ରାଇରଙ୍ଗପୁର/ବିଶୋଇ: ଧର୍ମ ପରିବର୍ତ୍ତନ ପରେ ଔଷଧ ନଖାଇ ପ୍ରାର୍ଥନା, ପୂଜାର୍ଚ୍ଚନା କରିବାରୁ କିଡ୍ନି ରୋଗରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କେଶାମ ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି। କେଶାମ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ହୋ’ ସମାଜର ମହିଳା ହେଲେ ପିଙ୍କି ଜାମୁଦା (୩୬)। ପିଙ୍କିଙ୍କ ସ୍ବାମୀ ୨ବର୍ଷ ପୂର୍ବରୁ ପ୍ରାଣ ହରାଇଥିବା ବେଳେ ତାଙ୍କର ୩ଟି ସନ୍ତାନ ଅଛନ୍ତି। ସେ କିଡ୍ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ପ୍ରାୟ ସପ୍ତାହକ ତଳେ ଭିନ୍ନ ଧର୍ମର ପ୍ରଚାରକ ତାଙ୍କୁ ଧର୍ମ ପରିବର୍ତ୍ତନ କଲେ ସୁସ୍ଥ ହୋଇଯିବେ ବୋଲି କହିଥିଲେ। ତାଙ୍କ ପ୍ରରୋଚନାରେ ପିଙ୍କି ଅନ୍ୟ ଧର୍ମ ଗ୍ରହଣ କରିବା ସହିତ ଔଷଧ ଖାଇବା ଛାଡ଼ିଦେଇଥିଲେ। ସକାଳେ, ସନ୍ଧ୍ୟାରେ ପ୍ରାର୍ଥନା, ପୂଜାର୍ଚ୍ଚନା କରୁଥିଲେ।
ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଗତ ଶୁକ୍ରବାର ଦିନ ପିଙ୍କିଙ୍କୁ ତାଙ୍କର ନାବାଳିକା ଝିଅ ପ୍ରଥମେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବାରିପଦା ପହଞ୍ଚିବା ପୂର୍ବରୁ ରାସ୍ତାରେ ଜୀବନ ଚାଲି ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଭିନ୍ନ ଧର୍ମର ଲୋକମାନେ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ହେଲେ, ବାରିପଦାକୁ ସ୍ଥାନାନ୍ତର ସମୟରେ ସେମାନଙ୍କୁ ଆଉ ଦେଖିବାକୁ ମିଳିନଥିଲା। ଅନ୍ୟପକ୍ଷରେ, ମାଆଙ୍କ ମୃତ୍ୟୁ ପରେ ଝିଅ ନିରୁପାୟ ହୋଇ ଫୋନ୍ରେ ସମ୍ପର୍କୀୟଙ୍କୁ କାନ୍ଦି କାନ୍ଦି ଯୋଗାଯୋଗ କରିଥିଲେ। ତାଙ୍କ ପାଖରେ ମାତ୍ର ୭୦୦ ଟଙ୍କା ଥିଲା। ଏକୁଟିଆ କେମିତି ଶବ ବ୍ୟବଚ୍ଛେଦ କରାଇବେ ଏବଂ ଘରକୁ କେମିତି ନେବେ ଚିନ୍ତା ପ୍ରକଟ କରିଥିଲେ। ପରେ, ରାଷ୍ଟ୍ରପତି ଭବନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ସମ୍ପର୍କୀୟ କକା ସୁନୀଲ ଜାମୁଦାଙ୍କୁ ଫୋନ୍ରେ ଜଣାଇବା ପରେ ସାହାଯ୍ୟ ମିଳିଥିଲା। ଏହାପରେ ଶବକୁ ଗାଁକୁ ପଠାଯାଇଥିଲା। ତେବେ, ଶବ ଗାଁରେ ପହଞ୍ଚିବା ପରେ ହୋ’ ସମାଜ ଏବଂ ଧର୍ମାନ୍ତରୀକରଣ କରିଥିବା ଲୋକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ପରେ ଶବ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ଆଦିବାସୀମାନଙ୍କୁ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀର ପ୍ରଚାରକମାନଙ୍କ ଦ୍ୱାରା ବେଆଇନ ଧର୍ମାନ୍ତରୀଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେବାପାଇଁ ହୋ’ ସମାଜର ବିଶିଷ୍ଟ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ଦାବି କରିଛନ୍ତି।