ମଦ ପାଇଁ ସରକାରଙ୍କୁ ଘେରିଲେ, ବର୍ଷିଲେ ସାମାଜିକ ସଂଗଠନ, ବିରୋଧୀ

ଭୁବନେଶ୍ବର : ଅଧିକ ମଦ ଦୋକାନ ଖୋଲିବା ନେଇ ସରକାର ଆରମ୍ଭ କରିଥିବା ପ୍ରକ୍ରିୟାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ନେତା ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଦ ପ୍ରସାର ଉଦ୍ୟମକୁ ଓଡ଼ିଶା ମଦମୁକ୍ତି ଅଭିଯାନ ମଧ୍ୟ ଦୃଢ଼ ବିରୋଧ କରିଛି। ସଂଗଠନ କହିଛି, ରାଜ୍ୟ ସରକାର ତୁରନ୍ତ ଏଭଳି ଜନବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକ ବିଶେଷ କରି ମହିଳା ଓ ଶିଶୁମାନଙ୍କର ନିରାପତ୍ତା ଓ ସ୍ବାର୍ଥ ରକ୍ଷା ସଂପର୍କରେ ଚିନ୍ତା କରନ୍ତୁ। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ତୁରନ୍ତ ନିଶା ନିବାରଣ ଆଇନ୍‍କୁ ସଂଶୋଧନ ସହ କଡ଼ାକଡ଼ି ଭାବେ ଲାଗୁ କରାଯାଉ।

ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ବାଇଁ ଓ ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ନିଶା ସେବନର ଭୟାବହତା ଉପଲବ୍ଧି କରି ଓଡ଼ିଶା ସରକାର ୨୦୧୩ ଏପ୍ରିଲ୍‍ ମାସରେ ଯେଉଁ ରାଜ୍ୟ ଯୁବନୀତି ଘୋଷଣା କରିଥିଲେ ସେଥିରେ ମଦ ପ୍ରସାର ନେଇ ଗଭୀର ଉଦ୍‍ବେଗ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। କିନ୍ତୁ ଏ ମଧ୍ୟରେ ସରକାର ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରିପାରିନାହାନ୍ତି। ବରଂ ଅଧିକରୁ ଅଧିକ ଯୁବକ କିଭଳି ନିଶାଗ୍ରସ୍ତ ହେବେ ସେଥିପାଇଁ ବାଟ ଖୋଲୁଛନ୍ତି। ବିହାର ଭଳି ରାଜ୍ୟ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରି ବେଶ୍‍ ସଫଳତା ହାସଲ କରିଥିବା ବେଳେ ଏ ବର୍ଷ ଆନ୍ଧ୍ରପ୍ରଦେଶ ୬୦୦ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ କରି ପର୍ଯ୍ୟାୟ କ୍ରମେ ନିଜ ରାଜ୍ୟକୁ ନିଶାମୁକ୍ତ କରିବାକୁ ଯାଉଛନ୍ତି । କେରଳ, ଗୁଜୁରାଟ ନିଶା ନିବାରଣ ଉପରେ ଗୁରୁତ୍ବ ଦେଉଛନ୍ତି। ହେଲେ ଓଡ଼ିଶା ନିଶା ପ୍ରସାରଣରେ ମାତିଥିବାରୁ ଏହା ଏବେ ବି ଦେଶର ଅନ୍ୟତମ ପଛୁଆ ରାଜ୍ୟ ହୋଇ ରହିଛି େବାଲି ସଂଗଠନ ଅଭିେଯାଗ କରିଛି।

ସମାଜସେବୀମାନେ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ମହୁଲି ଓ ଦେଶୀ ମଦ ନିଷିଦ୍ଧ କରାଯିବା ସଙ୍ଗେ ସଙ୍ଗେ ବିଦେଶୀ ମଦ ଉପରେ କଟକଣା ରହୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ମହୁଲି ଓ ଦେଶୀ ମଦ ପ୍ରଚଳନ ସହିତ ବିଦେଶୀ ମଦର ଲଗାମଛଡ଼ା ପ୍ରସାର କରୁଛନ୍ତି। ୨୦୦୦-୦୧ ବର୍ଷ ବେଳକୁ ଓଡ଼ିଶାର ଅବକାରୀ ରାଜସ୍ବ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଗତବର୍ଷ ଏହା ୩,୯୨୫ କୋଟି ୪୧ ଲକ୍ଷ ଟଙ୍କାରେ ପହଞ୍ଚିଛି ଓ ଏ ବର୍ଷ ସରକାର ଏଥିରୁ ୪,୬୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମଦର ପ୍ରସାର ଯୋଗୁଁ ଓଡ଼ିଶାରେ ବଳାତ୍କାର ସମେତ ଜଘନ୍ୟ ମହିଳା ବିରୋଧୀ ହିଂସା ଅପରାଧମାନ ବଢ଼ିବାରେ ଲାଗିଛି। ଏଥିଯୋଗୁ ଆଇନ୍‍ ଶୃଙ୍ଖଳା ଅବସ୍ଥା ବିଗିଡ଼ିବା ସଙ୍ଗେ ସଙ୍ଗେ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ରୋଗବ୍ୟାଧି ବଢ଼ୁଛି। ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ନିରାପତ୍ତା ଯୋଜନାରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁନାହିଁ। ମୋଟାମୋଟି ଭାବେ ନିଶାରୁ ସରକାର ଯେତେ ରାଜସ୍ୱ ପାଉଛନ୍ତି ବ୍ୟକ୍ତି, ପରିବାର, ସମାଜ ଓ ସରକାର ଏ ବାବଦରେ ତାହାର ଢେର୍‍ ଅଧିକ ଗୁଣା କ୍ଷତି ଭରଣା କରୁଛନ୍ତି। ନିଶା ସମସ୍ୟାରେ ଅତିଷ୍ଠ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ଦଳମତ ନିର୍ବିଶେଷରେ ମହିଳାମାନେ ରାଜରାସ୍ତାକୁ ଆସି ନିଶା ନିବାରଣ ପାଇଁ ଦାବି କରୁଥିବା ବେଳେ ସରକାରଙ୍କୁ କାହିଁକି ନିଶା ପ୍ରସାରଣ ଚିନ୍ତା ଘାରିଛି େବାଲି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ରାଜ୍ୟରେ ମଦ ବନ୍ୟା ହେବ ବୋଲି କଂଗ୍ରେସ ଓ ବିଜେପି କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଆଉ କିଛି ଦିନ ପରେ ଓଭର ଡ୍ରାପ୍ଟ ସ୍ଥିତିକୁ ଆସିଯିବ। ସେଥିପାଇଁ ମୁକୁଳିବା ପାଇଁ ରାଜ୍ୟ ସରକାର ନୂଆ ମଦ ଭାଟି ଖୋଲି ରାଜସ୍ବ ବଢ଼ାଇବାକୁ ଚାହୁଁଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଗୋଟିଏ ମଦ ଦୋକାନ ଖୋଲିଲେ ଭିତିରିଆ ଭାବେ ସରକାରଙ୍କୁ ୧୦ରୁ ୨୦ ଲକ୍ଷ ଟଙ୍କା ମିଳିବ। ଏ ସରକାର ଚାହୁଁଛି ମଦ ପିଇ ଗରିବ, ଖଟିଖିଆ, ଆଦିବାସୀ ଓ ଦଳିତମାନେ ମରିଯାଆନ୍ତୁ। ସେହିଭଳି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ଅଧିକ ମଦ ଦୋକାନ ଖୋଲିବା ଦ୍ବାରା ଲାଭ ଓ କ୍ଷତି କେତେ ହେଉଛି, ତାହା ଉପରେ ତର୍ଜମା କରାଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର