ପାରଳାରେ କୁନି ପରିବେଶବିତ୍‌ ଲିସିପ୍ରିୟା, ବ୍ୟାପକ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନକୁ ରୋକିପାରିବ

ପାରଳାଖେମୁଣ୍ଡି: ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଜନସଚେତନତା ସୃଷ୍ଟି ଅଭିଯାନ ଚଳାଇଥିବା ମଣିପୁରର ଛାତ୍ରୀ ଲିସିପ୍ରିୟା କାଙ୍ଗୁଜାମ ଗଜପତି ଜିଲ୍ଲା ଗସ୍ତରେ ଆସି ଆଜି ପାରଳାଠାରେ ଶତାଧିକ ଛାତ୍ରଛାତ୍ରୀ ଏବଂ ଯୁବପିଢିଙ୍କୁ ଉଦ୍‌ବୋଧନ ଦେଇଥିଲେ। ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବ୍ୟାପକ ଗଛ ଲଗାଇବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ଲଗାତାର ଜନ ସଚେତନତା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏସ୍‌କେସିଜି ସ୍ବୟଂଶାସିତ କଲେଜ ଖୋଲା ମଞ୍ଚରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ଲିସିପ୍ରିୟାଙ୍କୁ ଶୁଣିଥିଲେ। ଋତୁ ଓ ପରିବେଶ ଅସନ୍ତୁଳନକୁ ରୋକିବା ଆମ ସମସ୍ତଙ୍କ ଦାୟିତ୍ବ ଏବଂ ଏଥିପାଇଁ କେବଳ ବୟୋଜ୍ୟେଷ୍ଠ, ବୁଦ୍ଧଜୀବୀ ଓ ପ୍ରଶାସନ ଚିନ୍ତା କଲେ ହେବ ନାହିଁ ବୋଲି କହିଥିଲେ ଲିସିପ୍ରିୟା। ଭାରତରେ ବର୍ଷା, ତୋଫାନ ଓ ବାତ୍ୟାର ତାଣ୍ଡବ ସମସ୍ତଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି। କିଛି ରାଜ୍ୟରେ ବର୍ଷକୁ ଦୁଇଥର ବାତ୍ୟା ଓ ବନ୍ୟ‌ା ଆସିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ବୋଲି ଦର୍ଶାଇ ସେ ପରିବେଶ ଏବଂ ପାଣିପାଗ ପରିବର୍ତ୍ତନ ସମ୍ବନ୍ଧରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ସକାଳେ ଲିସିପ୍ରିୟାଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ସହ ସଚେତନତା ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର