ବେଳାଭୂମିରେ ମଦ ଦୋକାନ ନିଷ୍ପତ୍ତିକୁ ବିରୋଧ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମିର ୨୦ଟି ସ୍ଥାନରେ ମଦ କୁଟିର/ଦୋକାନ ଖୋଲିବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ତଳସାର ଉଦୟପୁର ଓ ଚାନ୍ଦିପୁର, ଜଗସତସିଂହପୁର ଜିଲ୍ଲାର ପାରାଦ୍ୱୀପ ଠାରେ ୩ଟି ଲେଖାଏ, ପୁରୀ କୋଣାର୍କ ବେଳାଭୂମି ଠାରେ ୫ଟି, ଗଞ୍ଜାମ ଜିଲ୍ଲାର ଗୋପାଲୁର ଠାରେ ୫ଟି ଓ ପାତିସୋନେପୁର ଠାରେ ୨ଟି ମଦ ଦୋକାନ ଖୋଲିବା ପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ସେପ୍ଟେମ୍ବର ୨୧ରେ ଟେଣ୍ଡର ଆହ୍ବାନ କରାଯାଇଛି। ଲାଇସେନ୍ସ ଫି ବାବଦକୁ ପୁରୀ କୋଣାର୍କ ବେଳାଭୂମି ମଦ ଦୋକାନ ପାଇଁ ବାର୍ଷିକ ଦେଢ ଲକ୍ଷ, ଗୋପାଳପୁର ଲାଗି ୧ଲକ୍ଷ, ବାଲେଶ୍ୱର, ପାରାଦ୍ୱୀପ ଓ ପାତିସୋନପୁର ପାଇଁ ୭୫ହଜାର ଟଙ୍କା ଲେଖାଏ ଆଦାୟ କରାଯିବ। ସେହିପରି ୟୁଜର ଫି ବାବଦକୁ ପ୍ରତ୍ୟେକ ମଦ ଦୋକାନରୁ ୧ଲକ୍ଷ ଟଙ୍କା ଆଦାୟ କରାଯିବ। ବେଳାଭୂମିରେ ପ୍ରତି ଦୋକାନକୁ ସ୍ଥାନ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ ବୋଲି ଜଣା ପଡିଛି।

ଅବକାରୀ ବିଭାଗ ତରଫରୁ ଗୋପାଳପୁର ଠାରେ ୩ଟି ବିଦେଶୀ ମଦ ଦୋକାନ, ପୁରୀ ଓ କୋଣାର୍କ ଠାରେ ୧୦ ରୁ ଅଧିକ ବିଦେଶୀ ମଦ ଦୋକାନ, ପାରାଦ୍ୱୀପ ଠାରେ ୫ଟି ବିଦେଶୀ ମଦ ଦୋକାନ ରହିବା ସହିତ ପ୍ରତି ସାହି ଓ ପଡାରେ ମଦ ଦୋକାନ ପାଇଁ ଲାଇସେନ୍ସ ଦିଆଯାଇଛି। ନାରୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଅପରାଧିକ ଘଟଣା ରାଜ୍ୟରେ ଚିନ୍ତା ବଢାଇଥିବା ବେଳେ ସମୁଦ୍ର ବେଳାଭୂମିରେ ଯଦି ମଦ ଦୋକାନ ପାଇଁ ଅନୁମତି ଦିଆଯାଏ ତେବେ ଏପରି ଅପରାଧିକ ଘଟଣା ଅଧିକ ବଢିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନାଁରେ ପରୋକ୍ଷରେ ପର୍ଯ୍ୟଟନ ବ୍ୟବସାୟର କ୍ଷତି ସାଧନ ହେବ। ପର୍ଯ୍ୟଟକ ଓ ଜନସାଧାରଣ ସମୁଦ୍ର ବେଳାଭୂମିରେ ଅଧିକ ଅସୁରକ୍ଷିତ ହୋଇ ପଡିବେ। ବେଳାଭୂମିରେ ମଦ ଦୋକାନ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ନିର୍ଦ୍ଦେଶକ, ଗଞ୍ଜାମ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର