ଭୁବନେଶ୍ବର : ଜୀବିକା ସୃଷ୍ଟି ପାଇଁ ବ୍ୟାପକ ବନୀକରଣ କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ। ଏହାସହିତ ଲଘୁ ବନଜାତ ଦ୍ରବ୍ୟ ଉତ୍ପାଦନକୁ ଅଧିକ ଗତିଶୀଳ କରିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କରୋନା ମହାମାରୀ ସମୟରେ ବିପର୍ଯ୍ୟସ୍ତ ହୋଇଥିବା ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୧୨ଟି ଜଙ୍ଗଲ ଡିଭିଜନ୍‌ରେ ବନ ସୁରକ୍ଷା ସମତି ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରି ଯୁଗ୍ମ ଜଙ୍ଗଲ ପରିଚାଳନା (ଜେଏଫ୍‌ଏମ୍‌) ଦ୍ବାରା ନିରନ୍ତର ଜୀବିକା ସୃଷ୍ଟି କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଡିଜିଟାଲ୍‌ ପ୍ଲାଟ୍‌ଫର୍ମ (ଓସ୍‌ଵାନ୍‌) ଜରିଆରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ରୋଜଗାର ସୃଷ୍ଟି ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ବ୍ୟାପକ ବନୀକରଣ କାର୍ଯ୍ୟର ରୂପରେଖ ନେଇ ସୂଚନା ଦେଇଥିଲେ। ଏଥିପାଇଁ ନିର୍ଦ୍ଦିଷ୍ଟ ଉତ୍ପାଦ କ୍ଲଷ୍ଟର୍‌, ବୈଷୟିକ ସହାୟତା, ଦକ୍ଷତା ବିକାଶ ଓ ବଜାର ସୁବିଧା ଉପରେ ଆଲୋଚନା ହୋଇଥିଲା। ଏ ନେଇ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଓଏସ୍‌ଏଫ୍‌ଡିପି, ମନରେଗା, ଓଏଲ୍‌ଏମ୍‌, ଓଟିଇଏଲ୍‌ପିର ସମ୍ବଳକୁ ସମନ୍ବିତ କରି ଏହି କାର୍ଯ୍ୟକ୍ରମ ତ୍ବାରାନ୍ବିତ କରାଯିବ। ପ୍ରାୟ ୮୮ ହଜାର ପରିବାର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ ବୋଲି ଆକଳନ କରାଯାଇଛି।

ବୈଠକରେ ଯୋଗ ଦେଇ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ବୈଷୟିକ ସହାୟତା, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ ପାଇଁ ଜୀବିକା ସାଧନ କେନ୍ଦ୍ର ପ୍ରତିଷ୍ଠା କରାଯିବା ଦରକାର। ଏହାସହିତ ନିରନ୍ତର ଭାବେ ବନ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ଆର୍ଥିକ ସଂସ୍ଥା ସହ ଲିଙ୍କ୍‌ କରି ସେମାନଙ୍କ ଉତ୍ପାଦନ ବୃଦ୍ଧି, ବ୍ରାଣ୍ଡିଂ ଓ ବିପଣନ ପାଇଁ ବଜାର ବ୍ୟବସ୍ଥା ଉପଲବ୍ଧ କରାଇବା ଉପରେ ଗୁରୁତ୍ବ ଦିଆଯିବା ଦରକାର।

ଏଥିପାଇଁ ୪୯୭ଟି ଗୋଷ୍ଠୀ ବିକାଶ ପ୍ରକଳ୍ପ ବାବଦରେ ମନରେଗା ଯୋଜନାରୁ ୧୧ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଯୁଗ୍ମ ଜଙ୍ଗଲ ପରିଚାଳନା ଆଧାରରେ ଜଙ୍ଗଲର ଇକୋ ପରିବେଶର ପୁନରୁଦ୍ଧାର ଓ ବିକାଶ ପାଇଁ ୧ ହଜାର କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଏସସି-ଏସଟି ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ପଞ୍ଚାୟତି ରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂହ, ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।