ପ୍ରକାଶ ପାଇଲା ବିଏମ୍‌ସି ଚିଠା ଭୋଟର୍‌ ତାଲିକା, ପ୍ରଥମଥର ପାଇଁ ବିଏମ୍‌ସି ୱେବ୍‌ସାଇଟ୍‌ରେ ଦେଖିହେବ

୮ ନମ୍ବର ୱାର୍ଡରେ ସର୍ବାଧିକ ଭୋଟର୍‌, ୩୩ରେ ସର୍ବନିମ୍ନ
୧୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
ସର୍ବଦଳୀୟ ବୈଠକରେ ହୋ-ହଲ୍ଲା

ଭୁବନେଶ୍ବର : ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଦିନ ଭୋଟର ଚିଠା ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଉପରେ ୧୩ ତାରିଖ ସୁଦ୍ଧା ପ୍ରସ୍ତାବ ଆହ୍ବାନ କରାଯାଇଛି। ପ୍ରସ୍ତାବ ଆସିବା ପରେ ଏହା ଉପରେ ବିଚାର କରାଯିବ। ୧୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ସ୍ଥିର କରାଯାଇଛି। ତେବେ ପ୍ରଥମଥର ପାଇଁ ଭୋଟର୍‌ ତାଙ୍କ ନାମକୁ ଅନ୍‌ଲାଇନ୍‌ରେ ଖୋଜିବା ପାଇଁ ସୁଯୋଗ ରହିଛି। ସେମାନେ ବିଏମ୍‌ସିର ୱେବ୍‌ସାଇଟ୍‌କୁ ଯାଇ ଡାହାଣ ପାର୍ଶ୍ବରେ ଥିବା ଭୋଟର୍‌ ଲିଷ୍ଟକୁ କ୍ଲିକ୍‌ କଲେ ଏକ ୱିଣ୍ଡୋ ଖୋଲିବ। ସେଥିରେ ନାମ, ଇପିଆଇସି ନମ୍ବର, ୱାର୍ଡ ନମ୍ବର ଦାଖଲ କଲେ ଭୋଟର୍‌ଙ୍କ ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେବ। ସେଥିରେ କୌଣସି ଅଭିଯୋଗ ଥିଲେ ଭୋଟର୍‌ମାନେ ନିଜ ନିଜର ୱାର୍ଡ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ।

ଅପରପକ୍ଷେ ଗୁରୁବାର ଦିନ ସର୍କିଟ୍‌ ହାଉସ୍‌ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ବର ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବୁଥ୍‌ ତାଲିକା ଦଳର ପ୍ରତିନିଧିମାନଙ୍କୁ ବଣ୍ଟା ଯାଇଛି। ସେମାନେ ନିଜର ମତ ରଖିବା ସହ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଆସନ୍ତା ୧୩ ତାରିଖ ସୁଦ୍ଧା ସେମାନେ ଅଭିଯୋଗ କିମ୍ବା ପ୍ରସ୍ତାବ ଦେଇପାରିବେ ବୋଲି କୁହାଯାଇଛି। ୬୭ୱାର୍ଡର ୨୧୯ଟି ସ୍ଥାନରେ ୬୯୯ଟି ବୁଥ୍ ରହିଥିବା ଏହି ବୈଠକରେ ସୂଚନା ଦିଆଯାଇଛି।

ତେବେ ୱାର୍ଡ ସୀମା ନିର୍ଦ୍ଧାରଣକୁ ନେଇ ଆଜି ବୈଠକରେ ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିଥିଲେ। ୫ଟି ୱାର୍ଡରେ ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ୱାର୍ଡ ସଂଖ୍ୟା ବଢ଼ି ନଥିବାରୁ ବିଭିନ୍ନ ୱାର୍ଡରେ ଭୋଟର୍‌ଙ୍କ ସଂଖ୍ୟା ମଧ୍ୟ‌ରେ ଆକାଶପାତାଳ ଫରକ୍‌ ରହିଛି। ସାଧାରଣ ଜନତାଙ୍କୁ ବିଭିନ୍ନ ସେବା ‌ଓ ଯୋଜନାରେ ସାମିଲ କରିବାକୁ ଘୋର୍‌ ସମସ୍ୟା ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ୱାର୍ଡ ନମ୍ବର ୮ରେ ସର୍ବାଧିକ ୨୬ ହଜାର ୨୯୮ ‌ଭୋଟର୍‌ ରହିଥିବା ବେଳେ ୩୩ ନମ୍ବର ୱାର୍ଡରେ ସର୍ବନିମ୍ନ ୧ହଜାର ୭୮୪ ଭୋଟର୍‌ ରହିଛନ୍ତି। ସେହିଭଳି ୨୧ ନମ୍ବରରେ ୧୮ ହଜାର ୩୨, ୬୫ ନମ୍ବରରେ ୧୭ହଜାର ୭୬୯, ୧୩ ନମ୍ବରରେ ୧୬ ହଜାର ୯, ୫, ୩୦, ୨୨ ଓ ୪୩ ନମ୍ବର ୱାର୍ଡରେ ୧୬ ହଜାର ପାଖାପାଖି ଭୋଟର୍‌ ରହିଛନ୍ତି। ଅନ୍ୟପଟେ ୬ ନମ୍ବରରେ ୨ହଜାର ୪୬୧, ୧୦ ନମ୍ବରରେ ୩ ହଜାର ୬୬୯, ୧୫
ନମ୍ବରରେ ୫ ହଜାର ୫୦୩ ଭୋଟର ରହିଛନ୍ତି। ବିରୋଧୀଙ୍କ ଅଭିଯୋଗ ମୁତାବକ, ଅନ୍ୟ ୱାର୍ଡ ଅପେକ୍ଷା ଗୋଟିଏ ୱାର୍ଡରେ ଯଦି ୨୫ହଜାର ଭୋଟର୍‌ ଅଧିକା ରୁହନ୍ତି, ତେବେ ସେଠାରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ୟା ହେବ। ୨୨ ନମ୍ବର ଓ ୨୩ ନମ୍ବର ୱାର୍ଡରେ ଏଥର ପଞ୍ଚାୟତରେ ଥିବା କେତେକ ଗାଁ ସାମିଲ ହୋଇଛନ୍ତି। ଫଳରେ ଏଠାରେ ଭୋଟର୍‌ଙ୍କ ଜନସଂଖ୍ୟା ବଢ଼ି ଯାଇଛି। ଠିକ୍‌ ସେହିଭଳି ଯେଉଁ ୱାର୍ଡରେ ପଞ୍ଚାୟତରୁ ଗାଁଗୁଡ଼ିକ ସାମିଲ ହୋଇଛନ୍ତି, ସେଠାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ବୈଠକରେ ବିଏମସି ଅତିରିକ୍ତ କମିସନର୍‌ ବିନୟ କୁମାର ଦାଶ ଓ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ବହୁଜନ ସମାଜ ପାର୍ଟିର ସାଧାରଣ ସମ୍ପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ହରେକୃଷ୍ଣ ଖୁଣ୍ଟିଆ, ସିପିଆଇ ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ସୁର ଜେନା, କଂଗ୍ରେସର ଶିବାନନ୍ଦ ରାୟ, ଜାତୀୟତାବାଦୀ କଂଗ୍ରେସ ଦଳର ବିକ୍ରମ ସ୍ବାଇଁ, ବିଜେଡି ମୁଖପାତ୍ର ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର