ଲିପିକା ପଟେଲ ଯୌତୁକ ନିର୍ଯାତନା: ମାମଲା ରୁଜୁରେ ସୀମିତ ପୁଲିସ କାର୍ଯ୍ୟାନୁଷ୍ଠାନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ବିଜୟ ଟକିଜ ରୋଡ୍ ଶ୍ରୀକୃଷ୍ଣ ବିହାରର ବିଭୂତି ଭୂଷଣ ପଟେଲ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ନାମରେ ପତ୍ନୀ ଲିପିକା ପଟେଲ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ୨୦୨୧ ନଭେମ୍ବର ୨୯ରେ ସ୍ବାମୀ ଶ୍ରୀ ପଟେଲଙ୍କ ସହ ଶାଶୂ ଜୀବେଶ୍ବରୀ ପଟେଲ, ଦେଢ଼ଶୁର ଚିନ୍ମୟ ପଟେଲ, ଯା’ ପ୍ରଗତି ପଟେଲ, ନଣନ୍ଦ ବିନିତା ପଟେଲଙ୍କ ନାମରେ ୪୯୮-ଏ, ୨୯୪, ୫୦୬, ୩୦୭, ୩୪, ଯୌତୁକ ନିର୍ଯାତନା ନିବାରଣ ଆଇନ ୧୯୬୧ର ଧାରା ୪ ଅନୁଯାୟୀ ମାମଲା ରୁଜୁ କରିଛି।

ତେବେ ଏହା ମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜୁରେ ଅଟକି ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଲିପିକା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଏମସିଏଲରେ ଜୁନିୟର କେମିଷ୍ଟ ଭାବେ କାର୍ଯ୍ୟରତ ବିଭୂତି ପଟେଲଙ୍କ ସହ ୨୦୧୪ ନଭେମ୍ବରରେ ତାଙ୍କର ବିବାହ ହୋଇଥିଲା। ବିବାହର ଲେଉଟାଣି ପରେ ସ୍ବାମୀ, ଶାଶୂ, ଶ୍ବଶୁର ଚାରି ଚକିଆ ଗାଡ଼ି ଓ ସୁନା ଦାବି କରିଥିଲେ। ଏଥିରେ ଲିପିକାଙ୍କ ବାପା ଅସମର୍ଥ ପ୍ରକାଶ କରିବାରୁ ତାଙ୍କୁ ସ୍ବାମୀ, ଶାଶୂ ଓ ପରିବାରର ଅନ୍ୟମାନେ ନିର୍ଯାତନା ଦେଇ ଚାଲିଲେ। ଏପରିକି ପୁଅଟେ ଜନ୍ମ ନେବା ପରେ ତା’ର ପିତୃତ୍ବକୁ ସନ୍ଦେହ କରି ମାଡ଼ପିଟ କରିଥିଲେ ସ୍ବାମୀ। ଏହା ପରେ ତାଙ୍କୁ ଛାଡ଼ପତ୍ର ଦେଇ ଦ୍ବିତୀୟ ବିବାହ କରିବାକୁ ପରିବାର ଲୋକେ ମସୁଧା ଚଲାଇଥିଲେ ବୋଲି ଲିପିକା ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ୨୦୧୯ରେ ଦିନେ ଦାବି ମୁତାବକ ଯୌତୁକ କାହିଁକି ଆଣୁନୁ କହି ସ୍ବାମୀ ବିଭୂତି ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ। ସେ କୌଣସି ପ୍ରକାରେ ସ୍ବାମୀ କବଳରୁ ମୁକୁଳି ପଳାଇଥିଲେ। ବାପା ବାରମ୍ବାର ବୁଝାଇବା ପରେ ମଧ୍ୟ ବିଭୂତି ଓ ତାଙ୍କ ପରିବାର ଯୌତୁକ ନିର୍ଯାତନା ଦେଇ ଚାଲିବାରୁ ସେ ୨ ବର୍ଷ ହେଲା ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା କାଳୀନଗରସ୍ଥିତ ବାପାଙ୍କ କ୍ବାଟର୍ସରେ ପୁଅ ସହ ରହୁଥିବା ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ଗତ ୨୦୨୦ ଜାନୁଆରି ୨୭ରେ ଝାରସୁଗୁଡ଼ା ଜିଲ୍ଲା କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। ଏହା ପରେ ମଧ୍ୟ ଏଠାକୁ ସ୍ବାମୀ ବିଭୂତି ଆସି ଜୀବନରେ ମାରିଦେବାର ଧମକ ଦେଉଥିବା ଲିପିକା ଏତଲାରେ ଉଲ୍ଲେଖ କରି ସ୍ବାମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର