ଢେଙ୍କାନାଳ: କିଏ ଦଶମରୁ ପାଠ ଛାଡ଼ିଲାଣି ତ କିଏ ପ୍ରଥମ ଶ୍ରେଣୀ ମାଡ଼ିନି। ପୁଣି କିଏ ପାଠ ପଢ଼ି ବି ଦାଦନ ଖଟିବାକୁ ଗଲାଣି। ଢେଙ୍କାନାଳ ଜିଲ୍ଲାରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ (ପିଭିଟିଜି)ରେ ସାକ୍ଷରତା କହିଲେ ଚିତ୍ର କିଛି ଏମିତି। ପାଠ ପଢ଼ିବାକୁ ଆଗ୍ରହ ବଢ଼ୁନି। ଆଗ୍ରହ ଥିଲେ ପ୍ରୋତ୍ସାହନ ନାହିଁ। ପ୍ରୌଢ଼ ଶିକ୍ଷା କଥା ନ କହିବା ଭଲ। ପିଭିଟିଜି କଥା ଛାଡ଼, ସାଧାରଣ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ମହିଳାଙ୍କ ସାକ୍ଷରତା ହାର ୫୦ ପ୍ରତିଶତ ଡେଉଁନି। ଯେଉଁମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେମାନଙ୍କ ସାକ୍ଷରତା କଥା ନ କହିଲେ ଭଲ। ଦେଶ ଟେକ୍ନୋଲୋଜିରେ ବିଶ୍ବଗୁରୁ ହେବାକୁ ବସିଥିଲାବେଳେ ଆଦିମ ଜନଜାତି ଲୋକେ ଏବେ ବି ଆଙ୍ଗୁଠି ଗଣି ହିସାବ କରୁଛନ୍ତି।
ଢେଙ୍କାନାଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟ ସହ ପିଭିଟିଜିମାନଙ୍କ ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କେନ୍ଦ୍ର ସରକାରଙ୍କ ତରଫରୁ ଏଥିଲାଗି ନୋଡାଲ୍ ଅଧିକାରୀ ବି ନିଯୁକ୍ତ ହୋଇଛନ୍ତି। ହେଲେ ଜିଲ୍ଲାରେ ସେମାନଙ୍କ ସାକ୍ଷରତା ବଢ଼ିପାରୁନି। ସରକାରୀ ତଥ୍ୟ ମୁତାବକ, ଜିଲ୍ଲାରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ୩୫୬୮୧ ପରିବାର ରହୁଛନ୍ତି। ୮୦୮୭୮ ପୁରୁଷ ଓ ୮୧୧୭୮ ମହିଳାଙ୍କୁ ମିଶାଇ ସେମାନଙ୍କ ମୋଟ ଜନସଂଖ୍ୟା ୧,୬୨,୦୫୬। ହେଲେ ମୋଟ ସାକ୍ଷରତା ହାର ମାତ୍ର ୬୦.୩୯ ପ୍ରତିଶତ। ସେମାନଙ୍କ ମଧ୍ୟରେ ମହିଳାଙ୍କ ସାକ୍ଷରତା ହାର ୫୦.୦୪। ଅଧିକାଂଶ ମହିଳା ଗୃହିଣୀ ହୋଇଥିବାବେଳେ ପିଲାଦିନେ ଯେତିକି ଟିପ ହିସାବ କରିଥିଲେ ସେତିକି। ଅତି ବେଶିରେ ମିଶାଣ, ଫେଡ଼ାଣକୁ ଛାଡ଼ିଦେଲେ ବାକି ପାଠଘର ଶୂନ। ସେଥିରେ ଦୈନନ୍ଦିନ ଘର ଚଳାଇବାଠାରୁ ଦୋକାନ ସଉଦା ସବୁ ହିସାବ ପୁରୁଷମାନେ କରୁଛନ୍ତି।
ଆଙ୍ଗୁଠି ଟିପ ଗଣି ହିସାବ କରୁଛନ୍ତି
ପିଲାଙ୍କୁ ହରଣ, ଗୁଣନ ବି ଆସୁନି
ଏସ୍ଟି ମହିଳାଙ୍କ ସାକ୍ଷରତା ୫୦.୪%
ଏ ଗଲା ଅନୁସୂଚିତ ଜନଜାତି ସମ୍ପ୍ରଦାୟ କଥା। କିନ୍ତୁ ଅନୁନ୍ନତ ଜନଜାତି ସମୂହ (ପିଭିଟିଜି)ଙ୍କ ସାକ୍ଷରତା ହାର ଆହୁରି ନୈରାଶ୍ୟଜନକ। ବିଭାଗୀୟ ସୂଚନା ଅନୁଯାୟୀ, ୭ଟି ବ୍ଲକ୍ର ୫୨ ପଞ୍ଚାୟତରେ ଏହି ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ୧୦୯ଟି ଗାଁ/ପଡ଼ାରେ ୨୯୧୩ଟି ପିଭିଟିଜି ପରିବାର ରହୁଛନ୍ତି। ସେମାନଙ୍କ ମୋଟ୍ ଜନସଂଖ୍ୟା ହେଉଛି ୧୦୯୩୧। ତେବେ ଏହି ସମ୍ପ୍ରଦାୟରେ ବୟସ୍କଙ୍କ କଥା ଦୂରେ ଥାଉ, ପାଠ ପଢ଼ୁଆ ପିଲାମାନେ ବି ଆଗକୁ ବଢ଼ି ପାରୁନାହାନ୍ତି। କାହା ଗାଁରେ ଅଙ୍ଗନବାଡ଼ି କି ସ୍କୁଲ୍ ନାହିଁ ତ କିଏ ଉଚ୍ଚଶିକ୍ଷା ଲାଗି ଗାଁ ବାହାରକୁ ଯାଇ ପାରୁନି। ଯାହାର ମୁଣ୍ଡକୁ ଛାତ, ପେଟକୁ ଭାତ ଗଣ୍ଡେ ନାହିଁ; ସେମାନେ ପାଠ କଥା କେମିତି ଚିନ୍ତା କରିବେ? ଆଜି ବି ଏ ପ୍ରଶ୍ନ ଜୁଆଙ୍ଗ ଜନଜାତି ଲୋକେ ପଚାରିବାକୁ ପଛାଉ ନାହାନ୍ତି। ପାଠ ପଢ଼ୁଆ ପିଲାମାନେ ସାଧାରଣ ହରଣ, ଗୁଣନ କରିପାରୁନାହାନ୍ତି। ଗତ କିଛି ବର୍ଷ ଧରି ଜୁଆଙ୍ଗ ଜନଜାତିରେ ଦଶମ ଶ୍ରେଣୀ ପରୀକ୍ଷାଫଳ ଦେଖିଲେ ଏହା ଭଲରେ ବୁଝା ପଡ଼ୁଛି। ଗୃହିଣୀଙ୍କ କ୍ଷେତ୍ରରେ ହାରାହାରି ସାକ୍ଷରତା ୩୦ରୁ ୪୦ ପ୍ରତିଶତ ଭିତରେ ରହୁଛି। ଯଦିଓ ଏ କ୍ଷେତ୍ରରେ ପୁରୁଷ ପ୍ରାୟ ୫୦ ପ୍ରତିଶତ ସାକ୍ଷର ଥିବା ଜଣାଯାଇଛି।
ଜିଲ୍ଲାରେ ଜୁଆଙ୍ଗଙ୍କ ବିକାଶ ଲାଗି ଜୁଆଙ୍ଗ ଉନ୍ନୟନ କର୍ତ୍ତୃପକ୍ଷ ରହିଛନ୍ତି। କାମାକ୍ଷାନଗର ଉପଖଣ୍ଡରେ ଏହାର କାର୍ଯ୍ୟାଳୟ ରହିଛି। ଜୁଆଙ୍ଗଙ୍କ ଦାରିଦ୍ର୍ୟ ଦୂରୀକରଣ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି କେନ୍ଦ୍ର ସରକାର ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏପରିକି ପିଭିଟିଜିଙ୍କ ଉନ୍ନୟନକୁ ଅଗ୍ରାଧିକାର ଦେବା ଲାଗି ନୋଡାଲ୍ ଅଧିକାରୀ ନିଯୁକ୍ତ ହେବା ସହ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଅନୁନ୍ନତ ଜନଜାତି ସମୁଦାୟ ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ କାର୍ଯ୍ୟକ୍ରମ (ଓପିଲିପି) ୨୦୧୬-୧୭ରୁ ଆରମ୍ଭ ହୋଇ ଗତ ୩୦ ସେପ୍ଟେମ୍ବରରେ ଶେଷ ହୋଇଛି। ନିକଟରେ କେନ୍ଦ୍ର ସରକାର ପିଏମ୍ ଜନମନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପିଭିଟିଜି ଅଞ୍ଚଳରେ ଛାତ୍ରାବାସ ନିର୍ମାଣ ସହ ସେମାନଙ୍କ ସାକ୍ଷରତା ହାର ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ସବୁ ପରେ ବି ତୃଣମୂଳସ୍ତରରେ ସାକ୍ଷରତା ବଢ଼ିପାରୁ ନଥିଲାବେଳେ ସେମାନେ ଉଚ୍ଚଶିକ୍ଷା କେମିତି ପାଇବେ ତାହା ଏବେ ପ୍ରଶ୍ନବାଚୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/07/UEX8kHXY7WTgLK9UcrYd.jpg)