ସମ୍ବଲପୁର: ବିଶିଷ୍ଟ କବି, କଥାକାର, ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ କୁମାର ହସନ ଆଉ ଆମ ଗହଣରେ ନାହାନ୍ତି। ୧୯୬୦ ଫେବ୍ରୁଆରି ୨ରେ ସମ୍ବଲପୁରରେ ଜନ୍ମ ନେଇଥିବା କୁମାର ହସନଙ୍କ ଆଜି ସକାଳ ୮ଟା ୧୨ରେ ସମ୍ବଲପୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟର ସାମ୍ବାଦିକ ଓ ସାହି‌ତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

Advertisment

କୁମାର ହସନ ଓଡ଼ିଆ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ ଲେଖନୀଚାଳନା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ପୁସ୍ତକ ଉର୍ଦ୍ଦୁ, ବଙ୍ଗଳା, ଅହମିୟା, ପଂଜାବୀ, ମରାଠି, ତେଲଗୁ ସମେତ ଇଂରାଜୀ, ରୁଷୀୟ, ଜର୍ମାନ, ‌ଫରାସୀ, ଚୀନା ଆଦି ଭାଷାରେ ଅନୁବାଦ ହୋଇଛି। ତାଙ୍କୁ ଫିନ୍‌ଲ୍ୟାଣ୍ଡର ବିଶ୍ବ ଶାନ୍ତି ପରିଷଦ ପୁରସ୍କାର, ହିନ୍ଦି ସାହିତ୍ୟ ପାଇଁ ଭାରତ ସରକାରଙ୍କଠାରୁ ଜାତୀୟ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର, ଝଙ୍କାର କବିତା ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ସାହିତ୍ୟ ଭାରତୀ ଯୁବ ସମ୍ମାନ, ଡ. ଆମ୍ବେଦକର ଫେଲୋସିପ୍ ସହିତ ସମ୍ମାନସୂଚକ ଆଚାର୍ଯ୍ୟ ଡିଗ୍ରି ଆଦି ବହୁ ପୁରସ୍କାର ମିଳିଛି। ସାପ୍ତାହିକ ଗଣବାର୍ତ୍ତା, ଦୈନିକ ହୀରାଖଣ୍ଡ ଓ ‘ସମ୍ବାଦ’ ଆଦି ସମ୍ବାଦପତ୍ରରେ କାର୍ଯ୍ୟକରିବା ପରେ କିଛି ବର୍ଷ ତଳେ ଦୈନିକ ‘ସମାଜ’ର ବରିଷ୍ଠ ସହ ସଂପାଦକ ପଦରୁ ଅବସର ନେଇଥିଲେ।

ସେ ଓଡ଼ିଶା ଜନବାଦୀ ଲେଖକ ସଂଘର ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗ‌ରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ, ସାଧାରଣ ପରିଷଦ ସଦସ୍ୟ ପଣ୍ଡିତ ଅନ୍ତର୍ଯାମୀ ମିଶ୍ର, ବିଜୟ କୁମାର ଶତପଥୀ ଏକ ଶୋକବାର୍ତ୍ତାରେ କହିଛନ୍ତି, ‘ବିଖ୍ୟାତ ଅନୁବାଦକ, ସଂପାଦକ ଓ କବି କୁମାର ହସନ ପ୍ରତିକୂଳ ପରିସ୍ଥିତି ଭିତରେ ଜୀବନସାରା ସାହିତ୍ୟ ସାଧନା ଅବ୍ୟାହତ ରଖିଥିଲେ’। ତାଙ୍କ ରଚିତ ୬୦ରୁ ଅଧିକ ପ୍ରକାଶିତ ପୁସ୍ତକ ପାଠକଙ୍କ ହୃଦୟ ଜିଣିଛି। ଏହା ମଧ୍ୟରେ କବିତା ସଂକଳନ ଠିଆ ଲଙ୍ଗଳା, କହିବାର ଅଛି ଅନେକ କିଛି, ଗଳ୍ପ ସଂକଳନ ଆଉ ଏକ କଲମ୍ବସ, ନିଷିଦ୍ଧ କଥା, ସମ୍ବଲପୁରୀ ଲୋକ ସାହିତ୍ୟ, ସମ୍ବଲପୁରୀ ଲୋକକଥା ଓ ଗୀତ, ଜଙ୍ଗଲନାମା ଭଳି ବହୁ ଲୋକପ୍ରିୟ ପୁସ୍ତକ ରହିଛି।