ନୂଆ ବର୍ଷ ପୂର୍ବରୁ ଅପାରଗ ସରକାରୀ ବାବୁଙ୍କ ତାଲିକା କର

ଅପାରଗ ଓ ଦକ୍ଷ ବାବୁଙ୍କ ତାଲିକା ପ୍ରସ୍ତୁତିରେ ଚରମ ଅବହେଳା
କ୍ଷୋଭ ପ୍ରକାଶ କଲା ସାଧାରଣ ପ୍ରଶାସନ ବିଭାଗ
ତାଲିକା ପ୍ରସ୍ତୁତି ପାଇଁ ସାନି ସମୟ ଦିଆଗଲା

ଭୁବନେଶ୍ୱର : ଅପାରଗ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଭଲ କାମ କରୁଥିବା ବାବୁମାନଙ୍କୁ ପଦୋନ୍ନତି ଓ ପ୍ରୋତ୍ସାହନ ଦିଆଯିବ। ଏମିତି ଦୁଇ ପ୍ରକାର ବାବୁମାନଙ୍କ ତାଲିକାୁ ପ୍ରସ୍ତୁତ କରିବା ଲାଗି ସରକାର ବର୍ଷକ ତଳେ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ଷକ ଭିତରେ ଅଧିକାଂଶ ବିଭାଗ ଏହି ନିର୍ଦ୍ଦେଶକୁ ମାନି ନାହାନ୍ତି। ନା ଅପାରଗ ବାବୁଙ୍କ ତାଲିକା କରିଛନ୍ତି ନା ଭଲ କାମ କରିଥିବା ବାବୁଙ୍କୁ ବାଛିଛନ୍ତି। ପ୍ରଶାସନିକ ବିଭାଗଗୁଡ଼ିକ ନିଜେ ଏହା କରୁ ନାହାନ୍ତି କି କ୍ଷେତ୍ର ସ୍ତରରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନି। ଏହାକୁ ନେଇ କ୍ଷୁବ୍ଧ ହୋଇଛି ସାଧାରଣ ପ୍ରଶାସନ ବିଭାଗ। ଜାନୁଆରି ପୂର୍ବରୁ ଅର୍ଥାତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ତାଲିକା ପ୍ରସ୍ତୁତ କରିବାକୁ ଆଜି ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶ ଜାରି ହୋଇଛି।

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍କ୍ରିନିଂ କମିଟି ବୈଠକ କରି ଆଗୁଆ ପଦୋନ୍ନତି ଓ ପ୍ରୋତ୍ସାହନ ପାଇବାକୁ ଥିବା ଦକ୍ଷ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ଆଗୁଆ ବାଧ୍ୟତାମୂଳକ ଅବସର ପାଇଁ ଅପାରଗ କର୍ମଚାରୀଙ୍କ ତାଲିକା ଦେବାକୁ ସମସ୍ତ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ବିଭାଗ/ନିର୍ଦ୍ଦେଶାଳୟ/ଜିଲ୍ଲା କାର୍ଯ୍ୟାଳୟରେ ଏହି ତାଲିକା ପ୍ରସ୍ତୁତ ପାଇଁ ଗୋଟିଏ ସ୍କ୍ରିନିଂ କମିଟି ଗଠନ ହେବ। ଅଧସ୍ତନ କର୍ତ୍ତୃପକ୍ଷ, ନିର୍ଦ୍ଦେଶାଳୟ ଓ ଜିଲ୍ଲାପାଳମାନେ ତାଲିକା ପ୍ରସ୍ତୁତ କରି ଅନ୍‌ଲାଇନ୍ ମାଧ୍ୟମରେ ପ୍ରଶାସନିକ ବିଭାଗକୁ ପଠାଇବେ।

୨୦୨୦ ପାଇଁ ପୂର୍ବରୁ ଦିଆଯାଇଥିବା ସମୟସୀମାକୁ ଅଧିକାଂଶ ବିଭାଗ ମାନି ନାହାନ୍ତି। ତେଣୁ ଏଥିପାଇଁ ଆଉ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ସବୁ ବିଭାଗରେ ୨୦୨୦ ନଭେମ୍ବର ୧୫ ତାରିଖ ସୁଦ୍ଧା ସ୍କ୍ରିନିଂ କମିଟି ଗଠନ ହୋଇ ବିଜ୍ଞପ୍ତି ପ୍ରକାଶ ପାଇବ। ୩୦ ନଭେମ୍ବର ସୁଦ୍ଧା ଅଧସ୍ତନ କର୍ତ୍ତୃପକ୍ଷ/ନିର୍ଦ୍ଦେଶାଳୟ/ ଜିଲ୍ଲାପାଳଙ୍କ ଠାରୁ ପ୍ରସ୍ତାବ ସଂଗ୍ରହ କରାଯିବ। ଡିସେମ୍ବର ୧୦ ତାରିଖ ସୁଦ୍ଧା ଆଗୁଆ ଅବସର ଓ ଆଗୁଆ ପଦୋନ୍ନତି ପାଇଁ ଗଠିତ କମିଟିର ବୈଠକ ସରିବ। ଡିସେମ୍ବର ୧୫ ତାରିଖ ସୁଦ୍ଧା ତାଲିକା ଚୂଡ଼ାନ୍ତ ରିପୋର୍ଟ ସଂପୃକ୍ତ ପ୍ରଶାସନିକ ବିଭାଗରେ ଦାଖଲ ହେବ। ପ୍ରଶାସନିକ ବିଭାଗଗୁଡ଼ିକ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉଭୟ ଅପରାଗ ଓ ଯୋଗ୍ୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ଦାଖଲ କରିବେ। ଯୋଗ୍ୟ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ଆଗରୁ ପଦୋନ୍ନତି ଦେବାର ବ୍ୟବସ୍ଥା ରହିଛି। ଏହା ସହ ପ୍ରୋତ୍ସାହନ ପାଇଁ ଯୋଗ୍ୟ କର୍ମଚାରୀଙ୍କ ନିମନ୍ତେ ବିଭିନ୍ନ ପ୍ରକାର ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ଏହି କର୍ମଚାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେଲା ପରେ ହିଁ ନିଜେ କର୍ମଚାରୀ ଯେ କୌଣସି ପ୍ରୋତ୍ସାହନକୁ ବାଛିପାରିବେ।

ଗ୍ରୁପ୍‌-ଏ(ଜେବି), ଗ୍ରୁପ୍-ବି ଓ ଗ୍ରୁପ୍-ସି କର୍ମଚାରୀଙ୍କ ପାଇଁ ହେବାକୁ ଥିବା ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ରହିବେ ସଂପୃକ୍ତ ପ୍ରଶାସନିକ ବିଭାଗର ସଚିବ। ଗ୍ରୁପ୍-ଏ(ଏସ୍‌ବି) ଓ ତତୋଧିକ ପାହ୍ୟାର ଅଧିକାରୀ ପାଇଁ ମୁଖ୍ୟ ଶାସନ ସଚିବ/ଉନ୍ନୟନ କମିସନର୍‌/କୃଷି ଉତ୍ପାଦନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ସ୍କ୍ରିନିଂ କମିଟି ଗଠନ ହେବ। ସମସ୍ତ ଅଧସ୍ତନ କାର୍ଯ୍ୟାଳୟ/ ନିର୍ଦ୍ଦେଶାଳୟ/ଜିଲ୍ଲା କାର୍ଯ୍ୟାଳୟଗୁଡ଼ିକ ଏହି ପ୍ରକ୍ରିୟା ପାଇଁ ଏକ କମିଟି ଗଠନ କରିବେ। କର୍ମଚାରୀଙ୍କ କଣ୍ଟ୍ରୋଲିଂ ଅଥରିଟି ଏହି କମିଟିର ଅଧ୍ୟକ୍ଷ ରହିବେ ଏବଂ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଦାୟିତ୍ବରେ ଥିବା ଅଧିକାରୀ କମିଟିର ସଦସ୍ୟ ଆବାହକ ରହିବେ। ଅଧ୍ୟକ୍ଷଙ୍କ ଦ୍ବାରା ମନୋନୀତ ଆଉ ଜଣେ ଅଧିକାରୀ କମିଟିର ସଦସ୍ୟ ରହିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ସମ୍ବନ୍ଧିତ ଖବର