ବଜାରରୁ ଲିଚୁ ଉଭାନ୍, ଖାଲି ହାତରେ ଫେରିଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ଭୁବନେଶ୍ବର : ବିହାରରେ ଦେଢ଼ ଶହରୁ ଅଧିକ ଶିଶୁଙ୍କ ଏନ୍‌ସେଫାଲାଇଟିସ୍‌ (ଜାପାନୀ ଜ୍ବର)ରେ ମୃତ୍ୟୁ ହେବା ପରେ ଚେତିଛନ୍ତି ରାଜ୍ୟ ସରକାର। ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ରାଜ୍ୟରେ ବିକ୍ରି ହେଉଥିବା ଲିଚୁର ନମୁନା ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ। ହେଲେ ରାତି ନ ପାହୁଣୁ ବଜାରରୁ ଲିଚୁ ଉଭାନ୍ ହୋଇଯାଇଛି। ଖାଲି ରାଜଧାନୀ ନୁ‌େହଁ, ରାଜ୍ୟବ୍ୟାପୀ କେଉଁଠାରେ ମଧ୍ୟ ଲିଚୁ ମିଳୁନାହିଁ। ନମୁନା ସଂଗ୍ରହ ନିର୍ଦେଶ ପରେ ବଜାରରୁ ଲିଚୁ ଉଭାନ୍‌ ହେବା ଘଟଣା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି। ସତରେ କ’ଣ ଓଡ଼ିଶା ବଜାରରେ ବିକ୍ରି ହେଉଥିବା ଲିଚୁ ସଂକ୍ରମିତ ଥିଲା ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଲାଣି।

ଲିଚୁରେ ଥିବା ଏକପ୍ରକାର ଭୂତାଣୁରୁ ଏନ୍‌ସେଫାଲାଇଟିସ୍‌ ବ୍ୟାପିଥାଏ ଏବଂ ମୁଖ୍ୟତଃ ଶିଶୁମାନେ ଏହାର ଶିକାର ହୋଇଥାନ୍ତି। ତେଣୁ ରାଜ୍ୟରେ ବିକ୍ରି ହେଉଥିବା ଲିଚୁରେ ଏହି ଭୂତାଣୁ କିମ୍ବା କୌଣସି ବିଷାକ୍ତ ରସାୟନିକ ପଦାର୍ଥ ରହିଛି କି ନାହିଁ, ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରିବାକୁ ନିର୍ଦେଶ ହୋଇଥିଲା। ଆଜି ରାଜ୍ୟବ୍ୟାପୀ ଖାଦ୍ୟ ସୁରକ୍ଷା ଅଧିକାରୀ ନମୁନା ସଂଗ୍ରହ ପାଇଁ ଚେଷ୍ଟା କରିଥିଲେ ହେଁ ବଜାରରେ ଲିଚୁ ମିଳି ନ ଥିଲା। ରାଜଧାନୀ ସମେତ ବ୍ରହ୍ମପୁର, ଅନୁଗୁଳ, କଟକ, ରାଉରକେଲା ଓ ସମ୍ବଲପୁର ଭଳି ସହରରେ କୌଣସିଠାରେ ମଧ୍ୟ ଲିଚୁର ଚିହ୍ନବର୍ଣ୍ଣ ନ ଥିଲା। ରାଜଧାନୀର ପ୍ରମୁଖ ଫଳ ବିକ୍ରି ପେଣ୍ଠସ୍ଥଳୀ ଶ୍ରୀୟା ଟକିଜ୍ ଛକ, ବାଣୀବିହାର, କଳ୍ପନା ଛକ ସହ ଜୟଦେବବିହାର ଅଞ୍ଚଳରେ ମୁଖ୍ୟତଃ ଲିଚୁ ବେପାରୀମାନେ ଲିଚୁ ବିକ୍ରି କରିଥାନ୍ତି। ହେଲେ ଆଜି କାହାରି ଦେଖା ନ ଥିଲା। ଲିଚୁ ନମୁନା ସଂଗ୍ରହ ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀ ଚାରିଆଡ଼େ ବୁଲିଥିଲେ ହେଁ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି।

ଓଡ଼ିଶା ବଜାରରେ ବିକ୍ରି ହେଉଥିବା ଲିଚୁ କିଛି ମାତ୍ରାରେ ସମ୍ବଲପୁର ଅଞ୍ଚଳରୁ ଆସୁଥିବା ବେଳେ ସିଂହଭାଗ ବିହାର ଅଞ୍ଚଳରୁ ଆସିଥାଏ। ତେଣୁ ଲିଚୁ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସମ୍ଭବତଃ ରାଜ୍ୟର କିଛି ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇବା ସହିତ ନମୁନା ଯାଞ୍ଚ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଦେବାରୁ ଲିଚୁ ବ୍ୟବସାୟୀମାନେ ସତର୍କ ହୋଇ ଯାଇଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪ଦିନ ହେବ ଓଡ଼ିଶା ବଜାରକୁ ଆଉ ରାଜ୍ୟ ବାହାରୁ ଲିଚୁ ଆସୁନାହିଁ। ଯାହା ପୂର୍ବରୁ ଆସିଥିଲା ତାହା ଫଳ ବ୍ୟବସାୟୀମାନେ ବିକ୍ରି କରୁଥିଲେ। ମାତ୍ର ଲିଚୁକୁ ନେଇ ହଟଚମଟ ସୃଷ୍ଟି ହେବା ପରେ ବଳକା ଲିଚୁ ମଧ୍ୟ ଆଉ ବଜାରରେ ମିଳୁନାହିଁ। ଏପରିକି ଲିଚୁ ବ୍ୟବସାୟୀମାନେ ଯାଞ୍ଚ ଭୟରେ ଏହାକୁ ନଷ୍ଟ କରି ଦେଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ସନ୍ଦେହ କରୁଛନ୍ତି। ତେବେ ଲିଚୁ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି, ପରବର୍ତୀ ସମୟରେ ଏହାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏନ୍‌ସାଫାଇଲାଇଟିସ୍ ହେଉଛି ଏକ ଭୂତାଣୁ ଜନିତ ରୋଗ। ଲିଚୁରେ ହାଇପୋଗ୍ଲାଇସିନ୍-ଏ ନାମକ ରସାୟନିକ ପଦାର୍ଥ ରହିଛି। ଲିଚୁକୁ ଖାଇଲେ ଏହା ଯକୃତରେ ଗ୍ଲୁକୋଜ୍‌ର ମାତ୍ରାକୁ କମାଇ ଦେଇଥାଏ। ବିଶେଷ କରି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁର ଯଦି ଯକୃତ ସଂକ୍ରମଣ ହୋଇଥାଏ, ବିଷାକ୍ତ ଲିଚୁ ଖାଇଲେ ତାହା ଘାତକ ସାବ୍ୟସ୍ତ ହୋଇଥାଏ। ଲିଚୁ ଗଛରେ ଥିବା ବେଳେ ଯଦି ଏହା ଉପରେ କୌଣସି ଚଢ଼େଇ କିମ୍ବା ବାଦୁଡ଼ି ବସିଥାନ୍ତି, ତା’ହାଲେ ସେମାନଙ୍କଠାରୁ ଭୂତାଣୁ ଲିଚୁକୁ ଆସିଥାଏ। ଯାହାକୁ ଖାଇଲେ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ। ତେବେ ଲିଚୁ ଯୋଗୁଁ ଜାପାନୀ ଜ୍ବର ବ୍ୟାପିବାର କୌଣସି ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ମାଲକାନଗିରିରେ ଏନ୍‌ସେଫାଇଲିଟିସ୍‌ରେ ଶତାଧିକ ଶିଶୁ ପ୍ରାଣ ହରାଇବା ପରେ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କୁ ଗ୍ଲୁକୋଜ୍ ଖାଇବାକୁ ଦିଆଯାଇଥିଲା। ବିଶେଷକରି ଯେଉଁ ଅଞ୍ଚଳରେ ଜାପାନୀ ଜ୍ବର ବ୍ୟାପିବାର ଅଧିକ ଆଶଙ୍କା ରହିଛି, ସେସବୁ ଅଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ରରେ ଦୁଇଥର ଲେଖାଏଁ ଗ୍ଲୁକୋଜ୍ ଖାଇବାକୁ ଦିଆଯାଇଥିଲା ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ନିକଟରେ ରାଜ୍ୟ ଖାଦ୍ୟ ସୁରକ୍ଷା କର୍ତୃପକ୍ଷ ବିହାର ଖାଦ୍ୟ ସୁରକ୍ଷା କର୍ତୃପକ୍ଷଙ୍କ ସହିତ ଲିଚୁ ଯୋଗୁଁ ଏନ୍‌ସେଫାଇଲାଇଟିସ୍ ବ୍ୟାପିବା ସଂପର୍କରେ ଆଲୋଚନା କରିଥିଲେ। ମାତ୍ର ବିହାରରୁ ମଧ୍ୟ ଏଭଳି କୌଣସି ପ୍ରମାଣ ନ ଥିବା ସ୍ପଷ୍ଟ କରାଯାଇଥିଲା। ଏହାସହ ରାଜ୍ୟ ଖାଦ୍ୟ ସୁରକ୍ଷା କମିସନର ନିକଟରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇକୁ ଲିଚୁ ଯୋଗୁଁ ମସ୍ତିଷ୍କ ଜ୍ବର ବ୍ୟାପୁଛି କି ନାହିଁ ତାହା ସଂପର୍କରେ ଏକ ରିପୋର୍ଟ ମାଗିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର