ଓଡ଼ିଶାରେ ୪୦ ପ୍ରତିଶତ ପୁରୁଷ ନିଶାଡ଼ି

ଭୁବନେଶ୍ୱର : ଓଡିଶାର ପାଖାପାଖି ୪୦ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି । ମଦ ସମେତ ଅନ୍ୟାନ୍ୟ ତମାଖୁ ସେବନ ଯୋଗୁଁ ଓଡିଶାରେ ନିଶାଡିଙ୍କ ହାର ଜାତୀୟ ହାର ଠାରୁ ଢେର ଅଧିକ । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୪ ର ତଥ୍ୟ ବିଶ୍ଲେଷଣରୁ ଏହା ଜଣାପଡିଛି ।

ରାଜ୍ୟରେ ପୁରୁଷଙ୍କ ମଧ୍ୟରୁ ୩୯.୩ ପ୍ରତିଶତ ମଦ ସମେତ ବିଭିନ୍ନ ପ୍ରକାରର ଆଲକହଲ୍‌ ସାମଗ୍ରୀ ସେବନ କରୁଥିବାବେଳେ ୫୫.୯ ପ୍ରତିଶତ ତମାଖୁ ବ୍ୟବହାରରେ ଅଭ୍ୟସ୍ତା ତେବେ ମହିଳାମାନଙ୍କ କ୍ଷେତ୍ରରେ ଏହି ହାର ଓଡିଶାରେ ଢେର କମ୍‌ ରହିଛି । ମହିଳାମାନଙ୍କ ମଧ୍ୟରେ ମାତ୍ର ୨.୪ ପ୍ରତିଶତ ମଦ ଓ ଅନ୍ୟାନ୍ୟ ଆଲକହଲ ସେବନ କରୁଥିବାବେଳେ ୧୭.୩ ପ୍ରତିଶତ ତମାଖୁ ନେଉଛନ୍ତି ।

ସର୍ବ ଭାରତୀୟ ସ୍ତରରେ ପୁରୁଷମାନଙ୍କ ମଧ୍ୟରେ ୨୯.୩ ପ୍ରତିଶତ ମଦସେବନ କରୁଥିବାବେଳେ ୪୪.୮ ପ୍ରତିଶତ ତମାଖୁ ସେବନକାରୀ । ୨୦୦୫-୦୬ର ସର୍ଭେ ତୁଳନାରେ ୨୦୧୫-୧୬ ବେଳକୁ ଏହି ହାର କମିଛି । ତେବେ ୨୦୧୫-୧୬ ବର୍ଷ ଲାଗି କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ-୪ ତଥ୍ୟରେ ଯାହା ଦର୍ଶାଯାଇଛି ସେଥିରୁ ଓଡିଶାରେ ମଦୁଆ ଓ ତମାଖୁ ସେବନକାରୀଙ୍କ ହାର ଜାତୀୟ ହାରଠାରୁ ଢେର ଅଧିକ ରହିଛି ।

ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ମହିଳାମାନଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିବା ସହିତ ଶିଶୁମୃତ୍ୟୁ ଓ ମାତୃମୃତ୍ୟୁ ହାର ବହୁ ପରିମାଣରେ ହ୍ରାସ ପାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୧ ବେଳକୁ ଦେଶରେ ମହିଳାଙ୍କ ହାରାହାରି ସନ୍ତାନ ସଂଖ୍ୟା ୩.୪ ଥିବାବେଳେ ଏବେ ତାହା କମି କମି ୨.୨. ରେ ପହଞ୍ଚିଛି। ସେହିଭଳି ଗତ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେ ବେଳକୁ ଡାକ୍ତରଖାନାରେ ମାତ୍ର ୩୫.୬ ପ୍ରତିଶତ ଶିଶୁ ଜନ୍ମ ନେଇଥିବାବେଳେ ଏବେ ଏହି ହାର ପ୍ରାୟ ୮୫.୪ ପ୍ରତିଶତ ରହିଛି।

ବିଭିନ୍ନ କିସମର ଟୀକାଦାନ କ୍ଷେତ୍ରରେ ମଧ୍ୟ ଓଡିଶାରେ ଢେର ପ୍ରଗତି ଲକ୍ଷ୍ୟ କରାଯାଉଛି । ଏହା ସତ୍ୱେ ବି ରାଜ୍ୟର ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମଧ୍ୟରେ ୩୪ ପ୍ରତିଶତଙ୍କର ଓଜନ ଢେର କମ୍‌ ରହୁଥିବା କୁହାଯାଉଛି। ପୁଷ୍ଟିହୀନତା ରୋକିବା କ୍ଷେତ୍ରରେ କିଛିଟା ପ୍ରଗତି ଆସିଥିଲେ ମଧ୍ୟ ଏହା ଏବେ ବି ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଓଡିଶାରେ ପୁରୁଷମାନଙ୍କ ମଧ୍ୟରେ ସାକ୍ଷରତା ହାର ୮୪.୩ ପ୍ରତିଶତ ଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ତାହା ୬୭.୪ ପ୍ରତିଶତ ରେକର୍ଡ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଓଡିଶାର ମହିଳାମାନେ ଏବେ ବି ଢେର ପଛରେ ରହିଛନ୍ତି । ଦଶବର୍ଷ କିମ୍ବା ତଦୁର୍ଦ୍ଧ ସମୟ ସ୍କୁଲରେ ବିତାଇଥିବା ମହିଳାଙ୍କ ହାର ଓଡିଶାରେ ଏବେ ୨୬.୭ ପ୍ରତିଶତରେ ସୀମିତ ରହିଛି। ସହରାଞ୍ଚଳରେ ଏହି ହାର ୪୩.୯ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ମାତ୍ର ୨୩ ପ୍ରତିଶତ ଥିବା ଉକ୍ତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର