ଏସସିବିରେ ଆରମ୍ଭ ହୋଇପାରୁନି ଲିଭର ପ୍ରତିରୋପଣ ବ୍ୟବସ୍ଥା: ଲିଭର ପ୍ରତିରୋପଣ ପାଇଁ ଆଉ କେତେ ବର୍ଷ?

୯ ବର୍ଷ ହେଲା ପଡ଼ିରହିଛି ୧୨ କୋଟିର ଉପକରଣ

ଅଢେଇ ମାସରେ ପଞ୍ଜୀକରଣ କଲେଣି ୧୧୫
ତାଲିମ ନେଇଥିବା ବିଶେଷଜ୍ଞ ଅବସର ନେଲେଣି

କଟକ : ୯ ବର୍ଷ ହେଲା ବିଭିନ୍ନ ଉପକରଣ ପଡ଼ି ରହିଛି। ଅଢେଇମାସ ପୂର୍ବରୁ ଲିଭର ଓପିଡି ଓ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ‌ ହୋଇଛି। ସେଥିରେ ୧୧୫ ରୋଗୀ ଲିଭର ଆବଶ୍ୟକ ଦର୍ଶାଇ ପଞ୍ଜୀକରଣ କରି ସାରିଛନ୍ତି। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇପାରୁନି ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ବ୍ୟବସ୍ଥା। ଫଳରେ ରୋଗୀ ବାହାର ରାଜ୍ୟକୁ ଯାଇ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ଏଥିପାଇଁ ତାଲିମ ପାଇଥିବା ବିଶେଷଜ୍ଞ ଓ ଡାକ୍ତରଙ୍କ ମଧ୍ୟରୁ ଜଣେ ଅବସର ନେଇସାରିଲେଣି। ଜଣେ ଏସ୍‌ଆର ଚାକିରି ଛାଡି ସାରିଲେଣି। ଜଣେ ଅନ୍ୟ ମେଡିକାଲ କଲେଜକୁ ବଦଳି ହୋଇଥିବାବେଳେ ଆଉ ଜଣେ ଖୁବଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ରାଜ୍ୟରେ ଲିଭର ପ୍ରତିରୋପଣ ବ୍ୟବସ୍ଥାକୁ ନେଇ ପୁଣି ଅନିଶ୍ଚିତତା ବଢିବାରେ ଲାଗିଛି।

ସୂଚନା ଅନୁସାରେ, ଏସ୍‌ସିବିରେ ଲିଭର୍‌ ପ୍ରତିରୋପଣ ୟୁନିଟ୍‌ ଖୋଲାଯିବା ପାଇଁ ୯ବର୍ଷ ହେଲା ୧୨କୋଟିର ଯନ୍ତ୍ରାଂଶ ଆସି ପଡ଼ିରହିଛି। ଗଲା ଅକ୍ଟୋବରରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୁଣିଥରେ ପଦକ୍ଷେପ ନିଆଯାଇଥିଲା। ସ୍ବାସ୍ଥମନ୍ତ୍ରୀ ନବ କିଶୋର ଦାସ ଏସ୍‌ସିବି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି ବିଭାଗରେ ଓପିଡି ଉଦ୍‌ଘାଟନ କରିଥିଲେ। ଏଥିସହିତ ଏଥିରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଯାଏ ହୋଇଥିବା ୧୨ଟି ଓପିଡିରେ ୧୧୫ଜଣ ରୋଗୀ ଲିଭର ପ୍ରତିରୋପଣ ପାଇଁ ନାମ ପଞ୍ଜୀକରଣ କଲେଣି। ସେଥିରୁ ୮୨ଜଣ କାଡାଭରିକ୍‌, ୩୧ଜଣ ନିଜ ସଂପର୍କୀୟଙ୍କଠାରୁ ଲିଭର ଆଣିବେ ବୋଲି ପଞ୍ଜୀକରଣରେ ଦର୍ଶାଇଛନ୍ତି। ଏଥିସହ ୨ଜଣ ଶିଶୁ ରୋଗୀ ବି ଲିଭର ପ୍ରତିରୋପଣ ପାଇଁ ନାମ ପଞ୍ଜୀକରଣ କରିଛନ୍ତି।

ଏପଟେ ପ୍ରଥମ ପର୍ଯ୍ୟାୟରେ ୟୁରୋଲୋଜି ଓଟିରେ ଏହାକୁ ଆରମ୍ଭ କରାଯିବ ଓ ପ‌ରକୁ ପର ଏହାର ସ୍ବତନ୍ତ୍ର ଓଟି କାର୍ଯ୍ୟକ୍ଷମ ହେବା ସହ ସେଠାରେ ଲିଭର ପ୍ରତିରୋପଣ କରାଯିବ ବୋଲି ଯୋଜନା ହୋଇଥିଲା। ଏପରିକି ଲିଭର ପ୍ରତିରୋପଣ ଓଟି ପାଇଁ ଯନ୍ତ୍ରାଂଶ ଯୋଗାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି। ଲିଭର ପ୍ରତିରୋପଣ ପାଇଁ ୨୦୧୦-୧୧ରେ ସ୍ବାସ୍ଥ୍ୟ ବିଭାଗ ଅର୍ଥ ବ୍ୟବସ୍ଥା କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଶୁଚିକିତ୍ସା ବିଭାଗର ୩ୟ ଓ ୪ର୍ଥ ମହଲାରେ ଏହା କରିବାକୁ ଏସ୍‌ସିବି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଷ୍ଟେରିଲାଇଜେସନ ସାମଗ୍ରୀ ପାଇଁ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୪ରୁ ୨୦୧୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୫ଜଣ ଡାକ୍ତର, ଜଣେ ରେଡିଓଲୋଜିଷ୍ଟ ଓ ୧୧ଜଣ ସେବିକା ତାଲିମ ନେଇ ଫେରିଥିଲେ। ସେଥିରୁ ତାଲିମ ନେଇ ଫେରିଥିବା ପ୍ରଫେସର ଡାକ୍ତର ମିହିର ମହାପାତ୍ର ଇତିମଧ୍ୟରେ ଅବସର ନେଇ ସାରିଲେଣି। ଜଣେ ଏସ୍‌ଆର ଡାକ୍ତର ଚାକିରି ଛାଡ଼ିଦେଇଛନ୍ତି। ଏବେ ଯଦି ଲିଭର ପ୍ରତିରୋପଣ ବ୍ୟବସ୍ଥା ସରକାର ଆରମ୍ଭ କରିବେ; ଏଥିପାଇଁ ପୁଣି ଡାକ୍ତରଙ୍କୁ ତାଲିମ୍‌ ନେବାକୁ ପଠାଯିବା ସହ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି ହେବ। ହେଲେ, ଯଦି ଯୋଜନା କାର୍ଯ୍ୟକାରୀ ନହେଲା ପୁଣି ତାଲିମ ନାଁରେ କେବଳ ଅର୍ଥ ଶ୍ରାଦ୍ଧ ହେବ।

ସମ୍ବନ୍ଧିତ ଖବର