ଜୀବିକାକୁ ପାହାର: କେନ୍ଦୁଝର ଜିଲ୍ଲାରେ ଲୋକଙ୍କ ଜୀବିକା ଏବେ ସଂକଟରେ

ଯାଜପୁର, (ପ୍ରଦୀପ କୁମାର ମହାପାତ୍ର) : କେନ୍ଦୁଝର ଜିଲ୍ଲାବାସୀଙ୍କ ଜୀବିକା ମୁଖ୍ୟତଃ କୃଷି, ବନଜାତ ଦ୍ରବ୍ୟ, ଖଣିଜ ଖନନ ଓ ପରିବହନ ଉପରେ ନିର୍ଭରଶୀଳ। ହେଲେ ସରକାରୀ କଳର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା ଲୋକପ୍ରତିନିଧିଙ୍କ ମୁହଁରେ ତୁଣ୍ଡି ​ଲାଗିଥିବାରୁ ଲୋକଙ୍କ ଜୀବିକା ଏବେ ସଂକଟରେ। ଜୀବିକା ପାଇଁ ସଂଘର୍ଷ କରୁଥିବା ଲୋକେ ଆଇନକୁ ହାତକୁ ନେବାକୁ ମଧ୍ୟ ପଛାଉନାହାନ୍ତି। ଏକ ବଡ଼ଧରଣର ଜନଆନ୍ଦୋଳନର ଏହା ପୂର୍ବ ସୂଚନା ବୋଲି କୁହାଯାଇପାରେ।

କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ଅଛି, ହେଲେ ଏହାର ପାଣି କୃଷି କାର୍ଯ୍ୟରେ ଲାଗିପାରୁନି। ଶିଳ୍ପସଂସ୍ଥା ପାଣି ଶୋଷିନେବା ସହ ପ୍ରଦୂଷଣ ବଢ଼ାଉଛନ୍ତି। ବୈତରଣୀ ଜଳକୁ କୃଷି କାର୍ଯ୍ୟରେ ବ୍ୟବହାର କରିବା ପାଇଁ କାନପୁର ଜଳସେଚନ ପ୍ରକଳ୍ପ କାମ ହେଉଛି। ହେଲେ ୪୫ ବର୍ଷ ହେଲା କାମ ଶେଷ ହେଉନାହିଁ। ଶିଳ୍ପସଂସ୍ଥାଙ୍କ ଚାପରେ କାନପୁର ପ୍ରକଳ୍ପ କାମକୁ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲାର କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିବା ବେଳେ ବ୍ୟାପକ ଜଂଗଲ ଧ୍ବଂସ ଯୋଗୁଁ ବନଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଆଦିବାସୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ବୈତରଣୀର ଉପର ଏବଂ ତଳ ମୁଣ୍ଡରେ ୨୦ରୁ ଅଧିକ ଉପନଦୀ ମିଶିଛନ୍ତି। ଅତ୍ୟଧିକ ଖଣିଜ ଖନନ କାରଣରୁ ଏହି ଜଳ ଉତ୍ସଗୁଡ଼ିକ ଉଭାନ୍‌ ହେବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୮୧ଟି ଶିଳ୍ପସଂସ୍ଥା ଗଭୀର ନଳକୂପ ଖୋଳି ନଦୀରୁ ଜଳ ଶୋଷୁଛନ୍ତି। ଏହାଦ୍ବାରା ବୈତରଣୀ ବର୍ଷାଋତୁକୁ ଛାଡ଼ି ଅନ୍ୟ ଦିନେ ଶୁଖିଲା ପଡୁଛି।

ପରୀକ୍ଷାମୂଳକ ଭାବେ ପ୍ରଥମେ ଗୋଟିଏ ଦୁଇଟି ଶିଳ୍ପସଂସ୍ଥା ସ୍ଲରି ପାଇପ୍‌ଲାଇନ୍‌ ଯୋଗେ ଲୁହାପଥର ଗୁଣ୍ଡ ପାରାଦୀପ ଏବଂ କଳିଙ୍ଗନଗରକୁ ପଠାଇଥିଲେ। ବର୍ତ୍ତମାନ ଅଧିକାଂଶ ଶିଳ୍ପସଂସ୍ଥା ପରିବହନ ପାଇଁ ଏହି ପଦ୍ଧତି ଆପଣାଇବା ଦିଗରେ କାର୍ଯ୍ୟ କରୁଛନ୍ତି।
ଜିଲ୍ଲାରେ ​ବର୍ତ୍ତମାନ ବୈତରଣୀ ପାଣି ଏବଂ ସ୍ଲରି ପାଇପ୍‌ ଲାଇନ୍‌ ଏକ ବଡ଼ ପ୍ରସଙ୍ଗ ରୂପେ ମୁଣ୍ଡ ଟେକିଛି। ବୈତରଣୀ ସୁରକ୍ଷା ପାଇଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ଇତିମଧ୍ୟରେ ବୈତରଣୀ ବଞ୍ଚାଅ ସମ୍ମିଳନୀ କେନ୍ଦୁଝରରେ ଆୟୋଜିତ ହୋଇଛି। ଏହା ସହ ମଝିରେ ମଝିରେ ପରିବେଶବିତ୍‌ମାନେ ଆସି ବୈତରଣୀ ସ୍ଥିତି ଅନୁଧ୍ୟାନ ପୂର୍ବକ ଚିନ୍ତା ପ୍ରକଟ କରୁଛନ୍ତି। ଏହି ପରିସ୍ଥିତିରେ ଜୀବିକା ବଞ୍ଚାଇବା ପାଇଁ ଆନ୍ଦୋଳନ ଦାନା ବାନ୍ଧୁଛି। କେନ୍ଦୁଝର ଜିଲ୍ଲାର ଅଧିକାଂଶ ଖଣି ଏବେ ଯନ୍ତ୍ରଚାଳିତ। ଏଠି ଅଣକୁଶଳୀ ଶ୍ରମିକଙ୍କ ପାଇଁ ଆଉ କାମ ନାହିଁ। ଯୋଡ଼ା, ବଡ଼ବିଲ ଭଳି ଖଣି ଅଞ୍ଚଳର ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଖଣିଜ ପରିବହନ ଉପରେ ନର୍ଭର କରି ପରିବାର ଚଳାଉଥିବା ଲୋକଙ୍କ ଜୀବିକା ମଧ୍ୟ ସଂକଟରେ ପଡ଼ିଛି। ସ୍ଲରି ପାଇପ୍‌ଲାଇନ୍‌ରେ ଖଣିଜ ପରିବହନ ହେଲେ ଟ୍ରକ୍‌ଗୁଡ଼ିକ ଠିଆ ହୋଇ ରହିବ। ଫଳରେ ଟ୍ରକ୍‌ ମାଲିକ, ଡ୍ରାଇଭର, ହେଲପର୍‌ଙ୍କ ପରିବାର ସମେତ ଖଣିର ଲୋଡିଂ ଲେବର ( ବୋଝେଇ ଶ୍ରମିକ) କାମ ପାଇବେ ନାହିଁ। ତେଣୁ ସ୍ଲରି ପାଇପ୍‌ଲାଇନ୍‌ କାମକୁ ଜିଲ୍ଲାରେ ତୀବ୍ର ବିରୋଧ କରାଯାଉଛି।

Odisha Bytes

ବାଂଶପାଳ ବ୍ଲକ୍‌ର କାଦକଳାରେ ଗତ ୨ ତାରିଖରେ ପାଇପ୍‌ଲାଇନ୍‌ ବିଛାଉଥିବା ଏସାର କମ୍ପାନିର ୩ଟି ପୋକଲେନ ମେସିନ, ଏକ ଡିଜି, କଂପ୍ରେସର ମେସିନକୁ ନିଆଁ ଲଗାଇ ଜାଳିଦେବା ସହ ବହୁ ଗାଡ଼ିକୁ ଭାଙ୍ଗି ଦିଆଯାଇଥିଲା। ସେହିପରି କେନ୍ଦୁଝର ବିଜେଡି କାର୍ଯ୍ୟାଳୟରେ ଟ୍ରକ୍‌ ମାଲିକମାନେ ପହଞ୍ଚି ଶାସକ ଦଳର ତିନିଜଣ ବିଧାୟକଙ୍କୁ ଘେରି ପ୍ରଶ୍ନବାଣରେ ଘାଇଲା କରିଥିଲେ। ତିନି ବିଧାୟକ ବଦ୍ରି ନାରାୟଣ ପାତ୍ର, ଜଗନ୍ନାଥ ନାଏକ ଏବଂ ଭାଗୀରଥି ସେଠୀ ଉପାୟଶୂନ୍ୟ ହୋଇ କେବଳ ପ୍ରତିଶ୍ରୁତି ଦେଇ ସେଠାରୁ ଖସି ଆସିଥିଲେ। ଜୀବିକା ଉପରେ ସରକାରୀ କଳର ପାହାର ଯୋଗୁଁ ଲୋକେ ତାତିଥିବା ଏହିସବୁ ଘଟଣାକ୍ରମରୁ ପ୍ରମାଣିତ ହୋଇଛି। ଆଗକୁ ଏହି ପ୍ରସଙ୍ଗ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର