କେନ୍ଦୁଝର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ବସ୍‌ ଚକ ତଳେ ମରିବା ପାଇଁ ଛାଡ଼ିଦେଲେ। ସୌଭାଗ୍ୟକୁ ବସ୍‌ ହେଲପର୍‌ଙ୍କ ନଜର ପଡ଼ିଲା। ଶିଶୁକନ୍ୟାର ଜୀବନ ବଞ୍ଚିଗଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଲାରିପାଲି ଗାଁର ଶ୍ରୀରାମବୁଢ଼ା ଜଙ୍ଗଲର ଏକ ବୋର୍‌ୱେଲ୍‌ରେ ପକାଇ ପଳାଇଥିଲା ମା’। ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ସମାନ ଘଟଣା ଚମ୍ପୁଆରେ ଘଟିଛି।

Advertisment

ରବିବାର ରାତି ପ୍ରାୟ ୯ଟାବେଳେ ଚମ୍ପୁଆ ବସ୍‌ଷ୍ଟାଣ୍ଡ‌ରେ ଛିଡ଼ା ହୋଇଥିଲା ଧବଳେଶ୍ବର ନାମକ ଏକ ଘରୋଇ ବସ୍। ଏହା ଖିଚିଂରୁ ସନ୍ଧ୍ୟା ସାଢ଼େ ୬ଟାବେଳେ ଫେରିଥିଲା। ପୁଣି ସକାଳ ୭ଟାବେଳେ ବସ୍‌ଟି ଖିଚିଂ ଅଭିମୁଖେ ଯାତ୍ରା କରିଥାନ୍ତା। ‌ହେଲପର୍‌ ଗୁଡ଼ୁ ମହାରଣା ବସ୍‌ ଜଗିଥିଲେ। ରାତିରେ ସେ ହୋଟେଲରୁ ଖାଇ ସାରି ଶୋଇବା ପାଇଁ ବସ୍‌କୁ ଆସିବା ବେଳେ ଚକାଗୁଡ଼ିକ ଯାଞ୍ଚ କରିଥିଲେ। ଏହି ସମୟରେ ଏକ ଜରିଅଖା ବ୍ୟାଗରେ ବସ୍‌ ଚକତଳେ କିଛି ରଖାଯାଇଥିବା ଗୁଡ଼ୁ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ଉକ୍ତ ବ୍ୟାଗ୍‌କୁ ଆଣିବା ବେଳେ ଶିଶୁଟି କାନ୍ଦିଥିଲା। ଶିଶୁଟିର ବୟସ ପ୍ରାୟ ୬ମାସ ହେବ। ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ଚମ୍ପୁଆ ଥାନା ଅଧିକାରୀ ତ୍ରିନାଥ ସେଠୀଙ୍କ ନେତୃ୍ତ୍ବରେ ପୁଲିସ ଟିମ୍‌ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଶିଶୁଟି ସୁସ୍ଥ ଅଛି। ଆଜି ଶିଶୁଟିକୁ କେନ୍ଦୁଝର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି। ଶିଶୁଟି ବର୍ତ୍ତମାନ ଘସିପୁରାର ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଛି।

ନାଲିଶାଢ଼ି ପିନ୍ଧିଥିବା ଜଣେ ମହିଳା ଶିଶୁକନ୍ୟାକୁ ବସ୍‌ ଚକତଳେ ରଖି ଚାଲି ଯାଇଥିବା କୁହାଯାଉଛି। ଏସମ୍ପର୍କରେ ଚମ୍ପୁଆ ଥାନା ଅଧିକାରୀ ତ୍ରିନାଥ ସେଠୀ କହିଛନ୍ତି, ଗତକାଲି ଶିଶୁକନ୍ୟାକୁ ଉଦ୍ଧାର କରାଯିବା ପରେ ତାର ଚିକିତ୍ସା କରାଯାଇ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି। ଶିଶୁଟିକୁ କିଏ ଆଣି ବସ୍‌ ଚକତଳେ ରଖିଲା ସେ ସଂପର୍କ​ରେ ତଦନ୍ତ ଚାଲିଛି। ଆଖାପାଖର ସିସିଟିଭି ଯାଞ୍ଚ କରାଯାଉଛି ବୋଲି ଶ୍ରୀ ସେଠୀ କହିଛନ୍ତି।