କରୋନାରେ ସାହିତ୍ୟିକ ଡମ୍ବରୁଧରଙ୍କ ପରଲୋକ

ରାୟଗଡ଼ା : ବୃତ୍ତିରେ ବାଣିଜ୍ୟକର ବିଭାଗର ପଦସ୍ଥ ଅଧିକାରୀ। ନିଶା କିନ୍ତୁ ସାହିତ୍ୟ ସାଧନା। ବୃତ୍ତିଗତ ଓ ସାହିତ୍ୟିକ ଜୀବନର ଏହି ସଫଳ ବ୍ୟକ୍ତିତ୍ବ ଆଜି ଜୀବନଯୁଦ୍ଧରେ ହାରିଯାଇଛନ୍ତି। କରୋନା ସଂକ୍ରମିତ ହେବାପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରେ ଜେକେପୁର କୋଭିଡ୍‌ ହସ୍‌ପିଟାଲରେ ଶେ‌ଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ହେଉଛନ୍ତି, ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡମ୍ବରୁଧର ପଟ୍ଟନାୟକ (୫୨)। ତାଙ୍କ ମୃତ୍ୟୁରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଆଖି ସମସ୍ୟା ପାଇଁ ନିକଟରେ ସେ ବ୍ରହ୍ମପୁରରେ ଅସ୍ତ୍ରୋପଚାର କରି ଘରେ ବିଶ୍ରାମ ନେଉଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଗୁରୁତର ଅବସ୍ଥାରେ ମଙ୍ଗଳବାର ରାତିରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବାହ୍ଣରେ ପତ୍ନୀ ସୁପ୍ରଭା ପଟ୍ଟନାୟକ, ଝିଅ ସୁରଭି ଶୁଭଦର୍ଶିନୀ, ପୂରବୀ ଶୁଭଦର୍ଶିନୀ, ବଡ଼ଭାଇ ନରସିଂହ ପଟ୍ଟନାୟକ, ଭଣଜା ବିମଳଚାନ୍ଦ ପଟ୍ଟନାୟକ ଓ ପୁତୁରା ପ୍ରଣବକଳ୍ପ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଶାସନ ଦ୍ବାରା କୋଭିଡ୍‌ ନିୟମାନୁଯାୟୀ ଡମ୍ବରୁଧରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ଡମ୍ବରୁଧରଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ସଚିବ ସୁଚିସ୍ମିତା ମନ୍ତ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ରାଜ୍ୟ ଆବାହକ ଡ. ବିଜୟାନନ୍ଦ ସିଂହ, ପ୍ରାକ୍ତନ ଆବାହକ ତଥା ବିଶିଷ୍ଟ ସାହିତ୍ୟିକ ଓ କଥାକାର ଡ. ଗୌରହରି ଦାସ, ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ପଞ୍ଚବଟୀର ସଂପାଦକ ତଥା ରାୟଗଡ଼ା ସମ୍ବାଦ ସାହିତ୍ୟଘର ସଭାପତି ସୁଶାନ୍ତ କୁମାର ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୬୯ ମସିହା ଅଗଷ୍ଟ ୯ ତାରିଖରେ ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ଡମ୍ବସରାରେ ଜନ୍ମଗ୍ରହଣ କରିଥିଲେ ଡମ୍ବରୁଧର। ୨୦୨୦ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ଏଥିସହିତ ୨୦୧୫ ମସିହାରୁ ସମ୍ବାଦ ସାହିତ୍ୟଘର ରାୟଗଡ଼ା ଶାଖାର ଗୁରୁଦାୟିତ୍ବ ତୁଲାଇ ଆସୁଥିଲେ।

ସମ୍ବନ୍ଧିତ ଖବର