ସ୍ବାସ୍ଥ୍ୟକର୍ମୀଙ୍କ ଦାବି ଶୁଣନ୍ତୁ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ୧୮ ଦିନ ହେଲା ରାଜଧାନୀରେ ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀମାନେ ଆନ୍ଦୋଳନ ଚଳାଇଛନ୍ତି। ଏହି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କରୋନା ମହାମାରୀ ପରି ସଙ୍ଗୀନ୍ ସମୟରେ ରୋଗୀଙ୍କ ସେବା କରିଥିବା ଏହି ସ୍ବାସ୍ଥ୍ୟ କର୍ମୀଙ୍କ ଦାବି ସରକାର ଶୁଣିବାକୁ ସେ ଅନୁ‌େରାଧ କରିଛନ୍ତି।

ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ରାଜରାସ୍ତାରେ ବସିବା ଦୁର୍ଭାଗ୍ୟଜନକ। ସରକାର ସେମାନଙ୍କୁ ଦୈନିକ ୮୫୦ ଟଙ୍କା ଲେଖା ହିସାବରେ ତିନି ମାସ ପାଇଁ ନିଯୁକ୍ତି ଦେଇଥିଲେ। କିନ୍ତୁ ତିନି ମାସ ସମ୍ପୂର୍ଣ୍ଣ ହେବା ଆଗରୁ ସେମାନଙ୍କୁ କାମରୁ ବିଦା କରିଦିଆଗଲା। ରାଜ୍ୟ ଏ ଯାଏ କୋଭିଡ୍‌ ମୁକ୍ତ ହୋଇ ନ ଥିଲେ ବି ସେମାନଙ୍କୁ କାମ ଦିଆଯାଉନି। ଏବେ ଏହି ସ୍ବାସ୍ଥ୍ୟକର୍ମୀମାନେ କୌଣସି କାମ ନ ପାଇ ବସିଛନ୍ତି।

ବିରୋଧୀ ଦଳ ନେତା ତାଙ୍କ ଚିଠିରେ ଯୁକ୍ତି ଦର୍ଶାଇଛନ୍ତି ଯେ ଟିବି, ମ୍ୟାଲେରିଆ ଓ ପୋଲିଓ ଆଦି ସଚେତନତା ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ଯଦି ଏଏନ୍‌ଏମ୍‌ମାନଙ୍କୁ ନିଯୁକ୍ତି ଦିଆଯାଆନ୍ତା, ତେବେ ସେମାନେ ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିପାରନ୍ତେ। କରୋନା ମୁକାବିଲାରେ ମୁଖ୍ୟ ଭୂମିକା ନେଇଥିବା ଏହି ଏଏନ୍‌ଏମ୍‌ମାନଙ୍କୁ ନିଯୁକ୍ତି ଦେବା ବଦଳରେ ଗତ ମାସ ୨୬ ତାରିଖରେ ନର୍ସିଂ ଷ୍ଟାଫ୍‌ ନିଯୁକ୍ତି ପାଇଁ ସରକାର ବିଜ୍ଞାପନ ଦେଇଛନ୍ତି। ରାଜ୍ୟରେ ୧୫ ହଜାର ଏଏନ୍‌ଏମ୍‌ ପଦବି ଖାଲି ପଡ଼ିଥିଲା ବେଳେ ସରକାର ସେମାନଙ୍କ ଅଭିଯୋଗ ନ ଶୁଣିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ୧୦ ବର୍ଷ ହେଲାଣି ଏଏନ୍‌ଏମ୍‌ ପଦବିରେ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ କରାଯିବା ସହ କୋଭିଡ୍‌ ସମୟରେ କାମ କରିଥିବା ଏଏନ୍‌ଏମ୍‌ଙ୍କୁ ନିଯୁକ୍ତିରେ ଅଗ୍ର‌ାଧିକାର ଦିଆଯାଉ। ନର୍ସିଂ ପଦବି ପୂରଣ ପାଇଁ ଚୟନ ପ୍ରକ୍ରିୟା କରାଯିବା ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇ କୋଭିଡ୍‌ ସମୟରେ କାର୍ଯ୍ୟ କରିଥିବା ଏଏନ୍‌ଏମ୍‌ମାନଙ୍କ ପାଇଁ ଗ୍ରେସ୍‌ ମାର୍କର ବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର