କଟକ : ଲିଭର ପ୍ରତିରୋପଣ ପାଇଁ ଆଉ ପାଦେ ଆଗେଇଲା କଟକ ବଡ଼ ଡାକ୍ତରଖାନା। ଓପିଡି ପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏସ୍‌ସିବି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ର ଇନ୍‌ଡୋର୍‌ ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଏସ୍‌ସିବିରେ ବର୍ଣ୍ଣ ଆଇସିୟୁ, ନ୍ୟୁ ମେଡିସିନ୍‌ ବିଭାଗରେ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ୧୫ଟି କ୍ୟାବିନ୍‌କୁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି।

Advertisment

ହେପାଟୋଲୋଜି ବିଭାଗ ଅଧୀନରେ ଏହି ଇନ୍‌ଡୋର ସେବା ରୋଗୀଙ୍କୁ ମିଳିବ। ହାଇଦ୍ରାବାଦର ଏସିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ଦୁଇ ଜଣ ବିଶେଷଜ୍ଞ ଏସ୍‌ସିବିରେ ପହଞ୍ଚି ଭିତ୍ତିଭୂମିର ଅନୁଧ୍ୟାନ କରିବା ସହ ଲିଭର୍‌ ପ୍ରତିରୋପଣ ପାଇଁ ଥିବା ଆବଶ୍ୟକତା ସଂପର୍କରେ ଅନୁଧ୍ୟାନ କରିଛନ୍ତି।

ଦୁଇ ଜଣିଆ ଟିମ୍‌ ହେପାଟୋଲୋଜି ବିଭାଗ, ଯୁରୋଲୋଜି ବିଭାଗ ଓଟି ଓ ଆଇସିୟୁ ପରିଦର୍ଶନ କରି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ୭ରୁ ୧୦ ଦିନ ଭିତରେ ଏଆଇଜିର ଏକ ପ୍ରତିନିଧିମଣ୍ଡଳୀ ଏସ୍‌ସିବି ଗସ୍ତରେ ଆସି ଏ ସଂପର୍କରେ ଅଧିକ ସମୀକ୍ଷା କରିବେ। ଏଥିପାଇଁ ଏସ୍‌ସିବି ଡିନ୍‌ଙ୍କ ଅଧୀନରେ ଏକ କମିଟି କାର୍ଯ୍ୟ କରିବ। ଅନ୍ୟପଟେ ଲିଭର ପ୍ରତିରୋପଣ ଇନ୍‌ଡୋରରେ ୨୦ଜଣ ଲିଭର୍‌ ପ୍ରତିରୋପଣ ପାଇଁ ଆଡମିସନ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ରୋଗୀଙ୍କ ଡୋନର୍‌ ମଧ୍ୟ ଏସ୍‌ସିବିରେ ପହଞ୍ଚି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏସ୍‌ସିବିରେ ଲିଭର ପ୍ରତିରୋପଣ ୟୁନିଟ୍‌ ମୁଖ୍ୟମନ୍ତ୍ରୀଙ୍କ ଏକ ପାଇଲଟ୍‌ ପ୍ରକଳ୍ପ ଓ ଏହାଦ୍ବାରା ମାଗଣାରେ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଏସ୍‌ସିବିରେ ପୂର୍ବରୁ ଖୋଲାଯାଇଥିବା ଲିଭର୍‌ ପ୍ରତିରୋପଣ ଓପିଡିରେ ଆଜିସୁଦ୍ଧା ଲିଭର ପ୍ରତିରୋପଣ ପାଇଁ ୨୪୦ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ହେପାଟୋଲୋଜି ବିଭାଗର ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ରଭାବେ ୨୦କୋଟି ଟଙ୍କାର ଯନ୍ତ୍ରାଂଶ ଆସିଛି।

ମନ୍ତ୍ରୀଙ୍କ ଗସ୍ତ ସମୟରେ ଚୌଦ୍ବାର -କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ଡିଏମ୍‌ଇଟି ପ୍ରଫେସର ଡାକ୍ତର ରମାରମଣ ମହାନ୍ତି, ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି, ପ୍ରଫେସର ଡାକ୍ତର ଲୁସି ଦାସ, ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଡାକ୍ତର ବନ ବିହାରୀ ମିଶ୍ର, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ପ୍ରଫେସର ଡାକ୍ତର ବିଜୟ ବେହେରା, ଡାକ୍ତର ସୁଶାନ୍ତ କୁମାର ଜେନା, ଡାକ୍ତର ସନାତନ ବେହେରା, ଡାକ୍ତର ମାନସ ବେହେରାଙ୍କ ସମେତ ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ଓ ସମସ୍ତ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ଗତସପ୍ତାହରେ ଶିଶୁ ରୋଗୀଙ୍କ ଲିଭର ପ୍ରତିରୋପଣ ନେଇ ବେଙ୍ଗାଲୁରୁ ଏଷ୍ଟର ହସ୍ପିଟାଲର ସର୍ଜନ ଡାକ୍ତର ସୋନାଲ ଆସ୍ଥାନା ଏସ୍‌ସିବି ଆସି ହେପାଟୋଲୋଜି ବିଭାଗ ପରିଦର୍ଶନ କରିଥିଲେ। ଏଆଇଜିର ନରୋତ୍ତମ ଦାସ, ଅମର ଚନ୍ଦ୍ର ପରିଡା ଆସିଥିବା ଜଣାପଡ଼ିଛି।

ଅନ୍ୟପଟେ ରାଜ୍ୟରେ ପ୍ରଥମ ​ମେଡିକାଲ କଲେଜ ଭାବେ କଟକ ବଡ଼ଡାକ୍ତରଖାନା ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଖୋଲିଛି ବର୍ଣ୍ଣ ଆଇସିୟୁ। ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି। ବର୍ଣ୍ଣ ଆଇସିୟୁରେ ୯ଟି ବେଡ୍‌ ରହିଛି। ସେଥିରେ ୫ଟି ଭେଣ୍ଟିଲେଟର, ୪ ଏସ୍‌ଡିୟୁ ବେଡ୍‌ ରହିଛି। ଏହାକୁ ସ୍ବାସ୍ଥ୍ୟମନ୍ତ୍ରୀ ଆଜି ଲୋକର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ, ଡିନ୍‌, ଅଧୀକ୍ଷକ ଉପସ୍ଥିତ ଥିଲେ।