରେ ହୋମ ଡେଲିଭେରି ପାଇଁ ଅପେକ୍ଷା କଲେ କେତେବେଳେ ସିଲିଣ୍ଡର ଶେଷ ହୋଇଯିବ ଠିକଣା ନାହିଁ।

ଲିପି ଗ୍ୟାସରେ ବୁକିଂର ୧୫ ଦିନ ଭିତରେ ୫୦% ଗ୍ରାହକଙ୍କୁ ବି ନୂଆ ଭର୍ତ୍ତି ସିଲିଣ୍ଡର ଯୋଗାଇ ଦିଆଯାଉ ନାହିଁ। ଏହାର ସେବାକୁ ଅତ୍ୟନ୍ତ ଦୁର୍ବଳ ଶ୍ରେଣୀଭୁକ୍ତ କରିଛି ଖୋଦ ଇଣ୍ଡେନ ଗ୍ୟାସ୍‌ କମ୍ପାନି। ଗତ କ୍ୱାର୍ଟର ଅର୍ଥାତ ୨୦୧୭ ଅକ୍ଟୋବରରୁ ନଭେମ୍ବରର ପରିସଂଖ୍ୟାନ ନେଲେ ଏହି ବିତରକ ୭ ଦିନ ଭିତରେ ୩୭.୪% ଓ ୧୫ ଦିନ ମଧ୍ୟରେ ମାତ୍ର ୪୯.୫% ଗ୍ରାହକଙ୍କୁ ଗ୍ୟାସ୍‌ ଯୋଗାଇ ପାରିଛି। ଏମାନଙ୍କ ମଧ୍ୟରେ ବୁକିଂ ପରେ ଦୋକାନ ସାମନାରେ ଧାଡ଼ି ଲଗାଇ ସିଲିଣ୍ଡର ନେଉଥିବା ଗ୍ରାହକ ସିଂହ ଭାଗ। ଇଣ୍ଡେନର ତାରକା ରେଟିଂ ବ୍ୟବସ୍ଥା ନାହିଁ। ତେବେ ଏଚ୍‌ପିର ତାରକା ରେଟିଂ ନିୟମରେ ପକାଇଲେ ଲିପି ଗ୍ୟାସ୍‌ର ସେବା ଏକ ତାରକା ବା ଅତି ଦୁର୍ବଳ ମାନ୍ୟତା ପାଇବ। କାରଣ ନିୟମ ଅନୁଯାୟୀ ୮୫% ଗ୍ରାହକଙ୍କୁ ଗ୍ୟାସ୍‌ ଯୋଗାଇ ଦେବା ପାଇଁ ୮ ଦିନ ବା ଅଧିକ ସମୟ ନେଲେ ତାହା ଏକ ତାରକା ବା ଅତି ଖରାପ ରେଟିଂ ପାଇଥାଏ। ଏଠି ଲିପି ୧୫ ଦିନ ଭିତରେ ୫୦% ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଇ ପାରୁ ନଥିବାରୁ ତା’ତଳକୁ ଆଉ କୌଣସି ରେଟିଂ ଥିଲେ ବି ପାଇ ଥାଆନ୍ତା। ତେବେ ଏହା କେବଳ ଗୋଟିଏ କ୍ୱାର୍ଟରର ପ୍ରଦର୍ଶନ ନୁହେଁ। ୨୦୧୪ ମସିହାରୁ ଅନୁଧ୍ୟାନ କଲେ ପ୍ରାୟ ପ୍ରତ୍ୟେକ କ୍ୱାର୍ଟରରେ ଲିପିର ପ୍ରଦର୍ଶନ ଏହି ଭଳି ରହିଛି। ଲିପି ଗ୍ୟାସ୍‌କୁ ଫୋନ ସହଜରେ କେହି ଉଠାନ୍ତି ନାହିଁ। ଆମେ ସଂସ୍ଥାର ଲ୍ୟାଣ୍ଡ ଲାଇନ ଓ ମୋବାଇଲ ନମ୍ବରରେ ୩ ଦିନ ଧରି ବହୁବାର ରିଂ କରିଥିଲେ ବି କେହି ଫୋନ ଉଠାଇ ନଥିଲେ। ତେଣୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।