କଟକ : ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ। ଏ ନେଇ ହାଇକୋର୍ଟ ପକ୍ଷରୁ ସ୍ବତନ୍ତ୍ର ନିୟମାବଳି ପ୍ରଣୟନ କରାଯାଇଛି। ନୂତନ ନିୟମାବଳି ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ମାମଲା ଶୁଣାଣି ପ୍ରକ୍ରିୟା (କୋର୍ଟ ପ୍ରୋସିଡିଂ) ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ। ମାମଲା ଶୁଣାଣିର ସିଧା ପ୍ରସାରଣ ସଂପର୍କିତ ୱେବ୍ ଲିଙ୍କ୍ ହାଇକୋର୍ଟ ୱେବ୍ସାଇଟ୍ରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍ଲିଷ୍ଟରେ ପ୍ରକାଶ ପାଇବ। ପାରିବାରିକ ବିବାଦ, ଶିଶୁ, ବାଳ ଅପରାଧୀ, ପୋକ୍ସୋ ଆଇନ, ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍) ଆକ୍ଟ, ୨୦୧୫, ଆଇପିସିର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲା, ମହିଳାଙ୍କ ସହିତ ଲିଙ୍ଗଭେଦ ସଂପର୍କିତ ହିଂସା, ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସଂପର୍କିତ ମାମଲା, ହେବିୟସ କର୍ପସ, ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କେତେକ ମାମଲାର ସିଧା ପ୍ରସାରଣକୁ ଏଥିରୁ ବାଦ୍ ଦିଆଯାଇଛି।
କୌଣସି ମାମଲାର ଶୁଣାଣି ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ୍ ଦିଆଯିବ। ଏଥିସହିତ ପକ୍ଷ, ଆଇନଜୀବୀ କୌଣସି ମାମଲାର ସିଧା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରିପାରିବେ। ଯଦି ଖଣ୍ଡପୀଠ ଏପରି ଅନୁରୋଧକୁ ଉପଯୁକ୍ତ ବୋଲି ଗ୍ରହଣ କରନ୍ତି, ସିଧା ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇପାରିବେ। ନ୍ୟାୟର ସ୍ବାର୍ଥ ଦୃଷ୍ଟିରୁ ଜରୁରୀ ପରିସ୍ଥିତିରେ ମଧ୍ୟ ମାମଲା ଶୁଣାଣିର ସିଧା ପ୍ରସାରଣ ବନ୍ଦ ପାଇଁ ବିଚାରପତି ନିେର୍ଦ୍ଦଶ ଦେଇ ପାରିବେ। କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣକୁ କୌଣସି ବ୍ୟକ୍ତି ଅଧିକାର ବୋଲି ଦାବି କରିପାରିବେ ନାହିଁ। ଲାଇଭ ଷ୍ଟ୍ରିମିଂ ଭିଡିଓର ଅନଧିକୃତ ବ୍ୟବହାର କରାଯାଇପାରିବ ନାହିଁ। କୋର୍ଟ ପ୍ରୋସିଡିଂର ସିଧାପ୍ରସାରଣ କରାଯାଉଥିବା ଭିଡିଓକୁ ଅଦାଲତି ପ୍ରକ୍ରିୟାରେ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବନାହିଁ ଓ ଗ୍ରହଣୀୟ ହେବନାହିଁ। ମାମଲା ଶୁଣାଣିର ସିଧାପ୍ରସାରଣ ବେଳେ କୌଣସି ଟିପ୍ପଣୀ, ମତାମତକୁ ଅଦାଲତି ପ୍ରକ୍ରିୟାର ଅଂଶ ଭାବେ ବା ଅଫିସିଆଲ ଭର୍ସନ ଭାବେ ଗ୍ରହଣ କରାଯିବନାହିଁ। ଖଣ୍ଡପୀଠଙ୍କ ରାୟ, ନିର୍ଦ୍ଦେଶ ଓ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ଏ ସଂପର୍କିତ ସାର୍ଟିଫାଏଡ କପିକୁ କେବଳ ପ୍ରମାଣସିଦ୍ଧ ଭାବେ ଗ୍ରହଣ କରାଯିବ। ଅଦାଲତରେ ମାମଲା ଶୁଣାଣି ପ୍ରକ୍ରିୟାରେ ଅଂଶଗ୍ରହଣ ବେେଳ ଶୃଙ୍ଖଳା ରକ୍ଷା କରାଯିବ ବୋଲି ଏ ସଂପର୍କିତ ନିୟମାବଳିରେ ସ୍ପଷ୍ଟ କରାଯାଇଛି।