ରାଉରକେଲା : ସହରରେ ନକଲି ବିଦେଶୀ ମଦ ପରି ଦେଶୀ ମଦ କାରବାର ମଧ୍ୟ କମୁନି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରୁ ଦୈନିକ ଶହ ଶହ ଲିଟର ଦେଶୀ ମଦ ଗଳାବାଟ ଦେଇ ରାଉରକେଲାକୁ ଆସୁଛି। ଆଜି ଅବକାରୀ ପୁଲିସ ଆମ୍ବେଦର ଛକରୁ ଦେଶୀ ମଦ ବୋଝେଇ ଅଟୋକୁ ଜବତ କରିବା ସହ ବେପାରୀକୁ ଗିରଫ କରିଛି। ଜବତ ଅଟୋରୁ ପୁଲିସ ୨୦୦ ଲିଟରରୁ ଅଧିକ ମଦ ଜବତ କରିଛି। ଗିରଫ ବେପାରୀ ଜଣକ ‌ହେଲେ ରାଜଗାଙ୍ଗପୁରର ମହମ୍ମଦ ସୋହେବ। ରାଜଗାଙ୍ଗପୁରରୁ ମଦ ବୋଝେଇ ଏକ ଅଟୋ ରାଉରକେଲା ଆସୁଥିବା ସୂଚନା ପାଇ ଅବକାରୀ ପୁଲିସ ଉଦିତନଗର ଆମ୍ବେଦକର ଛକରେ ‌ଅଟୋ ଯାଞ୍ଚକୁ କଡ଼ାକଡି କରିଥିଲା।

Advertisment

ଉଲ୍ଲେଖଯୋଗ୍ୟ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁରେ ଦୈନିକ ଦେଶୀ ମଦ ପ୍ରସ୍ତୁତି ହେଉଛି। ନକ୍ସଲ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ସ୍ଥାନୀୟ ପୁଲିସ ସେଠାକୁ ଯିବାକୁ ଭୟ କରୁଛନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି କିଛି ‌ମଦ ବେପାରୀ। ବାରମ୍ବାର ଚଢ଼ଉ ହେଉଥିଲେ ହେଁ ବେପାରୀମାନେ ପୁଲିସ୍‌କୁ ଚକ୍‌ମା ଦେଇ ବର୍ଷ ବର୍ଷ ଧରି ଏଭଳି ବେଆଇନ କାରବାର ଚଳାଇ ଆସୁଛନ୍ତି।