ଲଟେରି ଜରିଆରେ ମିଳିବ ମଦ ଦୋକାନ ଲାଇସେନ୍‌ସ : ନିଲାମକୁ ପଛଘୁଞ୍ଚା କାହିଁକି?

ଭୁବନେଶ୍ବର : ୨୦୦୫ ମସିହାରୁ ରାଜ୍ୟରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନଗୁଡ଼ିକ ଲାଇସେନ୍‌ସ୍‌ ନବୀକରଣ ହୋଇ ଆସୁଥିଲା। ଅବକାରୀ ରାଜସ୍ବ ବୃଦ୍ଧି କରିବା ପାଇଁ ସରକାର ବର୍ତ୍ତମାନ ଲଟେରି କରି ନୂଆ ଲାଇସେନ୍‌ସ୍‌ ପ୍ରଦାନ କରିବେ। ଧାର୍ଯ୍ୟ ଲାଇସେନ୍ସ ଫି’ର ୨୦ ପ୍ରତିଶତ ବଢ଼ାଇ ଏହି ଲଟେରି କରାଯିବ। ଏ ନେଇ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଅବକାରୀ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଅନ୍ୟପଟେ ସରକାର ସ୍ବଚ୍ଛତା କଥା କହୁଥିବା ବେଳେ ମଦ ଲାଇସେନ୍‌ସ ପାଇଁ କାହିଁକି ଓ କେଉଁ ପରିସ୍ଥିତିରେ ନିଲାମ ପ୍ରକ୍ରିୟାକୁ ସରକାର ଏଡ଼ାଇଗଲେ, ତାହା ବିଭିନ୍ନ ମହଲରେ ପ୍ରଶ୍ନ ଉଠାଇଲାଣି।

ଚିଠିରେ ଶ୍ରୀ ଲୋହାନୀ ଜଣାଇଛନ୍ତି, ୧୫ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ୧୦ ପ୍ରତିଶତ ବର୍ଦ୍ଧିତ ଦରରେ ନବୀକରଣ କରାଯାଉଥିବା ବେଳେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଚାହିଛନ୍ତି। ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥାରୁ ଠିପି ଖୋଲା ଦୋକାନକୁ ବାଦ୍‌ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ପୁରୁଣା ବ୍ୟବସାୟୀଙ୍କ ସମେତ ନୂଆ ବେପାରୀଙ୍କୁ ମଧ୍ୟ ସୁଯୋଗ ରହିବ। ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ। ଲଟେରିରେ ନାମ ଆସିଲେ ମଦ ଦୋକାନ ଲାଇସେନ୍ସ ମିଳିବ। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି କୁହାଯାଇଛି।

ଏହା ସହିତ ଚଳିତ ବର୍ଷ ସମସ୍ତ ବିଦେଶୀ ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସ ଫି ୨୦ ପ୍ରତିଶତ ଓ ୫ ପ୍ରତିଶତ ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟିଡ୍‌ କୋଟା) ବୃଦ୍ଧି କରିବା ପାଇଁ ସରକାର ସ୍ଥିର କରିଛନ୍ତି। ତେବେ ଏହି ବର୍ଦ୍ଧିତ ଦରରୁ ଦେଶୀ ମଦ ଦୋକାନଗୁଡ଼ିକୁ ବାଦ୍‌ ଦିଆଯାଇଛି। ଏହି ସବୁ ନୂଆ ବ୍ୟବସାୟୀଙ୍କ ଲାଇସେନ୍ସ ଅବଧି ୫ ବର୍ଷ ପର୍ଯ୍ୟନ୍ତ ରହିବ। ନୂଆକରି ହେଉଥିବା ଏହି ବ୍ୟବସ୍ଥାକୁ ବିବାଦମୁକ୍ତ କରିବାକୁ ଲଟେରି ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ, ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସରକାର ମଦ ଦୋକାନଗୁଡ଼ିକର ଲାଇସେନ୍ସ ଫି’ର ୧୦ ପ୍ରତିଶତ ବଢ଼ାଇ ସରକାର ପୁରୁଣା ବ୍ୟବସାୟୀଙ୍କ ନାମରେ ଲାଇସେନ୍ସ ନବୀକରଣ କରନ୍ତି। କିନ୍ତୁ ବାସ୍ତବରେ ପ୍ରତ୍ୟେକ ବର୍ଷ ବେପାର ୧୦ରୁ ୧୫ ଗୁଣରେ ବଢ଼ିଥାଏ। ପୁରୁଣା ବ୍ୟବସ୍ଥା ଯୋଗୁ ୨୦୦୫ ମସିହା ପର ଠାରୁ ନୂଆ ବ୍ୟବସାୟୀ ଏହି ବ୍ୟବସାୟରେ ପଶି ପାରୁନଥିଲେ। କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ନିଜ ନାମରେ ଏକାଧିକ ଲାଇସେନ୍ସ କରି ଏକଚାଟିଆ ବେପାର କରୁଥିଲେ। ଏମ୍‌ଆରପି ଠାରୁ ଅଧିକ ଦରରେ ମଦ ବିକିବା ସହ ରାତି ଅଧିଆ ବେପାର କରି ମାଲାମାଲ ହେଉଥିଲେ। ଅନେକ କ୍ଷେତ୍ରରେ ଗୁଣ୍ଡାଗିରି କରି କେତେକ ବ୍ୟବସାୟୀଙ୍କୁ ଏହି ବେପାରରୁ ହଟାଇ ଦେଉଥିବା ଅଭିଯୋଗ ମଧ୍ୟ ରହିଥିଲା। ଦୋକାନୀ ଛାଡ଼ିବା ପରେ ଏଥିପାଇଁ ସରକାର ନୂଆ ବ୍ୟବସାୟୀ ସ୍ଥିର କରୁନଥିଲେ ବରଂ ପୁରୁଣା ବ୍ୟବସାୟୀ ନିଜ ଇଚ୍ଛାରେ ଯାହାକୁ ଚାହୁଥିଲା ତା’ ନାମରେ ଲାଇସେନ୍ସ କରି ଦେଉଥିଲା। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିଲା; ଯେଉଁଥିରେ କେବଳ କେତେକ ଅସାଧୁ ଅଫିସରଙ୍କ ସମେତ ସମ୍ପୃକ୍ତ ବ୍ୟବସାୟୀ ମାଲାମାଲ ହେଉଥିଲେ। ଏ ସବୁକୁ ନଜରରେ ରଖି ସରକାର ଏହି ବେପାରକୁ ବ୍ୟବସ୍ଥିତ କରିବାକୁ ଯାଉଛନ୍ତି। ତେବେ ଲଟେରି କଥା ଶୁଣି କେତେକ ପୁରୁଣା ବ୍ୟବସାୟୀଙ୍କ ନିଦ ହଜିଛି।

ଉଲ୍ଲେଖନୀୟ, ରାଜ୍ୟରେ ୧୧୧୦ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ୧୯୦ଟି ଦେଶୀ ମଦ ଦୋକାନ ରହିଛି। ଏହି ସବୁ ମଦ ଦୋକାନଗୁଡ଼ିକର ଲାଇସେନ୍ସ ନବୀକରଣ ଲଟେରି ଜରିଆରେ କରିବାକୁ ଯୋଜନା କରିଛନ୍ତି। ଏହି ସବୁ ଦୋକାନଗୁଡ଼ିକୁ ସରକାର ରାଜ୍ୟ ପାନୀୟ ନିଗମ(ଓଏସ୍‌ବିସି) ଜରିଆରେ ମଦ ଯୋଗାଉଛନ୍ତି। ଗତବର୍ଷ ସରକାର ୨୬୨ କୋଟି ୭୯ ଲକ୍ଷ ୯୬ ହଜାର ୨୫୪ ଟଙ୍କାର ମଦ ବିକ୍ରି କରିଥିବା ବେଳେ ଚଳିତବର୍ଷ ବ୍ୟବସାୟ କରୋନା ଯୋଗୁ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର