ମଣିଷ ଜୀବନ ମୂଲ୍ୟରେ ବି ପାତରଅନ୍ତର?

କରୋନା ପାଇଁ ଅଧିକ, ମଦ ପାଇଁ କମ୍ କାହିଁକି?

ଗାନ୍ଧୀଙ୍କ ଆଦର୍ଶରେ ଯାଉଛନ୍ତି, ନିଶା ନିବାରଣକୁ ଡର
ହଜାର ସଂଖ୍ୟାରେ ଜୀବନ ଯାଉଛି, ଉଜାଡ଼ୁଛି ପରିବାର

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ) : ଜୀବନ କେତେ ମୂଲ୍ୟବାନ, ସେକଥା ସରକାର ଭାବିଛନ୍ତି ବୋଲି କରୋନା ମୁକାବିଲା ପାଇଁ ଦିନରାତି ଏକ କରିଦେଇଛନ୍ତି। ସମଗ୍ର ପ୍ରଶାସନ ଲାଗିଛି, ଅଜସ୍ର ଅର୍ଥ ବି ଖର୍ଚ୍ଚ କରାଯାଉଛି। କେତେ କଟକଣା, କେତେ ନିଷ୍ପତ୍ତି ହେଉଛି। ଓଡ଼ିଶା ସରକାରଙ୍କ ଏଭଳି ପାରଦର୍ଶିତା ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ରାଜ୍ୟ ଭିତରେ ଏବଂ ବାହାରେ ବି।

ତେବେ ଯେଉଁ ମଣିଷର ଜୀବନକୁ ସରକାର ଏତେ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରୁଛନ୍ତି, ସେହି ମଣିଷ ମଧ୍ୟରେ ଏମିତି ବି ଲୋକଟିଏ ଅଛି ଯିଏ କି ଜଣେ ମଦ୍ୟପ ଗାଡ଼ିଚାଳକ ପାଇଁ ମୃତ୍ୟୁର ଶିକାର ହେଉଛି। ସେ ମଣିଷର ଜୀବନ କଣ ମୂଲ୍ୟହୀନ? ଯେଉଁ ବ୍ୟକ୍ତି ମଦ୍ୟପାନ କରି ନିଜ ସ୍ତ୍ରୀ, ପିଲାଙ୍କୁ ଅକଥନୀୟ ଯନ୍ତ୍ରଣା ଭିତରକୁ ଠେଲି ଦେଉଛି, ସ୍ଥଳ ବିଶେଷରେ ସେମାନଙ୍କୁ ହତ୍ୟା କରୁଛି ବା ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି, ଏଭଳି ପରିବାର କଣ ଦେଶ ପାଇଁ ବୋଝ?

ଯଦି ହଁ, ତେବେ ମଦ ଦୋକାନ ଖୋଲାଯାଉ। ସରକାର ମଦର ରାଜସ୍ବକୁ ବହୁଗୁଣିତ କରନ୍ତୁ। ଯଦି ନା, ତେବେ କରୋନା ପାଇଁ ଯେଭଳି ଲକ୍‌ଡାଉନ୍, ସଟ୍‌ଡାଉନ୍ ଭଳି ଅତ୍ୟନ୍ତ କଠୋର ନିଷ୍ପତ୍ତି ସରକାର ନେଇପାରୁଛନ୍ତି, ସେମିତି ମଦ ଦୋକାନର ସ୍ଥାୟୀ ସଟ୍‌ଡାଉନ୍ କରାଯାଇପାରିବ ନାହିଁ କାହିଁକି?

ଆଜି ଏଭଳି ଅନେକ ପ୍ରଶ୍ନ ସମାଜର ପ୍ରାୟ ସବୁ ବର୍ଗଙ୍କୁ ଆନ୍ଦୋଳିତ କଲାଣି। କରୋନା କାରଣରୁ ସମାଜର ପ୍ରତିଟି କ୍ଷେତ୍ରର ଲୋକଙ୍କ ଜୀବନ ଜୀବିକା ଯେତେବେଳେ ବାଜିରେ ଲାଗିଛି, ସେତେବେଳେ ସରକାର ମଦ ଦୋକାନ ଆଉ ଖୋଲି‌େବନି ବୋଲି ମୁକ୍ତ ଘୋଷଣା କରିବା ଲାଗି ସାହସ କରିପାରୁ ନାହାନ୍ତି। ଅବକାରୀ କ୍ଷେତ୍ରରୁ ଯେଉଁ ରାଜସ୍ବ ଆସୁଛି ସେଥିରେ ଭିତ୍ତିଭୂମି, ଯୋଗାଣ ଆଦି ଖର୍ଚ୍ଚ ଯାଇ ମାତ୍ର ଦୁଇ ତିନି ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଯାଉଛି। କିନ୍ତୁ ନିଶା ଯୋଗୁଁ ତାଠାରୁ ଢେର୍ ଅଧିକ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଉଛି। ଦେଢ଼ଲକ୍ଷ କୋଟିର ବଜେଟ୍ ପ୍ରସ୍ତୁତ କରି ସରକାର ବାହାବା ଗୋଟାଉଛନ୍ତି, ଅଥଚ ଏତିକି ରାଜସ୍ବ ଆଦାୟ ଲାଗି ବିକଳ୍ପ ବାଟ ଖୋଲି ପାରୁନାହାନ୍ତି କାହିଁକି?

ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫୪ ହଜାର ଲୋକଙ୍କର ପ୍ରାଣହାନି ଘଟିଛି। ପାଖାପାଖି ସେତିକି ଲୋକ ହାତ, ଗୋଡ ହରାଇ ବିକଳାଙ୍ଗ ହୋଇଛନ୍ତି। କିନ୍ତୁ ଉଦବେଗର ବିଷୟ ହେଲା ଯେ ୬୦% ଦୁର୍ଘଟଣା ପଛର କାରଣ ହେଉଛି ନିଶାଜନିତ। ଅର୍ଥାତ୍ ଏହି ସମୟରେ ନିଶା କାରଣରୁ ପ୍ରାୟ ୩୨ ହଜାର ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ବାର୍ଷିକ ପ୍ରାୟ ୨୬୦୦ରୁ ଅଧିକ ଓ ଦିନକୁ ପ୍ରାୟ ୭ରୁ ଅଧିକ ଜୀବନହାନି ଘଟୁଛି।

ଆହୁରି ଗୋଟିଏ ବେସରକାରୀ ସର୍ଭେ କହୁଛି ଯେ ରାଜ୍ୟରେ ବିଭିନ୍ନ ଜେଲରେ ଯେତିକି ଅପରାଧୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୮୨% ହେଉଛନ୍ତି ନିଶାସକ୍ତ। ବିଭିନ୍ନ ଜେଲ୍ ଚଢଉ ବେଳେ ଏ ପ୍ରମାଣ ସରକାର ପାଇଛନ୍ତି। ଅର୍ଥାତ୍ ଅପରାଧ ପଛରେ ବି ନିଶା ଏକ ଅନ୍ୟତମ କାରଣ।

ସବୁଠୁ ସାଂଘାତିକ କଥା ହେଲା ସରକାର ମଦ ଦୋକାନ ପାଇଁ ନିଷ୍ପତ୍ତି ନ ନେଇ ଯେମିତି ଏକ ସମ୍ବେଦନଶୀଳ ବର୍ଗକୁ ବାରମ୍ବାର ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି, ଠିକ୍ ସେମିତି ଅବକାରୀ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ନିଷ୍ପତ୍ତିରୁ ଦୂରେଇ ରହି ବେଆଇନ କାରବାରକୁ ବି ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ସରକାରୀ ପରିସଂଖ୍ୟାନ ହିଁ ଏମିତି ସୂଚାଉଛି। ୨୦୧୪-୧୫ରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୪.୫୯% ଥିଲା। ୨୦୧୫-୧୬ରେ ୦.୩୬% (ଏକ ପ୍ରତିଶତରୁ ବି କମ୍), ୨୦୧୬-୧୭ରେ ୩.୪୫%, ୨୦୧୭-୧୮ରେ ୩.୬୨%। ୨୦୧୭-୧୮ରେ ୨୩ଟି ଜିଲ୍ଲାରେ ଅବକାରୀ ମାମଲାରେ ଗିରଫ ହୋଇଥିବା କୌଣସି ଜଣେ ବି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିନାହିଁ। ୨୦୧୪-୧୫ରେ ବି ୨୧ ଜିଲ୍ଲାରେ ଏମିତି ସ୍ଥିତି ଥିଲା।

ଅର୍ଥନୀତି ଓ ସାମାଜିକ ବିଶେଷଜ୍ଞମାନେ କହୁଛନ୍ତି ଯେ ସରକାରଙ୍କର ସ୍ବାସ୍ଥ୍ୟ, ପୁଷ୍ଟିକର, ସାମାଜିକ ନିରାପତ୍ତା ତଥା ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୋଜନା ବାଟବଣା ହେବା ପଛରେ ବି ନିଶା ଏକ କାରଣ। ଯେହେତୁ ସାମାଜିକ ଅଡିଟ୍ ବ୍ୟବସ୍ଥା ଦିଗରେ ସରକାରୀ ଅଫିସରଙ୍କ ଆଗ୍ରହ ନାହିଁ, ଏଣୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ସରକାରୀ ରାଜସ୍ବ ପାଣିରେ ପଡିଲେ ବି ଏହା ବିଚଳିତ କରିପାରୁନି।

୧୯୬୦ ମସିହାରେ ବିଚାରପତି ଟେକଚାନ୍ଦ କମିଟି କହିଥିଲେ ଯେ ନିଶା ବା ଅବକାରୀ ସୂତ୍ରରୁ ଗୋଟିଏ ଟଙ୍କା ଆୟ କରାଯାଉଥିବା ବେଳେ ବ୍ୟକ୍ତି, ପରିବାର, ରାଜ୍ୟ ଓ ସମାଜକୁ ଏଥିପାଇଁ ପ୍ରାୟ ୧୦୦ ଟଙ୍କା ହରାଇବାକୁ ପଡ଼ୁଛି। ଏହି ରିପୋର୍ଟକୁ ବିଶ୍ବାସ କଲେ, ୨୦୧୮-୧୯ରେ ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ବ ଥିଲା ୩୯୨୫ କୋଟି ଟଙ୍କା। ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ପ୍ରାୟ ୪ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

ନିଶା ଯୋଗୁଁ ସାମାଜିକ କ୍ଷତିର ପରିମାଣ କେତେ ତାହା ହିସାବ କରିହେବନାହିଁ। ମଦ ନିଶାରେ କିଏ ସ୍ତ୍ରୀକୁ ମାରିଲାଣି, ଆଉ କିଏ ପୁଅକୁ। ଯୁବତୀଙ୍କୁ ଅଶାଳୀନ ଆଚରଣ ବା ଦୁଷ୍କର୍ମ ବଢିବା ପଛରେ ବି ଏହା ଏକ କାରଣ। ଦାରିଦ୍ର୍ୟ ବୃଦ୍ଧି ପଛରେ ବି ଯେଉଁ ଠୋସ୍ କାରଣ ତାଲିକାଭୁକ୍ତ କରାଯାଇଛି, ତା ଭିତରୁ ନିଶା ବା ମଦ ଗୋଟିଏ ବଡ଼ କାରଣ ବୋଲି କୁହାଯାଉଛି।

ଏହାସତ୍ତ୍ବେ ନିଶା ନିବାରଣ ପାଇଁ ଏତେ ପଛଘୁଞ୍ଚା କାହିଁକି? ମହାତ୍ମାଗାନ୍ଧୀଙ୍କ ମାର୍ଗରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନ ମୁଖବନ୍ଧରେ ଅହିଂସା ଶବ୍ଦ ଯୋଡିବା ପାଇଁ ପ୍ରସ୍ତାବ ଦେଇ ପ୍ରଶଂସାର ପାତ୍ର ହୋଇଥିଲେ। ଗାନ୍ଧୀଙ୍କ ବାଣୀ ଲୋକସେବା ଭବନ କାନ୍ଥରେ ଲେଖାଯାଇଛି, ଓଡ଼ିଶାରେ ଦୁଇ ବର୍ଷ ଧରି ଶତବାର୍ଷିକୀ ପାଳନ ନିଷ୍ପତ୍ତି ବି ହୋଇଛି। ୧୯୩୮ ମାର୍ଚ୍ଚ ୫ ତାରିଖରେ ସେହି ମହାତ୍ମା ଗାନ୍ଧୀ ଡେଲାଙ୍ଗ ବେରବୋଇରେ କହିଥିଲେ ଯେ ଓଡ଼ିଶା ଦାରିଦ୍ର୍ୟ ପାଇଁ ନିଶା ମଧ୍ୟ ଦାୟୀ। ମହାତ୍ମାଗାନ୍ଧୀଙ୍କ ଏହି ସଙ୍କେତ କଣ ଏବେ କୌଣସି ଗୁରୁତ୍ବ ରଖୁନାହିଁ ନା ଏହା ପ୍ରାସଙ୍ଗିକତା ହରାଇଛି।

ଆଉ କେତେ କ୍ଷତି ହେଲେ ଓଡ଼ିଶାରେ ନିଶା କାରବାର ବନ୍ଦ ହେଲା ବୋଲି ସରକାର ଘୋଷଣା କରିବେ?

ସମ୍ବନ୍ଧିତ ଖବର