ରାଜ୍ୟରେ ଲିଚୁ ଚାଷକୁ ପ୍ରୋତ୍ସାହନ ମିଳୁ

ଭୁବନେଶ୍ବର : ରାଜ୍ୟରେ ଲିଚୁ ଚାଷ ପାଇଁ ଭରପୂର ସମ୍ଭାବନା ରହିଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବିଧାନସଭାରେ ଦାବି ଉଠିଛି। ଆଜି ପ୍ରଶ୍ନକାଳରେ ରମେଶ ଚନ୍ଦ୍ର ସାଏ ଲିଚୁ ଚାଷ ସଂକ୍ରାନ୍ତରେ ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ଓଡ଼ିଶାରେ ପ୍ରାୟ ୪୪୭୭ ହେକ୍ଟର ଜମିରେ ଲିଚୁ ଚାଷ କରାଯାଇ ୨୦୪୩୧ ମେଟ୍ରିକ୍ ଟନ୍‌ର ଲିଚୁ ଉତ୍ପାଦିତ ହୋଇଥାଏ। ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ, ବଣେଇ, ଖଣ୍ଡାଧାର, ଦେବଗଡ଼ ଜିଲ୍ଲାର ବାରକୋଟ, ତି‌େଳଇବଣି, ଗଜପତି ଜିଲ୍ଲାର ରା. ଉଦୟଗିରି, ଅନୁଗୁଳ ଜିଲ୍ଲାର ପାଲଲହଡ଼ା, କିଶନନଗର, କନ୍ଧମାଳ ଜିଲ୍ଲାର ଟିକାବାଲି, ଜି ଉଦୟଗିରି, ରାଇକିଆ, କୋଟଗଡ଼, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ଯଶୋବନ୍ତପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାର କାଶିପୁର, ବିସମ କଟକ, କଳାହାଣ୍ଡି ଜିଲ୍ଲାର ଥୁଆମୂଳା ରାମପୁର, ବଲାଙ୍ଗୀର ଜିଲ୍ଳାର ନାନ୍ଦୁପଲ୍ଲା ଅଞ୍ଚଳରେ ଲିଚୁ ଚାଷ କରାଯାଉଛି।

ଆଠମଲ୍ଲିକସ୍ଥିତ ଉଦ୍ୟାନ କୃଷି ଫାର୍ମ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ତଥ୍ୟ ଦେଇଥିଲେ, ଆଠମଲ୍ଲିକର ନାକ୍‌ଚୀ ଠାରେ ଏକ ଉଦ୍ୟାନ କୃଷି ଫାର୍ମ ରହିଛି, ଯେଉଁଠାରେ କି ପ୍ରାୟ ୧୬୦୦ ଲିଚୁ ଗଛ ରହିଛି। ଏହି ଲିଚୁ ଗଛରୁ କଲମୀ କରାଯାଇ ଉତ୍କୃଷ୍ଟ ଚାରା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକତା ଅନୁଯାୟୀ ପଠାଯାଇଥାଏ। ତେବେ ଏଠାରେ ଲିଚୁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଯୋଜନା ନାହିଁ।

ସୁରେଶ ରାଉତରାୟ କହିଥିଲେ, ଡେରାସରେ ପ୍ରାୟ ୩୦୦ ଏକର ଜମିରେ ଲିଚୁ ଚାଷ ହୁଏ। ସେଠାରେ ଅଧିକ ଲିଚୁ ଚାଷ ପାଇଁ ପ୍ରୋତ୍ସାହନ ସହ ତାଲିମ ଦିଆଯାଉ। ସୁରେଶ ପାଣିଗ୍ରାହୀ ଦେବଗଡ଼ରେ ଲିଚୁ ଚାଷ ପ୍ରସଙ୍ଗ ଉଠାଇଥିଲେ। ଲକ୍ଷ୍ମଣ ମୁଣ୍ଡା କହିଥିଲେ, ବରୁଣେଇରେ ଲିଚୁ ଚାଷ କରାଯାଉଛି। କିନ୍ତୁ ସେଠାରେ ଥିବା କୃଷି ସହାୟତା କେନ୍ଦ୍ରରୁ ଉପଯୁକ୍ତ ସହାୟତା ମିଳୁନି।

ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ଲିଚୁ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ନିର୍ଦ୍ଦିଷ୍ଟ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ସମୀକ୍ଷା କରାଯାଇଥିଲା।‌ ସେଠାରେ ଉଦ୍ୟାନ କୃଷି କାର୍ଯ୍ୟାଳୟର କର୍ମଚାରୀମାନେ ଠିକ୍ ଭାବେ କାମ କରୁ ନ ଥିବା ଜଣାପଡ଼ିଥିଲା। ସେଥି ପାଇଁ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ବ୍ୟବସ୍ଥାକୁ ସଜାଡ଼ିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଉଛି। ବିଧାୟକମାନଙ୍କ ନଜରକୁ କିଛି ଅବ୍ୟବସ୍ଥା ଆସିଲେ ସେମାନେ ବି ଜଣାନ୍ତୁ। ଚାଷୀ ଓ ଚାଷ ପାଇଁ କୌଣସି ଅବହେଳାକୁ ବରଦାସ୍ତ କରାଯିବନି।

ସମ୍ବନ୍ଧିତ ଖବର