ରାଜ୍ୟରେ ଟିକାକରଣ ପ୍ରସ୍ତୁତି: ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ବଢ଼ିଲା, ୩.୨୬ଲକ୍ଷକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ କେଉଁ ମାନଙ୍କୁ ଟିକା ଦିଆଯିବ ତାହା ସ୍ଥିର ହୋଇସାରିଛି। ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବୟସ୍କମାନଙ୍କୁ ଟିକା ଦେବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ହୋଇଥିବା ତାଲିକାରେ ୩.୨ଲକ୍ଷଙ୍କୁ ଚିହ୍ନଟ କରାଯାଇଥିଲା। ହେଲେ ଏହି ସଂଖ୍ୟାରେ ଏବେ ବୃଦ୍ଧି ହୋଇଛି। ଆହୁରି ୬ହଜାର ସ୍ବାସ୍ଥ୍ୟକର୍ମୀ ଏହି ତାଲିକାରେ ସାମିଲ ହୋଇଛନ୍ତି। ଫଳରେ ସମୁଦାୟ ସଂଖ୍ୟା ୩.୨୬ଲକ୍ଷକୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଚିହ୍ନଟ ହୋଇଥିବା ତାଲିକାରେ ଆହୁରି ୬ହଜାର ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ଯୋଡ଼ି ହୋଇଛି। ଏପରିକି ରାଜ୍ୟରେ ଆଉଁ ଯେଉଁ ସ୍ବାସ୍ଥ୍ୟକର୍ମୀମାନେ ସାମିଲ ହୋଇପାରି ନାହାନ୍ତି ସେମାନଙ୍କ ତାଲିକା ପ୍ରଦାନ କରିବା ଲାଗି କୁହାଯାଇଛି। ତେଣୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ତେବେ ଟିକା କେବେ ଆସିବ ଓ କେଉଁ କମ୍ପାନିର ଟିକା ଆସିବ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଯାଏ ସ୍ପଷ୍ଟ କରାଯାଇ ନାହିଁ। ଅପରପକ୍ଷରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ଲକ୍ଷ ସିରିଞ୍ଜ ଓ ୨୪ ଆଇସ ଲାଇନ୍‌ଡ ରେଫ୍ରିଜିରେଟର ବା ଆଇଆଲଏଆର ଯୋଗାଇ ଦିଆଯାଇଛି। ଆଗକୁ ଆହୁରି ୩୩୯ ଆଇଏଲଆର ଆସିବାର ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଡିପ୍ ଫ୍ରିଜର ଯୋଗାଣ ହୋଇନାହିଁ। ତେବେ ରାଜ୍ୟରେ ଟିକାକରଣ ନେଇ ଯେଉଁ ଭିତ୍ତିଭୂମି ରହିଛି ତହିଁରେ ଟିକା ପ୍ରଦାନ ନେଇ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର