ସୁନ୍ଦରଗଡ଼/ଭୁବନେଶ୍ବର: ଦିନକ ବ୍ୟବଧାନ ପରେ ପୁଣି ଆଜି ଆଉ ଏକ ବଜ୍ରକାପ୍ତା ଚୋରା ଚାଲାଣକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ପଣ୍ଡ କରିଛି। ରୢାକେଟ୍‌ର ଦୁଇ ଜନ୍ତୁ ମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଭୋଇପାଲି ଅଞ୍ଚଳର ଇଚ୍ଛାଧର ନାଏକ(୨୬) ଓ ରମେଶ ଚନ୍ଦ୍ର ପାଣ୍ଡେ(୨୮)। ସେମାନଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଗୋଟିଏ କାର ଜବତ କରାଯାଇଛି। ଯାହାର ଓଜନ ୧୦କେଜିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଦୀର୍ଘଦିନ ହେବ ଇଚ୍ଛାଧର, ରମେଶ ଓ ସେମାନଙ୍କ ସହଯୋଗୀ ମିଶି ବାମରା ଜଙ୍ଗଲ ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର କରି ଛାଲ, ନଖ, ଦାନ୍ତ ଚାଲାଣ କରିନ୍ତି। ଏସ୍‌ଟିଏଫ୍‌ ଟିମ୍‌ ହାତରେ ଖବର ଲାଗିବା ପରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ସେମାନେ ମଙ୍ଗଳବାର ରାତିରେ ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ କରୁଥିବା ଏସ୍‌ଟିଏଫ୍‌ ଟିମ୍‌ ବିଶେଷସୂତ୍ରରୁ ଜାଣିବାକୁ ପାଇଥିଲା। କାଳେ ସେମାନେ ଖସି‌ଯିବେ ସେଥିପାଇଁ ଏସ୍‌ଟିଏଫ ତୁରନ୍ତ ସମ୍ବଲପୁର ପୁଲିସ ଓ ବାମରା ଫରେଷ୍ଟ ଡିଭିଜନ ସହ ଯୋଗାଯୋଗ କରିଥିଲା। ଆଉ ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍‌। ସମ୍ବଲପୁର ପୁଲିସ ଓ ବାମରା ବନ୍ୟ କର୍ମଚାରୀଙ୍କ ଦୁଇଟି ଟିମ୍‌ ଜନ୍ତୁ ମାଫିଆଙ୍କୁ ଠାବ ପାଇଁ ଲାଗିପଡ଼ିଥିଲେ।

Advertisment

ଏସ୍‌ଟିଏଫ୍‌ ଟିମ୍‌ ପହଞ୍ଚିବା ପରେ ୩ଟି ଟିମ୍‌ ପିଛା କରି ଗୋବିନ୍ଦପୁର ରେଲୱେ କ୍ରସିଂ ନିକଟ ବଡ଼ ଡୁମ୍ବେରାମୁଣ୍ଡା- ନୂଆପଡ଼ା ରୋଡ୍‌ ନିକଟରେ ଉଭୟ ଏକ କାରରେ ବସିଥିବା ଠାବ କରିଥିଲେ। ପୁଲିସ ଓ ବନ୍ୟ କର୍ମଚାରୀଙ୍କୁ ଚିହ୍ନ ପକାଇ ସେମାନେ ଫେରାର୍‌ ଉଦ୍ୟମ କରିଥିଲେ ବି ଖସିପାରିନଥିଲେ। ଉଭୟଙ୍କୁ ସେଠାରେ କାବୁ କରାଯାଇ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ଏହାପରେ ଉଭୟଙ୍କୁ ବାମରା ଫରେଷ୍ଟ ରେଞ୍ଜକୁ ନେଇ ଜେରା ପରେ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେହିପରି ବଜ୍ରକାପ୍ତାକୁ ବାମରା ଫରେଷ୍ଟ ରେଞ୍ଜରେ ଜିମା ଦିଆଯାଇଛି।