ଲିଚୁ ପାଉନାହାନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ, ଡ୍ରେନ୍‌ରେ ଢାଳି ବ୍ଲିଚିଂ ପକାଇ ଦେଇଥିବା ସନ୍ଦେହ

ଭୁବନେଶ୍ବର : ଦୁଇଦିନ ହେବ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଲିଚୁ ଖୋଜୁଛନ୍ତି। ହେଲେ ଲିଚୁ ଏପରି ଉଭାନ ହୋଇଯାଇଛି ଯେ ତାହାର ଚିହ୍ନବର୍ଣ୍ଣ ମଧ୍ୟ ମିଳୁନାହିଁ। ରାତିରାତି ଏହି ଫଳ ବଜାରରୁ ଉଭାନ୍ ହେଇଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣା ଲିଚୁକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ରାଜ୍ୟରେ ବିକ୍ରି ହେଉଥିବା ଲିଚୁର ନମୁନା ଯାଞ୍ଚ ପାଇଁ ନିର୍ଦେଶ ଦେବା ପରେ ରାତିରାତି ବଜାରରୁ ଉଭାନ ହୋଇଯାଇଛି ଲିଚୁ। ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଲିଚୁର ନମୁନା ସଂଗ୍ରହ କରିବା ପାଇଁ ଚେଷ୍ଟା କରିଥିଲେ ହେଁ କେଉଁଠାରେ ଏହାକୁ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ଫଳ ବ୍ୟବସାୟୀମାନେ ଘଟଣାକୁ ଲୁଚାଇବାକୁ ଯାଇ କିଛିଦିନ ହେବ ଲିଚୁ ନକିଣିବାକୁ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ରାଜଧାନୀର ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳର ବ୍ୟବସାୟୀମାନେ ଡ୍ରେନ୍‌ ଭିତରେ ଲିଚୁକୁ ପକାଇ ଏହା ଉପରେ ବ୍ଲିଚିଂ ଢାଳି ଦେଇଥିବା କୁହାଯାଉଛି। ଏସବୁ ଅଞ୍ଚଳରେ ତୀବ୍ର ଗନ୍ଧ ହେଉଥିବା ନଜରକୁ ଆସୁଛି। ଖୁବଶୀଘ୍ର ରାଜଧାନୀରେ ଲିଚୁ ଉଭାନ ହେବା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିବ। ବ୍ୟବସାୟୀମାନେ ଲିଚୁ ଉପରେ କେଉଁ ରସାୟନିକ ପଦାର୍ଥ ଦେଉଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷରେ ଲିଚୁ ବ୍ୟବସାୟୀ କହିଛନ୍ତି, ଗତ ୪/୫ଦିନ ପୂର୍ବରୁ ଲିଚୁ ଆଉ ଓଡ଼ିଶା ବଜାରକୁ ନ ଆଣିବାକୁ ବଡ଼ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ କୌଣସି କାରଣ କହି ନ ଥିଲେ। ତେବେ ବିହାରରେ ହୋଇଥିବା ଶିଶୁ ମୃତ୍ୟୁକୁ ନେଇ ହଟଚମଟ ସୃଷ୍ଟି ହେବା ପରେ ହୁଏତ ଲିଚୁ ନ କିଣିବାକୁ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣେ ବ୍ୟବସାୟୀ ‘ସମ୍ବାଦ’କୁ କହିଛନ୍ତି।

ଉଲ୍ଲେଖ ଯେ, ରାଜ୍ୟରେ ବିକ୍ରି ହେଉଥିବା ଲିଚୁରେ ବିଷାକ୍ତ ରସାୟନିକ ପଦାର୍ଥ ମିଶୁଛି କି ନାହିଁ ତାହା ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଦୁଇଦିନ ତଳେ ନମୁନା ସଂଗ୍ରହ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହାସହ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇକୁ ଏ ସଂପର୍କରେ ତଥ୍ୟ ମଗାଯାଇଛି। ଖୁବଶୀଘ୍ର ବିହାର ସରକାର ମଧ୍ୟ ସେଠାରେ ଜାପାନି ଜ୍ବରରେ ପ୍ରାଣ ହରାଇଥିବା ଶିଶୁଙ୍କ ମୃତ୍ୟୁ ଲିଚୁ ଖାଇବା ଯୋଗୁଁ ହୋଇଛି କି ନାହିଁ ତାହାର ସୂଚନା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର