ବେତନଟୀ: ପ୍ରତିଷ୍ଠିତ ବାଣିଜ୍ୟିକ ପତ୍ରିକା ‘ବିଜନେସ୍‌ ୱାଲ୍ଡ’ ପକ୍ଷରୁ ନିକଟରେ ପ୍ରକାଶିତ ହୋଇଛି ଭାରତର ୫ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକା। ଏହି ତାଲିକାରେ ମହାମହିମ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଓ ବେତନଟୀର ବୋହୂ ପୁନମ ଗୁପ୍ତା ସ୍ଥାନ ପାଇଛନ୍ତି। ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍‌ ଇରାନୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ (ରାଷ୍ଟ୍ରପାହ୍ୟା) ଅନ୍ନପୂର୍ଣ୍ଣା ଦେବୀ ଯାଦବ ଓ ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ଡ.ରୀତୁ କରିଢାଲ ଶ୍ରୀବାସ୍ତବ।

Advertisment

ପୁନମ୍ ଗୁପ୍ତା ଏବେ ନ୍ୟାସନାଲ୍‌ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ (ଏନ୍‌ସିଏଇଆର୍‌)ର ଡାଇରେକ୍ଟର ଜେନେରାଲ ପଦବିରେ ରହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟା ଅଛନ୍ତି। ଏହାପୂର୍ବରୁ ସେ ବିଶ୍ବବ୍ୟାଙ୍କ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ପୁନମ୍‌ଙ୍କ ସ୍ବାମୀ ବିଖ୍ୟାତ ଅର୍ଥନୀତିଜ୍ଞ ଦୀପକ ମିଶ୍ର ବର୍ତ୍ତମାନ ‘ଦି ଇଣ୍ଡିଆନ୍‌ କାଉନସିଲ୍‌ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ୍‌ ଇକୋନୋମିକ ରିଲେସନ୍‌ସ (ଆଇସିଆର୍‌ଆଇଇଆର୍‌)ର ନିର୍ଦ୍ଦେଶକ ତଥା ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଛନ୍ତି। ବୋହୂ ପୁନମଙ୍କୁ ମିଳିଥିବ‌ା ସମ୍ମାନ ପାଇଁ ସେମାନେ ଗୌରବ ଅନୁଭବ କରୁଥିବା କହିଛନ୍ତି ବେତନଟୀରେ ରହୁଥିବା ଶ୍ବଶୁର ଅଜିତ ମିଶ୍ର ଓ ଶାଶୂ ରମା ମିଶ୍ର। ପୁନମ୍ ଓ ତାଙ୍କ ସ୍ବାମୀ ଦୀପକ ବର୍ତ୍ତମାନ ଆମେରିକାର ୱାସିଂଟନରେ ରହୁଛନ୍ତି।