ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଜୟନାରାୟଣ ତ୍ରିପାଠୀଙ୍କର ଶନିବାର ସକାଳେ ତାଙ୍କ ସରବାହାଲସ୍ଥିତ ବାସଭବନରେ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସାହିତ୍ୟିକଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
୧୯୩୯ ମସିହା ଏପ୍ରିଲ ୨୫ ତାରିଖରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଶ୍ରୀପୁରା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ହାଇସ୍କୁଲ ଶିକ୍ଷା ପରେ ରେଳ ଡାକ ସେବା ବିଭାଗରେ କର୍ମମୟ ଜୀବନ ଆରମ୍ଭ କରି ଅବସର ଗ୍ରହଣ କରିଥିଲେ। ତାଙ୍କ ରଚିତ କାବ୍ୟ ସଂକଳନଗୁଡ଼ିକ ମଧ୍ୟରୁ ନିର୍ମାଲ୍ୟ(୧୯୯୭), ଗୁପ୍ତଲୀଳା(୨୦୦୨), ଅନ୍ତର୍ଦାହ(୨୦୦୭ ), ବିବର୍ତ୍ତନ (୨୦୧୨), ସମ୍ମୋହନ (୨୦୧୫ ) ଓ ନୈବେଦ୍ୟ (୨୦୧୯) ପ୍ରକାଶିତ ହୋଇଥିବା ବେଳେ ଅପ୍ରକାଶିତ ପାଣ୍ଡୁଲିପି ମଧ୍ୟ ରହିଛି। ଓଡ଼ିଶା ସାହିତ୍ୟ ଏକାଡେମି, ଉତ୍କଳ ସାହିତ୍ୟ ସମାଜ, ଭାରତୀୟ ଦଳିତ ସାହିତ୍ୟ ଏକାଡେମି, ନୂଆଦିଲ୍ଲୀ ତଥା ଅନେକ ସାରସ୍ବତ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ବଡ଼ପୁଅ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଡ. ବ୍ୟୋମକେଶ ତ୍ରିପାଠୀ ଭୁବନେଶ୍ବରରୁ ଆସିବା ପରେ ସନ୍ଧ୍ୟାରେ ସ୍ଥାନୀୟ ମୁକ୍ତିଧାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ତ୍ରିପାଠୀଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ, ୩ ପୁଅ ବ୍ୟୋମକେଶ, ତ୍ରିଦିବେଶ, ଶୋଭେସଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/tripathy.jpg)