କୋଷାଗୁମୁଡ଼ା/କୋଡ଼ିଙ୍ଗା: ଜୀବିକା ପାଇଁ ଘରଠାରୁ ୬୦କିମି ଦୂର ଛତିଶଗଡ଼ର ପାଣ୍ଡାନାରକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାରେ ୩ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଏମ୍. କେରାଗାଁ ପଞ୍ଚାୟତ ସିରାଗୁଡ଼ାର ଧନାଇ ଭତ୍ରା, ଦୟାବତୀ ସରାବୁ ଏବଂ ଏମ. କେରାଗାଁର ପୂର୍ଣ୍ଣି ଭତ୍ରା। ଶ୍ରମିକମାନେ ପିକ୍ଅପ୍ ଭ୍ୟାନ୍ରେ ଫେରୁଥିବା ବେଳେ ଏକ ଟ୍ରାକ୍ଟର ପିକ୍ଅପ୍ ଭ୍ୟାନ୍କୁ ପିଟି ଘୋଷାରି ନେଇଥିଲା। ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଫୁଲବତୀ ଭତ୍ରା, ସୁନାମଣି ଭତ୍ରା ଓ ମାଳତୀ ହରିଜନଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଜଗଦଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଛତିଶଗଡ଼ରୁ ଫେରିବା ବେଳେ ପିକ୍ଅପ୍କୁ ଘୋଷାରି ନେଲା ଟ୍ରାକ୍ଟର
ଏମ୍.କେରାଗାଁ ପଞ୍ଚାୟତର ୧୯ଜଣ ମହିଳା ମୂଲ ଲାଗିବାକୁ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲା ପାଣ୍ଡାନାରସ୍ଥିତ ଏକ କୃଷି ଫାର୍ମକୁ ଯାଇଥିଲେ। ଶନିବାର ସନ୍ଧ୍ୟାରେ ପିକଅପ୍ ଭ୍ୟାନରେ ନିଜ ଘରକୁ ଫେରୁଥିଲେ। ବକାବଣ୍ଡ ଥାନା ଅଞ୍ଚଳ ଏମ୍.କେରାଗାଁଠାରୁ ୩୦କିମି ଦୂର ରାଜନଗରଠାରେ ପିକ୍ଅପ୍ ଭ୍ୟାନ୍ଟିକୁ ଓଭରଟେକ୍ କରୁଥିବା ଏକ ଟ୍ରାକ୍ଟର ପିକ୍ଅପ୍ ଡାଲା ଦେହରେ ପିଟି ହେବା ସହ ଘୋଷାରି ନେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ବକାବଣ୍ଡ ପୁଲିସ ପହଞ୍ଚି ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରି ଜଗଦଲପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଖବର ପାଇ ତୁରନ୍ତ ଏମ୍. କେରାଗାଁ ସରପଞ୍ଚ ପ୍ରତିନିଧି ବିଷମ ଭତ୍ରା, ବୀରପାଲ ଭତ୍ରା, ଭୀମ ସିଂ ରାଉତ, ଚନ୍ଦ୍ର ଗୌଡ଼, କୁମର ହରିଜନ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ଶବକୁ ରବିବାର ଅପରାହ୍ଣରେ ନିଜ ଗାଁକୁ ଅଣାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଏମ୍. କେରାଗାଁ ପଞ୍ଚାୟତ କୁଟିଆରୀଗୁଡ଼ା ଗାଁର କମଲ ପୂଜାରୀଙ୍କର ବୋଲି ଜଣାପଡିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୃତକ ଓ ଆହତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
ସୂଚନାଯୋଗ୍ୟ, ପରିବାର ପୋଷିବାକୁ ପ୍ରତିଦିନ କୋଷାଗୁମୁଡା ବ୍ଲକର ବାଲେଗାଁ, ଏମ୍. କେରାଗାଁ, ଟେମରା, ମୋତିଗାଁ ପଞ୍ଚାୟତର ପ୍ରାୟ ୫୦୦ ମହିଳା ଛତିଶଗଡ଼ ସୀମାନ୍ତରୁ ୫୦ରୁ ୬୦କିମି ଦୂରରେ ଥିବା ବିଭିନ୍ନ କୃଷି ଫାର୍ମକୁ ମୂଲ ଲାଗିବାକୁ ଯାଉଛନ୍ତି। ସେମାନେ ପନିପରିବା କ୍ଷେତରେ କାମ କରିଥାନ୍ତି। ଶ୍ରମିକମାନେ ସକାଳୁ ଯାଇ ପୁଣି ସନ୍ଧ୍ୟାରେ ଫେରିଥାନ୍ତି। ମହିଳା ଶ୍ରମିକଙ୍କୁ ପ୍ରତିଦିନ ଗାଡ଼ିରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ ଲଦି ନିଆଯାଉଛି। ଶ୍ରମିକମାନେ ଅସୁରକ୍ଷିତ ଭାବେ ଗାଡ଼ିରେ ଯାଉଥିବା ଘଟଣା ପ୍ରଶାସନ ପାଖରେ ରହିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନି।