କଟକ: ୨୦୧୬ ପରେ ପ୍ରଥମ ଥର ପାଇଁ କଟକରେ ପାର୍ବଣ ପୂର୍ବରୁ ଏକାଠି ହେଇଛନ୍ତି ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ସହଯୋଗୀ। ବିଡ଼ାନାସୀର ଭୁଆଶୁଣି ପଠାରେ ଲିଟୁଆ ଓରଫ ଭରତ ସାହୁ ନେତୃତ୍ବରେ ଗ୍ୟାଙ୍ଗ୍ର ପ୍ରମୁଖ ସହଯୋଗୀମାନେ ଅଦିନିଆ ଭୋଜିଭାତ ବାହାନାରେ ଏକାଠି ହୋଇ ମେଳି ବାନ୍ଧିଛନ୍ତି। ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରୁ ନେଇ ଦୀପୁ ଓ ଓମ୍ ହତ୍ୟା ମାମଲାରେ ନାଁ ଥିବା ଯୁବକମାନେ ଏହି ମେଳିରେ ସାମିଲ ହୋଇଛନ୍ତି। ଏହି ଘଟଣା କଟକ କମିସନରେଟ୍ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିବାକୁ ଯାଉଛି। ୨୦୧୬ ଜାନୁଆରି ୨୮ରେ କଟକ କମିସନରେଟ୍ ପୁଲିସ ସୁଶାନ୍ତ ଓ ସୁଶୀଲଙ୍କୁ ଗିରଫ କରିବା ପରେ କଟକ କମିସନରେଟ୍ ପୁଲିସରେ ସଂଗଠିତ ଅପରାଧ ଏକପ୍ରକାର ବନ୍ଦ ରହିଥିଲା। ଦୀପୁ-ଓମ୍ ହତ୍ୟା ମାମଲାରେ ଧଳସାମନ୍ତ ଭାଇଙ୍କ ସମେତ ୬ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିବା ପରେ ସେମାନଙ୍କ ସହଯୋଗୀଙ୍କ ଭିତରେ ଏକପ୍ରକାର ନୂଆ ଉତ୍ସାହ ସୃଷ୍ଟି ହୋଇଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଭୁଆଶୁଣି ପଠାରେ ଲିଟୁଆ ନେତୃତ୍ବରେ ବିଡ଼ାନାସୀ ବଉଳସାହି ଛକର ଶୁଭେନ୍ଦୁ ଦାସ ଓରଫ୍ ପିଣ୍ଟା, ଚାଉଳିଆଗଞ୍ଜର ଗୁଡ଼ୁ ଓରଫ୍ ଦେବାଶିଷ ସାହୁ, ମଙ୍ଗଳାବାଗ ମାଛୁଆବଜାରର ଚନ୍ଦନ ବେହେରା, ସିଡିଏ ସେକ୍ଟର ୭ର ଲାଲା ଓରଫ ଲଲନ୍ ଗୁପ୍ତା ଏକାଠି ହୋଇଥିଲେ। ୭ରୁ ଅଧିକ ଦାମୀ କାର ସେଠାରେ ଦେଖିବାକୁ ମିଳିଥିବା ବେଳେ ଭୋଜିଭାତ ପରେ ସେମାନେ ବିଭିନ୍ନ ଢଙ୍ଗରେ ପୋଜ୍ ଦେଇ ଉଠାଇଥିବା ଫଟୋ ଭାଇରାଲ୍ ହେଉଛି। ଏଭଳି ମେଳି ବାନ୍ଧିବା ସହିତ ସେମାନେ ସିଡିଏ ସେକ୍ଟର ୧୧ର ବାଲିଘାଟ ମାଲିକଙ୍କୁ ଘାଟ ଖାଲି କରିବାକୁ ଧମକ ଦେଇଥିବା ଭଳି ସଂଗିନ ଅଭିଯୋଗ ମଧ୍ୟ ହୋଇଛି। ଏ ସମ୍ପର୍କରେ ଡିସିପିଙ୍କ କାର୍ଯ୍ୟାଳୟ ବି ଅବଗତ ରହିଛି।
ଜେଲ୍ରୁ ଫେରିବା ପରେ ‘ଥର’ ଗାଡ଼ି ଉପହାର!
ଭୋଜିଭାତ ବାହାନାରେ ଭୁଆଶୁଣି ପଠାରେ ମେଳି
ପୁଲିସର ତଥ୍ୟ ଅନୁଯାୟୀ ଗୁଡ଼ୁ, ଶୁଭେନ୍ଦୁ ଦାସ ଓରଫ୍ ପିଣ୍ଟା, ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ସେହିପରି ମାଛୁଆ ବଜାରର ଚନ୍ଦନ, ଫାରୁକ୍ ହତ୍ୟାକାଣ୍ଡରେ ଗିରଫ ହୋଇ ଜେଲ୍ ଯାଇଥିଲା। ବାଲିଯାତ୍ରା ସମୟରେ ଧଳସାମନ୍ତ ଭାଇ ପାଇଁ ଗାଡ଼ି ପାର୍କିଂ ଟେଣ୍ଡର ହାତେଇବାରେ ଚନ୍ଦନ ପ୍ରମୁଖ ଭୂମିକା ଗ୍ରହଣ କରେ। ଫାରୁକ ହତ୍ୟା ଘଟଣା ଦିନ ଚନ୍ଦନ ନିଜ ଗାଡ଼ିରେ ଶଙ୍କର, ଵାସିମ୍ ଓ ରହିମ୍ ବାବୁକୁ ଧରି ମାଲଗୋଦାମରେ ଫାରୁକଙ୍କୁ ହତ୍ୟା କରିବାକୁ ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାରେ ଲଲନ୍ ଥିଲା ଅନ୍ୟତମ ଅଭିଯୁକ୍ତ। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା। ଲିଟୁଆ ଓ ପିଣ୍ଟା ଦୀପୁ-ଓମ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ତେଲ ବ୍ୟବସାୟୀ ଗୋପାଳ ଗୁପ୍ତାଙ୍କୁ ଚୌଦ୍ବାର ଜେଲରୁ ୫୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗ ହୋଇଥିବା ବେଳେ ଲିଟୁଆକୁ ଚୌଦ୍ବାର ଜେଲରୁ ଢେଙ୍କାନାଳଜିଲ୍ଲା ଜେଲ ଓ ପିଣ୍ଟାକୁ ଅନୁଗୁଳ ଜିଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଲିଟୁଆ ଗଲା ପ୍ରାୟ ମାସକ ତଳେ ଢେଙ୍କାନାଳ ଜେଲରୁ ଫେରିବା ପରେ ଏବେ ପୂରା ଧଳସାମନ୍ତ ଗ୍ୟାଙ୍ଗକୁ କଟକ ସହରରେ ସଂଗଠିତ କରିବା ପଛରେ ପ୍ରମୁଖ କାର୍ପଟଦାର ଭୂମିକା ତୁଲାଉଛି। ଏମିତିକି ଲିଟୁଆ ନୂଆ ଥର୍ ଗାଡ଼ି ଧରି ବୁଲୁଥିବା ବେଳେ କେହି ହୁଏତ ତାକୁ ଉପହାର ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/23/gang-2025-08-23-02-44-39.jpg)