ଦଲାଲ୍‌ଙ୍କ କବଜାରେ କନ୍ଧମାଳ ଆଦିବାସୀଙ୍କ ଜୀବିକା

ପ୍ରକ୍ରିୟାକରଣ ୟୁନିଟ୍‌ ନଥିବାରୁ ଶାଗମାଛ ଦରରେ ଶାଳମଞ୍ଜି କିଣୁଛନ୍ତି ଦଲାଲ

ଫୁଲବାଣୀ: କନ୍ଧମାଳର ଆଦିବାସୀଙ୍କ ପାଇଁ ଜୀବନଜୀବିକାର ଆଉ ଏକ ପ୍ରମୁଖ ମାଧ୍ୟମ ହେଉଛି ଶାଳମଞ୍ଜି। କନ୍ଧମାଳରୁ ବାର୍ଷିକ ହଜାର ହଜାର ଟନ୍‌ ଶାଳମଞ୍ଜି ସଂଗୃହୀତ ହୋଇଥାଏ। ମାତ୍ର, ପଡ଼ୋଶୀ କଳାହାଣ୍ଡି, ଗଞ୍ଜାମ, ରାୟଗଡ଼ା ଜିଲ୍ଲାର ବେପାରୀ ଆଦିବାସୀଙ୍କ ଠାରୁ ଖୁବ୍‌ କମ୍‌ ଦରରେ ଏହାକୁ କିଣି ନେଇଥା’ନ୍ତି। କନ୍ଧମାଳରେ ଏକ ଶାଳମଞ୍ଜି ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ପାଇଁ ବହୁ ଦିନରୁ ଦାବି ରହିଛି। ଏଥିପାଇଁ ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଆଦିବାସୀ ବହୁବାର ଦାବି କରିଛନ୍ତି। କିନ୍ତୁ ଏଯାଏଁ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହୋଇପାରିନଥିବାରୁ କନ୍ଧମାଳ ଆଦିବାସୀଙ୍କ ଜୀବିକା ଏବେ ଦଲାଲଙ୍କ କବଜାରେ ପଡିଯାଇଛି। ଶାଗମାଛ ଦରରେ ଶାଳମଞ୍ଜି କିଣି ମାଲାମାଲ ହେଉଥିବାବେଳେ ଆଦିବାସୀମାନେ ଅଭାବୀ ବିକ୍ରିର ଶିକାର ହୋଇପଡିଛନ୍ତି। ଶାଳମଞ୍ଜିର ଏକ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ‌ହୋଇପାରିଲେ ଏଠାକାର ଆଦିବାସୀମାନେ ବାହାରର ଦଲାଲ୍‌ଙ୍କ ଶୋଷଣରୁ ମୁକ୍ତି ପାଇବା ସହ ଉଚିତ୍‌ ମୂଲ୍ୟ ପାଇ ପାରନ୍ତେ ବୋଲି କୁହାଯାଇଛି।

ସାଧାରଣତଃ ମେ ମାସ ବେଳକୁ ଆଦିବାସୀମାନେ ଜଙ୍ଗଲରୁ ଶାଳଫୁଲ ସଂଗ୍ରହ କରି ସେଥିରୁ ମଞ୍ଜି ଆଦାୟ କରିଥା’ନ୍ତି। କିନ୍ତୁ ପରିଶ୍ରମ ତୁଳନାରେ ଆଦିବାସୀଙ୍କୁ ଉଚିତ୍‌ ମୂଲ୍ୟ ମିଳୁନି। ବେପାରୀ କିନ୍ତୁ ମାଲାମାଲ୍‌ ହେଉଛନ୍ତି। ଦୀର୍ଘ ମାସେ କାଳ ଆଦିବାସୀ ମହିଳା ଓ ପୁରୁଷ ଶାଳଫୁଲ ସଂଗ୍ରହ କରି ତାକୁ ଖରାରେ ଶୁଖାଇ ମଞ୍ଜି ଅମଳ କରିଥା’ନ୍ତି। ଶାଳଗଛରୁ ପ୍ରଚୁର ପରିମାଣରେ ଶାଳଫୁଲ ଭୂଇଁରେ ଝଡ଼ି ପଡ଼ିଥାଏ ଏବଂ ଆଦିବାସୀମାନେ ଝାଡୁକରି ଏହାକୁ ସଂଗ୍ରହ କରିଥାନ୍ତି। ଶାଳଫୁଲରେ ନିଆଁ ଲଗାଇ ପୋଡ଼ିଦେବା ପରେ ସେଥିରୁ ମଞ୍ଜି ଅଲଗା ହୋଇ ବାହାରିଥାଏ।

ବେଲଘର ପଞ୍ଚାୟତ ଦେଓଗଡ଼ା ଗାଁର ବିପିନା ମାଝିଙ୍କ କହିବା ଅନୁସାରେ, ଗୋଟିଏ ଋତୁରେ ସେ ପାଖାପାଖି ୨ କ୍ବିଣ୍ଟାଲ୍‌ ଶାଳମଞ୍ଜି ସଂଗ୍ରହ କରିଥା’ନ୍ତି। ଏହି କାମରେ ପରିବାରର ସମସ୍ତ ସଦସ୍ୟ ଲାଗିଥା’ନ୍ତି। କିନ୍ତୁ ସମସ୍ୟା ହୋଇଥାଏ ଏହାର ଉପଯୁକ୍ତ ବଜାର ନାହିଁ। ପଡ଼ୋଶୀ କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ଦଲାଲ୍‌ ଗାଁ ଗାଁରେ ବୁଲି ଶାଗମାଛ ଦରରେ ଶାଳମଞ୍ଜି କିଣି ନେଇଥା’ନ୍ତି। ଆଦିବାସୀଙ୍କୁ ଶାଳମଞ୍ଜିର ଉଚିତ୍‌ ମୂଲ୍ୟ ମିଳେନା ବୋଲି କହନ୍ତି ବିପିନା ମାଝି। ତାଙ୍କ କହିବା ଅନୁସାରେ, ବେପାରୀ ତାଙ୍କଠାରୁ କିଲୋ ପ୍ରତି ୧୦ ଟଙ୍କାରେ କିଣି ନେଉଛନ୍ତି। ଆଉ କେହି ବେପାରୀ ବସ୍ତା ଜରିଆରେ କିଣି ନେଇଥା’ନ୍ତି। ଗଞ୍ଜାମ ଜିଲ୍ଲାର କେତେକ ବେପାରୀ ଟିଣ ପ୍ରତି ୨୦ ଟଙ୍କା ଦରରେ କିଣି ନେଉଥିବା ଜଣାପଡ଼ିଛି।

ମାତ୍ର, ଶାଳମଞ୍ଜି କିଣିବାକୁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ବାହାରର ଦଲାଲ୍‌ ଏହାର ଫାଇଦା ଉଠାଉଛନ୍ତି। ଶାଳମଞ୍ଜି, ଶାଳପତ୍ର କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଜୀବନଜୀବିକାର ପ୍ରମୁଖ ମାଧ୍ୟମ ଥିଲାବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଅପରପକ୍ଷେ, ଶାଳମଞ୍ଜିରୁ ବନସ୍ପତି ଘିଅ, ସାବୁନ୍‌, ପ୍ରସାଧନ ସାମଗ୍ରୀ, ବିଭିନ୍ନ ପ୍ରକାର ଚର୍ମରୋଗ ଉପଶମ ପାଇଁ ଔଷଧ ଓ ରନ୍ଧନ ତୈଳ ପ୍ରସ୍ତୁତ ହୋଇଥାଏ। କନ୍ଧମାଳ ଜିଲ୍ଲାରେ ଶାଳ ମଞ୍ଜିର ଏକ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରାଗଲେ, ଜିଲ୍ଲାର ଆଦିବାସୀ ଏଥିରୁ ଉପକୃତ ହୋଇପା‌ରନ୍ତେ ଏବଂ ଦଲାଲ୍‌ଙ୍କ କବଳରୁ ମୁକ୍ତି ପାଇପାରନ୍ତେ।

ସମ୍ବନ୍ଧିତ ଖବର