ଅନୁଗୁଳ: ପଥରଗଡ଼ରେ କାହିଁକି ଗଡ଼ିଲା ଚାରି ମୁଣ୍ଡ? ମହୁଲି କେମିତି ହେଲା ବିଷ? ଘଟଣାର ଖୋଳତାଡ଼ ଯେତିକି ଆଗେଇ ଚାଲିଛି ନୂଆ ନୂଆ ପ୍ରଶ୍ନମାନ ସେତିକି ଉଙ୍କି ମାରୁଛି। ପଥରଗଡ଼ରେ ଅବକାରୀ ଖାନତଲାସ ବେଳେ ମହୁଲି ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ କାଳିଆ ଦେହୁରୀ ଘରୁ ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ ଜବତ ହୋଇଛି। ଯାହା ନିଶା କରାଏ ସତ, କିନ୍ତୁ ଦେହ ପାଇଁ ଆଦୌ ହିତକର ନୁହେଁ। ଶରୀର ପାଇଁ ବିଷ ତୁଲ୍ୟ। ମହୁଲିରେ ଏ ସ୍ପିରିଟ୍ ମିଶିଥିବା ସନ୍ଦେହ କରାଯାଉଛି।
ଇଏ କେବଳ ପଥରଗଡ଼ କଥା ନୁହେଁ, ସ୍ବଳ୍ପ ମହୁଲିରୁ ବେଶୀ ବେପାର କରିବା ପାଇଁ ପ୍ରାୟ ଜାଗାରେ ଘାତକ ଘାତକ ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ର ମିଶ୍ରଣ ଚାଲିଥିବା ବେଳେ ଜିଲ୍ଲାରୁ ଯେକୌଣସି ଜୀବନ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।
ଜିଲ୍ଲା ଅବକାରୀ ବିଭାଗର କହିବା ମୁତାବକ, ମହୁଲି କେବଳ ମହୁଲ ଏବଂ ପାଣିର ସମ୍ମିଶ୍ରଣ। ସେଥିରେ ଆଉ କିଛି ମିଶାଇବାର ଆବଶ୍ୟକତା ନାହିଁ। ପ୍ରାପ୍ତ ତଥ୍ୟ ମୁତାବକ, ମହୁଲରୁ ମହୁଲି ବାହାର କରିବା ଏକ ସମୟ ସାପେକ୍ଷ ପ୍ରକ୍ରିୟା। ପ୍ରଥମେ ମହୁଲକୁ ପାଣିରେ ଗମ୍ ଦେଇ ପ୍ରାୟ ୧୫ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ତାକୁ ପଚାଯିବ। ତାକୁ ରନ୍ଧା ଯାଇ ସେଥିରୁ ବାମ୍ଫ ସଂଗ୍ରହ କରାଯିବ। ଯାହାକୁ ମହୁଲି ମଦ ବୋଲି କୁହାଯାଏ। କିନ୍ତୁ, ୧୫ଦିନ ଯାଏ ଅପେକ୍ଷା କରିବାର ଧୈର୍ଯ୍ୟ ବ୍ୟବସାୟୀଙ୍କର ନାହିଁ। ସ୍ବଳ୍ପ ସମୟ ମଧ୍ୟରେ ମହୁଲ ଯେମିତି ପୋଚରେ ପରିଣତ ହେବ, ସେଥିପାଇଁ ମହୁଲ ଓ ପାଣି ମିଶ୍ରଣରେ କୁଆଡ଼େ ୟୁରିଆ ସାର ବି ବ୍ୟବହାର କରାଯାଉଛି ବୋଲି ଜଣେ ମଦ ରନ୍ଧାଳି ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ତା’ଠାରୁ ବଡ଼ ସାଙ୍ଘାତିକ କଥା ହେଉଛି, ମହୁଲ ରସରେ ଏ ସ୍ପିରିଟ୍ର ବ୍ୟବହାର। ତଥ୍ୟ ମୁତାବକ, ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ ହେଉଛି ଏକ ପ୍ରକାରର ରାସାୟନିକ ଜିନିଷ, ଯାହା ବିଭିନ୍ନ କାଠ କାମ, ଶିଳ୍ପାନୁଷ୍ଠାନରେ ବ୍ୟବହାର କରାଯାଏ। ଯେଉଁଥିରେ ନିଶା ପରିମାଣ ରହିଛି ସତ, କିନ୍ତୁ ଏହା ଆଦୌ ପାନୀୟ ନୁହେଁ।
କିନ୍ତୁ, ମଦ ବେପାରୀ ନିଜ କାରବାର ପାଇଁ ମହୁଲିରେ ଏହାକୁ ଅପମିଶ୍ରଣ ଚଳାଇଛନ୍ତି। ଏ ସ୍ପିରିଟ୍ର ଦାମ୍ ଅତି କମ୍। ମହୁଲିରେ ଏହାକୁ ମିଶାଇ ଦେଲେ ନିଶା ଅଧିକ ହେବା ସହିତ ମହୁଲିର ପରିମାଣ ବି ବଢ଼ୁଛି। ଯାହାକୁ ବିକ୍ରି କରି ମଦ ବେପାରି ମାଲାମାଲ୍ ହେଉଥିବା ବେଳେ ମଦୁଆଙ୍କ ଜୀବନ କିନ୍ତୁ ଘନ ଅନ୍ଧକାରକୁ ଠେଲି ହୋଇଯାଉଛି। ଠିକ୍ ପଥରଗଡ଼ ମଦ ମୃତ୍ୟୁ ଘଟଣା ପରି। କହିବାକୁ ଗଲେ, ମହୁଲିରେ ବି ଅପମିଶ୍ରଣ ଚାଲିଛି। ମହୁଲି ନାଁରେ ଲୋକଙ୍କୁ ସ୍ପିରିଟ୍ ପିଇବାକୁ ଦିଆଯାଉଛି। ଇଏ କେବଳ ପଥରଗଡ଼ ଗାଁର ଦୃଶ୍ୟ ନୁହେଁ, ଏ ଅପମିଶ୍ରଣର କଳା ଧୀରେ ଧୀରେ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାକୁ ବି ମାଡ଼ି ଗଲାଣି। ଯାହା କେତେବେଳେ ଜିଲ୍ଲାର ଆଉ କେଉଁ ଗାଁରୁ କେତେ ଯେ ମୁଣ୍ଡ ନେଇଯିବ ତାହା କହିହେବ ନାହିଁ। ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ର ଲୁଚାଛପା କାରବାର ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ କରିଛନ୍ତି।
ମହୁଲିରେ ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ର ମିଶ୍ରଣ ଆଦୌ ଠିକ୍ ନୁହେଁ ବୋଲି ଅନୁଗୁଳ ଜିଲ୍ଲା ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାଏକ କହିଛନ୍ତି। ସେ ସୂଚନା ଦେଇଛନ୍ତି, ମହୁଲି କେବଳ ମହୁଲ ଏବଂ ପାଣିର ମିଶ୍ରଣ ହେବା କଥା। ସେଥିରେ ଅନ୍ୟ କିଛି ଅପମିଶ୍ରଣ ଆଦୌ ଗ୍ରହଣୀୟ ନୁହେଁ। ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ ଏକ ବିଷାକ୍ତ ଜିନିଷ। ମହୁଲିରେ ତାର ଅପମିଶ୍ରଣ ହେଲେ ଧରପଗଡ଼ ହେବ ବୋଲି ଶ୍ରୀ ନାଏକ କହିଛନ୍ତି।
ହୁସିଆର! ମାରିଦେବ ମହୁଲି
/sambad/media/post_attachments/wp-content/uploads/2020/10/mahuli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)