କଟକ : ମଦ ଦୋକାନରେ ଧାର୍ଯ୍ୟ ଦର (ଏମ୍ଆର୍ପି)ଠାରୁ ଅଧିକ ମୂଲ୍ୟ ନିଆଯାଉଛି। ମଦ କିଣିଲେ ରସିଦ ଦିଆଯାଉନାହିଁ। ଅନ୍ୟ ରାଜ୍ୟରେ କିନ୍ତୁ ବିଦେଶୀ ମଦ କିଣିଲେ ଧାର୍ଯ୍ୟ ମୂଲ୍ୟ ଗ୍ରାହକଙ୍କଠାରୁ ଗ୍ରହଣ କରାଯାଇ ରସିଦ ପ୍ରଦାନ କରାଯାଉଛି। ଓଡ଼ିଶାରେ ବି ଅନୁରୂପ ଭାବେ ମଦ କିଣିଲେ ରସିଦ ଦେବାକୁ ଆବେଦନ କରି ଆଇନଜୀବୀ ଆଶୁତୋଷ ମହାନ୍ତଙ୍କ ପକ୍ଷରୁ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ଦର୍ଶାଇଥିଲେ ଯେ ନିକଟ ଅତୀତରେ ସେ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ। ସେଠାରେ ମଦ ଦୋକାନରେ ମଦ କିଣିଲେ ଗ୍ରାହକଙ୍କୁ ରସିଦ ପ୍ରଦାନ କରାଯାଉଛି। ମଦ ବୋତଲ ଉପରେ ଲେଖା ଥିବା ମୂଲ୍ୟ ଗ୍ରାହକଙ୍କ ନିକଟରୁ ନିଆଯାଉଛି। କିନ୍ତୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଦ ଦୋକାନରେ ଗ୍ରାହକଙ୍କ ଶୋଷଣ କରାଯାଉଛି। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ମୂଲ୍ୟ ମଦ ପାଇଁ ଅନେକ ସମୟରେ ନିଆଯାଉଛି। ମଦ କିଣିଲେ ରସିଦ ଦିଆଯାଉ ନାହିଁ। ରାଜ୍ୟ ଅବକାରୀ ନୀତିରେ ରସିଦ ପ୍ରଦାନ ବ୍ୟବସ୍ଥା ନଥିବା ବେଳେ ଗ୍ରାହକଙ୍କ ସୁବିଧା ପାଇଁ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ବୋଲି ସେ ଦର୍ଶାଇଥିଲେ। ଗ୍ରାହକ ଯେପରି ଶୋଷଣର ଶିକାର ନ ହେବେ ସେଥି ପାଇଁ ସଂଶୋଧନ ଅବକାରୀ ନୀତିରେ ଅଣାଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ଅବକାରୀ ସଚିବ, ଅବକାରୀ କମିସନର ଓ ରାଜ୍ୟ ପାନୀୟ ନିଗମକୁ ପକ୍ଷଭୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/li-1.jpg)