ବରଗଡ଼: ବରଗଡ଼ରେ ଅବକାରୀ ଟିମ୍ ଉପରକୁ ମଦ ମାଫିଆ ଆକ୍ରମଣ କରିଛନ୍ତି। ଏଥିରେ ରାଜେଶ ରାଉତ ନାମକ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ବରଗଡ଼ ଟାଉନ ଥାନାରେ ଅବକାରୀ ସବ୍ଇନ୍ସପେକ୍ଟର ସ୍ୱପ୍ନାରାଣୀ ଟେଟେଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ନରେଶ ବେହେରା ଓ ତାଙ୍କ ପତ୍ନୀ ରୀତା ବେହେରାଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ଅନୁସାରେ, ଏସ୍ଆଇ ସ୍ୱପ୍ନାରାଣୀ ଟେଟେଙ୍କ ନେତୃତ୍ୱରେ କନେଷ୍ଟବଳ ବିନୋଦ ତିର୍କି, ସରସ୍ୱତୀ ବନ୍ଛୋର, ଚନ୍ଦ୍ରକାନ୍ତ ଭୋଇ, ରାଜେଶ ରାଉତ ପ୍ରମୁଖ ଆଜି ବେଆଇନ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିଲେ। କଟାପାଲିଠାରେ ଜଣେ ବ୍ୟକ୍ତି ଏକ ଅଲ୍ଟୋ କାର୍ରେ ଦେଶୀ ରନ୍ଧାମଦ ଚୋରାଚାଲାଣ କରିବା ନେଇ ଅବକାରୀ ଟିମ୍କୁ ଖବର ମିଳିଥିଲା। ଏହା ପରେ ଟିମ୍ କଟାପାଲି ଯାଇ ଗାଡ଼ି ଯାଞ୍ଚ କରିବାକୁ ଚେଷ୍ଟା କରିବା ସମୟରେ ରୀତା ବେହେରା ମନା କରିବା ସହ ବିରୋଧ କରିଥିଲେ।
ଅବକାରୀ ଟିମ୍ ଗାଡ଼ିରୁ ମଦ ଜବତ କରିବା ବେଳେ ହଠାତ ନରେଶ ବେହେରା ଓ ତାଙ୍କ ପୁଅ ସହଦେବ ଟାଙ୍ଗିଆରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ସହ ଆଉ କେତେଜଣ ସହ ମିଶି ଅବକାରୀ ଟିମ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଅବକାରୀ କର୍ମଚାରୀମାନେ ଗାଡ଼ିରେ ବସି ଗାଁରୁ ବାହାରକୁ ଆସିବା ସମୟରେ ମଦ ମାଫିଆ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ (ଓଡି୦୫ ବିଆର୍-୩୬୮୭) ଗାଡ଼ିର ପଛପଟ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଏହି ଆକ୍ରମଣରେ କନେଷ୍ଟବଳ ରାଜେଶଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଛି। ପୁଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି।