ଦ୍ୱନ୍ଦ୍ୱରେ ରାଜ୍ୟର ଗାଁ ସଂଖ୍ୟା

ସୁନ୍ଦରଗଡ଼ : ଦେଶରେ ମୋଟ ଗ୍ରାମ ସଂଖ୍ୟା କେତେ? କେଉଁ ରାଜ୍ୟରେ କେତୋଟି ଗ୍ରାମ ରହିଛି? ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏବଂ ଜନଗଣନା-୨୦୧୧ ତଥ୍ୟରେ ତାଳମେଳ ରହୁନଥିବାରୁ ଦ୍ୱନ୍ଦ ଉପୁଜିଛି। କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ (ଏନ୍‌ଆର୍‌ଡିଡବ୍ଲ୍ୟୁପି)ର ଇଣ୍ଟିଗ୍ରେଟେଡ୍‌ ମ୍ୟାନେଜ୍‌ମେଣ୍ଟ୍‌ ଇନ୍‌ଫର୍ମେସନ ସିଷ୍ଟମ୍‌ (ଆଇଏମ୍‌ଆଇଏସ୍‌) ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ୍‌ ୪ ଲକ୍ଷ ୭ ହଜାର ୪୭୦ଟି ଗ୍ରାମ ରହିଛି। କିନ୍ତୁ ଜନଗଣନା-୨୦୧୧ ଅନୁସାରେ ରାଜ୍ୟର ଗ୍ରାମ ସଂଖ୍ୟା ୪ ଲକ୍ଷ ୭ ହଜାର ୬୭୫। ଅତଏବ ଏହି ଦୁଇ ସରକାରୀ ସଂସ୍ଥା ଦ୍ୱାରା ଉପସ୍ଥାପିତ ତାଲିକାରେ ରାଜ୍ୟର ଗ୍ରାମ ସଂଖ୍ୟାରେ ୨୦୫ଟି ଗ୍ରାମ ଫରକ ରହୁଛି।  ରାଜ୍ୟର ମାତ୍ର ୬ଟି ଜିଲ୍ଲାରେ ଆଇଏମ୍‌ଆଇଏସ୍‌ ଓ ଜନଗଣନା ତଥ୍ୟ ସମାନ।ସେଗୁଡ଼ିକ ହେଲା, ସୁବର୍ଣ୍ଣପୁର (୮୫୬), ପୁରୀ (୧୬୦୦), ନୟାଗଡ଼ (୧୫୪୧), ନବରଙ୍ଗପୁର (୮୬୮), ଜଗତସିଂହପୁର ୧୨୨୩, କଟକ (୧୮୫୪) ଜିଲ୍ଲା। ବାକି ୨୪ଟି ଜିଲ୍ଲାର ଗ୍ରାମ ସଂଖ୍ୟା ତଥ୍ୟରେ ଉପରୋକ୍ତ ଦୁଇଟି ସରକାରୀ ସଂସ୍ଥାର ପରିସଂଖ୍ୟାନରେ ପାର୍ଥକ୍ୟ ପରିଲକ୍ଷିତ ହୋଇଛି।

ଆଇଏମ୍‌ଆଇଏସ୍‌ ତଥ୍ୟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମ ସଂଖ୍ୟା ୧୬୮୫ ଥିବାବେଳେ ଜନଗଣନା-୨୦୧୧ ଅନୁସାରେ ଜିଲ୍ଲାରେ ୧୭୧୩ଟି ଗ୍ରାମ ରହିଛି। ସୁତରାଂ ଉଭୟ ପରିସଂଖ୍ୟାନରେ ୨୮ଟି ଗ୍ରାମର ଫରକ ରହୁଛି। ସେହିଭଳି  କଳାହାଣ୍ଡି ଜିଲ୍ଲାର ଗ୍ରାମ ସଂଖ୍ୟାରେ ସର୍ବାଧିକ ୮୮ ପାର୍ଥକ୍ୟ ଥିବା ବେଳେ ଏହା ପଛକୁ ବାଲେଶ୍ୱର ଜିଲ୍ଲାରେ ୬୧, କନ୍ଧମାଳ ଜିଲ୍ଲାରେ ୫୦ଟି, ଅନୁଗଳ ଓ ରାୟଗଡ଼ା ଜିଲ୍ଲାରେ ୩୨ଟି ଲେଖାଏଁ, ସମ୍ବଲପୁରରେ ୨୯ଟି, ଗଜପତିରେ ୧୬, ଗଞ୍ଜାମରେ ୧୫, ଢ଼େଙ୍କାନାଳରେ ୧୪, ଖୋର୍ଦ୍ଧାରେ ୧୧, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ୯ଟି ଲେଖାଏଁ, ନୂଆପଡ଼ାରେ ୮, ଭଦ୍ରକରେ ୭, କେନ୍ଦୁଝରରେ ୪, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ୨ଟି ଲେଖାଏଁ ଏବଂ ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଯାଜପୁର ଓ ମାଲକାନଗିରି ଜିଲ୍ଲା ଗ୍ରାମ ସଂଖ୍ୟାରେ ଗୋଟିଏ ଲେଖାଏଁ ଫରକ ପରିଲକ୍ଷିତ ହୋଇଛି। ଏନ୍‌ଆର୍‌ଡିଡବ୍ଲ୍ୟୁପିର ୨୦୧୨-୧୩ରୁ ୨୦୧୬-୧୭ର ଅଡିଟ୍‌ ବେଳେ ଏହି ତାରତମ୍ୟ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର