‘କାହାଣୀ’ର ସାରସ୍ୱତ ସମାରୋହ: ‘ସାହିତ୍ୟିକମାନେ ସମା‌ଜରେ ବିପ୍ଳବ ଆଣିପାରିବେ’

ପାଠକମାନେ ଗ୍ରାହକ ହୁଅନ୍ତୁ: ସୌମ୍ୟ, ସମ୍ବର୍ଦ୍ଧିତ ହେଲେ ୧୦ ସାରସ୍ବତ ପ୍ରତିଭା

ଭୁବନେଶ୍ବର : ଓଡ଼ିଶାରେ ପାଠକଙ୍କ ସଂଖ୍ୟା ଓ ପାଠକ ହେବାର ଆଗ୍ରହ ଧୀରେଧୀରେ କମ୍‌ ହେବାରେ ଲାଗିଛି। ଫଳରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ବଡ଼ ଅଭାବବୋଧ ସୃଷ୍ଟି ହୋଇଛି। ଆମ ସାହିତ୍ୟିକମାନେ ଏନେଇ ଅଧିକ ସଚେତନ ହେବା ସହ ପାଠକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଉଚିତ। ସାହିତ୍ୟିକମାନେ ଚାହିଲେ ସମା‌ଜରେ ବିପ୍ଳବ ଆଣିପାରିବେ। ଏଥିପାଇଁ ସେମାନଙ୍କୁ ବିପ୍ଲବର ଲେଖନୀ ଧରିବାକୁ ପଡ଼ିବ। ଲେଖକମାନେ ନିର୍ଭୀକ ଓ ସାହସୀ ହେବାର ଆବଶ୍ୟକତା ରହିଛି। ଆଜି ଜୟଦେବ ଭବନରେ ସାହିତ୍ୟ ପତ୍ରିକା ‘କାହାଣୀ’ର ୨୦ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏହା କହିଛନ୍ତି।

କାହାଣୀର ମୁଖ୍ୟ ସମ୍ପାଦକ ରବିନାରାୟଣ ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ‘ସମ୍ବା‌ଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ସରକାରଙ୍କ ପୁରସ୍କାରଗୁଡ଼ିକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଛି। କିନ୍ତୁ ବଡ଼ବଡ଼ ସାହିତ୍ୟିକମାନଙ୍କୁ ବେସରକାରୀ ଅନୁଷ୍ଠାନଗୁଡ଼ିକ ସମ୍ମାନିତ କରିବା ପରମ୍ପରା, ସରକାରଙ୍କ ରାଷ୍ଟ୍ରକୃପା ବାଣ୍ଟିବାର ବଦଭ୍ୟାସ ଉପରେ ନିଶ୍ଚିତ ଅଙ୍କୁଶ ଲଗାଇବ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ପାଠକମାନଙ୍କୁ ଗ୍ରାହକ ହେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଯଦି ପତ୍ରପତ୍ରିକା ବା ମୁଦ୍ରିତ ଗଣମାଧ୍ୟମଗୁଡ଼ିକର ମାଲିକାନା ପାଠକଙ୍କ ପାଖରେ ନ ରହି ବିଜ୍ଞାପନଦାତାଙ୍କ ହାତରେ ରୁହେ; ସମ୍ବାଦ, ସାହିତ୍ୟ ଓ ସର୍ଜନା ସଂକୁଚିତ ହୋଇଯାଏ। ଗଦ୍ୟ/କାହାଣୀ ଗଣତନ୍ତ୍ରକୁ ସୁଦୃଢ଼ କରେ। ଆମେ ଯଦି କାହାଣୀ ନ ପଢ଼ିବା, ନ କହିବା ବା ନ ଜାଣିବା,‌ ଜନପ୍ରତିନିଧି ଭାବେ ଆମ କଥା ଆମେ ଉପସ୍ଥାପନା କରିପାରିବା ନାହିଁ।

ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା କହିଥିଲେ, ଯେତେବେଳେ ସ୍ରଷ୍ଟା ଭିତରେ ସୃଜନଶୀଳତାର ଅନୁଭୂତି ଅତି ତୀବ୍ର ହୋଇଯାଏ ଏବଂ ସେ ସେଇ ଅନୁଭୂତିରେ ଆଚ୍ଛନ୍ନ ହୋଇଯାଏ, ସେତେବେଳେ ଲେଖାଲେଖି ଆଉ କ୍ଲେଶ ଦିଏନି। ଆତ୍ମସନ୍ତୋଷ ଦିଏ। ସେ ସମାଜ ପାଇଁ, ବିକାଶ ପାଇଁ ଓ ପରିବର୍ତ୍ତନ ପାଇଁ ଲେଖେ।
ଏହି ଅବସରରେ ୧୦ ସାରସ୍ବତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଥା‌କାର ଅଧ୍ୟାପକ ବିଶ୍ବରଞ୍ଜନ, ଦାଶ ବେନହୁର, ଗୌରହରି ଦାସ, ରଜନୀକାନ୍ତ ମହାନ୍ତି, ପ୍ରଭାକର ସ୍ବାଇଁ, ବଳଦେବ ମହାରଥା ଓ କ୍ଷୀରୋଦ ଦାସଙ୍କୁ ‘କାହାଣୀ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଥିଲା। ସେହିଭଳି ଗାଳ୍ପକା ଇତି ସାମନ୍ତଙ୍କୁ ‘କାହାଣୀ ଗଳ୍ପ ପୁରସ୍କାର’, କବି ଶ୍ରୀଦେବଙ୍କୁ ‘କାହାଣୀ କବିତା ପୁରସ୍କାର’ ଓ ଅତୁଲ ବଳଙ୍କୁ ‘କାହାଣୀ ପ୍ରଚ୍ଛଦ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହି ଅବସରରେ କାହାଣୀର ବର୍ଷା ସଂଖ୍ୟା ଉନ୍ମୋଚିତ ହୋଇଥିଲା। ‘କାହାଣୀ’ର ସମ୍ପାଦକ ‌ବିଜୟ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର