ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ବର : ପ୍ରଖ୍ୟାତ ଓଡ଼ିଆ କବି, ସାହିତ୍ୟିକ ଓ ଅନୁବାଦକ ଶୁଭେନ୍ଦୁ ମୁଣ୍ଡ ଆଉନାହାନ୍ତି। ଶୁକ୍ରବାର ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ମଧୁମେହ ସହ ହୃଦ୍‌ରୋଗ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଦୁଇଦିନ ତଳେ ଜ୍ବରରେ ପୀଡ଼ିତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ସକାଳେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ଦିନ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଦୁଇ ପୁଅ ଆକାଶ ମୁଣ୍ଡ୍‌ ଓ ରାଜା ମୁଣ୍ଡ୍‌ ଓଡ଼ିଶା ବାହାରେ ରହୁଥିବାରୁ ଶେଷକୃତ୍ୟରେ ଉପସ୍ଥିତ ରହି ପାରିନଥିଲେ। ସ୍ବର୍ଗତ ମୁଣ୍ଡ୍‌ଙ୍କ ଝିଅ ବର୍ଷା ପ୍ରିୟଦର୍ଶିନୀ ମୁଖାଗ୍ନି ଦେଇଥିଲେ ବୋଲି ତାଙ୍କ ସମ୍ପର୍କୀୟା ତଥା ସାହିତ୍ୟିକା ସୁନୀତି ମୁଣ୍ଡ ସୂଚନା ଦେଇଛନ୍ତି। ସେ ପତ୍ନୀ ପ୍ରଣତି ମୁଣ୍ଡ୍‌ଙ୍କ ସହ ଭୁବନେଶ୍ବରସ୍ଥିତ ଶୈଳଶ୍ରୀବିହାରଠାରେ ରହୁଥିଲେ। ସ୍ବର୍ଗତ ମୁଣ୍ଡ୍‌ଙ୍କ ମୃତ୍ୟୁରେ ସାହିତ୍ୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସ୍ବର୍ଗତ ମୁଣ୍ଡ୍‌ଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି।

ସ୍ବର୍ଗତ ମୁଣ୍ଡ୍‌ ୧୯୫୧ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ପ୍ରଖ୍ୟାତ କବି, ସାହିତ୍ୟିକ ଓ ଶିକ୍ଷାବିତ୍‌ ସ୍ବର୍ଗତ ପର୍ଶୁରାମ ମୁଣ୍ଡ୍‌ ଓ ମାତା ସ୍ବର୍ଗତା ପ୍ରଭାମୟୀ ମୁଣ୍ଡ୍‌। ଇଂରାଜୀ ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷାଲାଭ ପରେ ସ୍ବର୍ଗତ ମୁଣ୍ଡ୍‌ ଓଡ଼ିଶା ଶିକ୍ଷା ସେବାରେ ୧୯୭୩ ମସିହାରେ ଯୋଗ ଦେଇଥିଲେ। ସେ ୩୬ବର୍ଷ କାଳ ଅଧ୍ୟାପନା ତଥା ଶିକ୍ଷାନୁଷ୍ଠାନ ପରିଚାଳନା କରି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ୨୦୦୯ ମସିହା‌‌ରେ ଅବସର ଗ୍ରହଣ କରିଥିଲେ।

ସ୍ବର୍ଗତ ମୁଣ୍ଡ୍‌ ୧୯୬୮ ମସିହାରୁ ଲେଖାଲେଖି କରି ଆସୁଛନ୍ତି ଓ ବିଭିନ୍ନ ପତ୍ରପତ୍ରିକାରେ ସେସବୁ ପ୍ରକାଶିତ ହେଉଥିଲା। ୧୯୭୨-୭୩ ବର୍ଷ ପାଇଁ ସେ ଓଡ଼ିଆ ଯୁବଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୯-୭୦ରୁ ଉପାନ୍ତ ଅଞ୍ଚଳ ଜୟପୁରଠାରୁ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ସେ ଏ ପର୍ଯ୍ୟନ୍ତ ୬ଟି କବିତା ସଂକଳନ ଯଥା, ‘ଶବ୍ଦ ନିଃଶବ୍ଦ’, ‘ମୁହୂର୍ତ୍ତଟିଏ, ମୋହିନୀ’, ‘ସ୍ବପ୍ନାବର୍ତ୍ତ’, ‘ଶବ୍ଦଫେଣା’, ‘ସ୍ଥିର ଉଡ଼ାଣ’ ଓ ‘ଅନ୍ତରଙ୍ଗ ଉଚ୍ଚାରଣ’ ଆଦି ଲେଖିଥିବା ବେଳେ ଦୁଇଟି ଗଳ୍ପ ସଂକଳନ ‘ଛକ’ ଓ ‘ସୀମାବନ୍ଧ’, ୫ଟି ପ୍ରବନ୍ଧ ବା ସମାଲୋଚନା ପୁସ୍ତକ ଯଥା ‘କବି ପଦ୍ମଚରଣ ପଟ୍ଟନାୟକ’, ‘ନାଟକ ଜିଜ୍ଞାସା’, ‘ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକ: ନବମୂଲ୍ୟାୟନ’, ‘ସାହିତ୍ୟ ଓ ସାଂସ୍କୃତିକ ଅଧ୍ୟୟନ: କୋତୋଟି ଚିନ୍ତନ’ ଓ ‘ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା’, ଅନୁବାଦ ପୁସ୍ତକ ‘ଲୋଭୀ ବାଛୁରୀ’ ଓ ‘ତ୍ୟାଗରାଜ’ ଏବଂ ଭ୍ରମଣ ସାହିତ୍ୟ ‘ଦେଶ ଦେଶ ମଣିଷ ମଣିଷ’ ଆଦି ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ଏଥିସହ ଇଂରାଜୀ ଭାଷାରେ ବହୁ ପୁସ୍ତକ ଲେଖି ଯାଇଛନ୍ତି।

ଖାଲି ସେତିକି ନୁହେଁ, ଅନେକ ଅଭିଧାନିକ ତଥା ଓଡ଼ିଆ ଭାଷା ସମ୍ପର୍କିତ କାର୍ଯ୍ୟରେ ସ୍ବର୍ଗତ ମୁଣ୍ଡ୍‌ ସମ୍ପୃକ୍ତ ରହିଥିଲେ। ପୁସ୍ତକାକାରରେ ପ୍ରକାଶିତ କୃତିଗୁଡ଼ିକ ହେଲା, ଚଳନ୍ତି ଓଡ଼ିଆ ଅଭିଧାନ (ସମ୍ପାଦନା ଓ ସଂକଳନ), ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ(ସଂକଳନ), ବ୍ୟୁରୋସ୍‌ ଇଂଲିସ୍‌-ଓଡ଼ିଆ ଡିକ୍‌ସନାରି ଓ କମ୍ପ୍ୟୁଟର ବିଜ୍ଞାନ ପରିଭାଷା ପ୍ରଭୃତି।

କେନ୍ଦ୍ରସାହିତ୍ୟ ଅକାଦେମି ପକ୍ଷରୁ ଶୋକ
ବିଶିଷ୍ଟ କବି, ପ୍ରାବନ୍ଧିକ, ଗବେଷକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କ ତିରୋଧାନରେ କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ଗଭୀର ଶୋକ ପ୍ରକାଶକରି କହିଛନ୍ତି, ଡକ୍ଟର ମୁଣ୍ଡଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ତାଙ୍କର ଆକସ୍ମିକ ତିରୋଧାନ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କ୍ଷତି ସାଧନ କରିଛି।

ସମ୍ବନ୍ଧିତ ଖବର